କନକ ବ୍ୟୁରୋ : ବିହାର ନିର୍ବାଚନ ପୂର୍ବରୁ ବିଜେପି ସଂଗଠନରେ ବଡ଼ ପରିବର୍ତ୍ତନ ହୋଇପାରେ । ବିହାର ନିର୍ବାଚନ ନୂଆ ରାଷ୍ଟ୍ର୍ରୀୟ ଅଧ୍ୟକ୍ଷଙ୍କ ନେତୃତ୍ୱରେ ଲଢ଼ିବାକୁ ଚାହୁଛି । ଏବେ ଅଧ୍ୟକ୍ଷ ଥିବା ଜେପି ନଡ୍ଡାଙ୍କ କାର୍ଯ୍ୟକାଳ ଦୁଇଥର ବୃଦ୍ଧି ହୋଇସାରିଛି । ଏବେ ଖୁବଶୀଘ୍ର ଦଳ ନୂଆ ମୁଖିଆ ଚୟନ କରିବାକୁ ପ୍ରୟାସ କରୁଛି ।
ଜାତୀୟ ଗଣମାଧ୍ୟର ସୂଚନା ମୁତାବକ ନୂଆ ଅଧ୍ୟକ୍ଷ ଚୟନରେ ବିଳମ୍ବ ନେଇ ୩ ଟି କାରଣ କୁହାଯାଉଛି । ପ୍ରଥମେ ଆରଏସଏସ ଓ ବିଜେପି ନେତାଙ୍କ ମଧ୍ୟରେ ୧୦୦ ବରିଷ୍ଠ ନେତାଙ୍କ ରାୟ ମଗାଯାଇଛି । ଏହି ଗୋଷ୍ଠୀରେ ପୂର୍ବ ଅଧ୍ୟକ୍ଷ, କେନ୍ଦ୍ରମନ୍ତ୍ରୀ ଓ ସାମ୍ବିଧାନିକ ପଦରେ ଥିବା କିଛି ନେତାଙ୍କ ରାୟ ମଗାଯାଇଛି ।
ସେପଟେ ପୂର୍ବତନ ଉପରାଷ୍ଟ୍ରପତି ଜଗଦୀପ ଧନଖଡ ଅଚାନକ ଇସ୍ତଫା ଦେବା ପରେ ସେପ୍ଟେମ୍ବର ୯ ତାରିଖରେ ପୁଣି ନିର୍ବାଚନ ହେବାକୁ ଯାଉଛି । ବିଜେପି ଚାହୁଛି କି, ଏନଡିଏ ପ୍ରାର୍ଥୀ ସି.ପି ଯୋଶୀଙ୍କ ବିଜୟ, ତେଣୁ ବିଜେପି ଏବେ ଉପରାଷ୍ଟ୍ରପତି ନିର୍ବାଚନ ଉପରେ ଫୋକସ କରୁଥିବାରୁ ନୂଆ ଅଧ୍ୟକ୍ଷ ଚୟନରେ ବିଳମ୍ବ ହେଉଛି ।
ବିଜେପିର ସମ୍ବିଧାନ ମୁତାବକ ରାଷ୍ଟ୍ରୀୟ ଅଧ୍ୟକ୍ଷ ଚୟନ ସେତେବେଳେ ହେବ ଯେତେବେଳେ ସର୍ବନିମ୍ନ ୧୯ ରାଜ୍ୟରେ ନୂଆ ଅଧ୍ୟକ୍ଷ ନିର୍ବାଚିତ ହୋଇସାରିବେ । ଏବେ ବି ବିଜେପିର ଉତ୍ତରପ୍ରଦେଶ, ଗୁଜରାଟ କର୍ଣ୍ଣାଟକ ସମେତ ୭ ଟି ରାଜ୍ୟର ରାଜ୍ୟ ସଭାପତି ଚୟନ ହୋଇପାରିନାହିଁ ।
ଅନ୍ୟପଟେ ବିହାର ନିର୍ବାଚନକୁ ନେଇ ଦୋଛକିରେ ବିଜେପି । ଚିରାଗ ପାଶୱାନ, ନୀତିଶ କୁମାରଙ୍କ ସହ ମେଣ୍ଟ କରିଥିଲେ ବି ଇଣ୍ଡିଆ ବ୍ଲକର ଭୋଟ ଚୋରି ପ୍ରସଙ୍ଗ ଏବେ ବିହାର ରାଜନୀତିରେ ବିଜେପି ଓ ଏନଡିଏ ମେଣ୍ଟକୁ ବ୍ୟାକଫୁଟକୁ ନେଇଛି । ତେଣୁ ବିଜେପି ଚାହୁଛି ବିହାର ନିର୍ବାଚନ ପୂର୍ବରୁ ନୂଆ ଅଧ୍ୟକ୍ଷ ଚୟନ କରି ତାଙ୍କରି ନେତୃତ୍ୱରେ ବିହାରରେ ବିପୁଳ ବିଜୟ ହାସଲ ପାଇଁ ଚେଷ୍ଟା କରିବ ।
ଏସବୁ ଭିତରେ ବିଜେପିର ବଡ଼ ସମସ୍ୟା ହେଉଛି ଦଳୀୟ କନ୍ଦଳ ଓ ନେତାଙ୍କ ଭିତରେ ବିବାଦ । ଏହାର ମୂଳ କାରଣ ହେଉଛି ଅନ୍ୟଦଳରୁ ଆସିଥିବା ନେତାଙ୍କୁ ଗୁରୁତ୍ୱପୂର୍ଣ୍ଣ ପଦବୀ ମିଳିବା । ଏନେଇ ଦଳ ଏକ ନୂଆ ଉପାୟ ଚିନ୍ତା କରୁଛି । ଏହି କ୍ରମରେ ମଣ୍ଡଳ ଅଧ୍ୟକ୍ଷ ପାଇଁ ବୟସସୀମା ୪୦ ବର୍ଷରୁ କମ୍ ରଖାଯାଇଛି , ଏହାସହ ଜିଲ୍ଲା ଓ ରାଜ୍ୟ ଅଧ୍ୟକ୍ଷ ସେହିମାନେ ହୋଇପାରିବେ ଯେଉଁମାନେ ଦଳ ସହ ସର୍ବନିମ୍ନ ୧୦ ବର୍ଷ ହେବ କାର୍ଯ୍ୟ କରୁଛନ୍ତି ।
ଏବେ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ପଦ ପାଇଁ ମହିଳା ଓ ପୁରୁଷ ମିଶି ମୋଟ ୮ ଜଣ ଦାବିଦାର ରହିଛନ୍ତି । ସେମାନଙ୍କ ମଧ୍ୟରେ କେନ୍ଦ୍ରମନ୍ତ୍ରୀ ଶିବରାଜ ସିଂ ଚୌହାନ, ସୁନୀଲ ବଂଶଲ, ଧର୍ମେନ୍ଦ୍ର ପ୍ରଧାନ, ରଘୁବର ଦାସ, ସ୍ମୃତି ଇରାନୀ, ବନାତି ଶ୍ରୀନିବାସନ, ତାମିଲସାଇ ସୁନ୍ଦରରାଜନ, ଡି.ପୁରନ୍ଦେଶ୍ୱରୀ ରହିଛନ୍ତି ।