କନକ ବ୍ୟୁରୋ: ଏପ୍ରିଲ ମାସ ହୋଇଗଲା । ବିଜେପି ନେତାଙ୍କୁ ମିଳିଲାନି ନିଗମ-ବୋର୍ଡ ଲଡ଼ୁ  । ଏପରିକି ବିଜେପି ରାଜ୍ୟ ସଭାପତି ଘୋଷଣା ଓ  ମନ୍ତ୍ରିମଣ୍ଡଳ ସଂପ୍ରସାରଣ ବି ହୋଇପାରୁନି । ଦିନ ଗଡ଼ି ଗଡ଼ି ଚାଲିଥିବାରୁ ନେତାଙ୍କ ମଧ୍ୟରେ ଦ୍ୱନ୍ଦ୍ୱ ବଢୁଛି । ଏବେ ବିଜେପି ଜାତୀୟ ସଭାପତି ଜେପି ନଡ୍ଡା ଆସିଲେ ନିଗମ-ବୋର୍ଡ ଲଡୁ ଦିଆଯିବ ବୋଲି ଚର୍ଚ୍ଚା ହେଉଛି । 

Advertisment

ବୋର୍ଡ-ନିଗମ, ରାଜ୍ୟ ମନ୍ତ୍ରିମଣ୍ଡଳ ଓ ରାଜ୍ୟ ସଭାପତି ପଦ ପାଇଁ ଭୁବନେଶ୍ୱରରୁ ଦିଲ୍ଲୀ ଆଲୋଚନା ଚାଲିଛି । ହେଲେ କୌଣସି ନିଷ୍କର୍ସରେ ପହଞ୍ଚିପାରୁନି ବିଜେପି । ରାଜ୍ୟର ବରିଷ୍ଠ ନେତା କଣ୍ଟ ପରେ କଣ୍ଟ ଦେଇଚାଲିଛନ୍ତି, କଣ୍ଟ ପୁରୁଛି କିନ୍ତୁ ନା ଘୋଷଣା ହୋଇପାରୁନି । ୫ ମାସ ହେଲା ରାଜ୍ୟ ସଭାପତି ଓ ବୋର୍ଡ-ନିଗମ ପଦ ପୂରଣ ନେଇ ଅଙ୍କକଷା ଚାଲିଥିବାବେଳେ ଗଣିତ ଛିଡ଼ୁନି ।  ସେହିଭଳି ମନ୍ତ୍ରିମଣ୍ଡଳ କଥା ଚର୍ଚ୍ଚା ହେଉଥିଲେ ବି ତାହା ଚର୍ଚ୍ଚାରେ ରହିଯାଇଛି । 
 
ନଡ୍ଡାଙ୍କ ଗସ୍ତ ଉପରେ ନଜର
ନାଁ ଫାଇନାଲ କରିବେ ବିଜେପି ଜାତୀୟ ସଭାପତି ?
ବୋର୍ଡ ଆଉ ନିଗମ ନେଇ ରାଜ୍ୟ ପ୍ରଭାରୀ ବିଜୟପାଲ ସିଂ ତୋମାର, ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ତରୁଣ ଚୁଗ୍, ବରିଷ୍ଠ ନେତା ଅରୁଣ ସିଂ ବାରମ୍ବାର ଓଡିଶା ଗସ୍ତ କରି ଆଲୋଚନା କରିଛନ୍ତି । 
- ସଂଗଠନ ଦାୟିତ୍ୱରେ ଥିବା ନେତାଙ୍କୁ ମିଳିପାରେ ବୋର୍ଡ-ନିଗମ ପଦ
-ବିଧାୟକଙ୍କୁ ମିଳିପାରେ ରାଜ୍ୟ ଓ ଜିଲ୍ଲା ଯୋଜନା ବୋର୍ଡ ପଦ
-ଦଳଡିଆଁକୁ ମଧ୍ୟ ଥଇଥାନ କରି ସନ୍ତୁଷ୍ଟ କରିବାକୁ ଯୋଜନା 
-ଅଭିଜ୍ଞ ଓ ନୂଆମୁହଁକୁ ମନ୍ତ୍ରିମଣ୍ଡଳ ସଂପ୍ରସାରଣରେ ମିଳିପାରେ ସ୍ଥାନ 
-ସଭାପତି ପଦ ନାଁ ଚୂଡ଼ାନ୍ତ ହୋଇଥିବା ବେଳେ ନାଁ ଘୋଷଣା ଅପେକ୍ଷା

ବିଜେପି ଜାତୀୟ ସଭାପତି ଜେ.ପି ନଡ୍ଡାଙ୍କ ଗସ୍ତ ଉପରେ ଏବେ ସମସ୍ତଙ୍କ ନଜର । ଏପ୍ରିଲ ୧୧ରେ ଜେପି ନଡ୍ଡା ଆୟୁଷ୍ମାନ ଯୋଜନାର ଶୁଭାରମ୍ଭ ପାଇଁ ଓଡିଶା ଆସୁଛନ୍ତି । ଏହି ସମୟରେ ବୋର୍ଡ-ନିଗମ ସହ ରାଜ୍ୟ ମନ୍ତ୍ରିମଣ୍ଡଳ ସଂପ୍ରସାରଣ ଓ ରାଜ୍ୟ ବିଜେପି ସଭାପତି ନାଁ ଉପରେ ମୋହର ବାଜିପାରେ । 

ଆଜି ବିଜେପିର ୪୬ତମ ପ୍ରତିଷ୍ଠା ଦିବସରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଓ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଏକାଠି ହୋଇ କାମ କରିବାକୁ ରାଜ୍ୟ କର୍ମକର୍ତ୍ତାଙ୍କୁ ଆହ୍ବାନ ଦେଇଛନ୍ତି । ତେବେ ବୋର୍ଡ-ନିଗମ, ମନ୍ତ୍ରିମଣ୍ଡଳ ସଂପ୍ରସାରଣ ଓ ରାଜ୍ୟ ବିଜେପି ସଭାପତି ଘୋଷଣାରେ ବିଳମ୍ବ ଦଳ ପାଇଁ ନୂଆ ଚ୍ୟାଲେଞ୍ଜ ହୋଇଛି ।