କନକ ବ୍ୟୁରୋ: ୨୫ ହଜାର ଶିକ୍ଷକ ନିଯୁକ୍ତି ରଦ୍ଦ ମାମଲାରେ ନୂଆ ମୋଡ଼ । ମମତାଙ୍କ ବୟାନକୁ ବିରୋଧ କରି ସିଜେଆଇଙ୍କୁ ଚିଠି ଲେଖିଲେ ବିଜେପି ନେତା । ମୁଖ୍ୟମନ୍ତ୍ରୀଙ୍କ ବୟାନ ସର୍ବୋଚ୍ଚ ଅଦାଲତଙ୍କୁ ଗରିମା ଓ ସମ୍ମାନକୁ କ୍ଷୁଣ୍ଣ କରୁଥିବା ଅଭିଯୋଗ କରିଛନ୍ତି ଜ୍ୟୋର୍ତିମୟ ମାହୋତୋ ।

Advertisment
  • ସିଜେଆଇଙ୍କୁ ବିଜେପି ନେତାଙ୍କ ଚିଠି
  • ନ୍ୟାୟପାଳିକାଙ୍କ ଗରିମା ଓ ସମ୍ମାନର ରକ୍ଷା କରାଯାଉ
  • ମମତାଙ୍କ ବୟାନ ସମାଲୋଚନା ସଦୃଶ     

ବିଜେପି ସାଂସଦ ଜ୍ୟୋର୍ତିମୟ ଅଭିଯୋଗ କରିଛନ୍ତି ଯେ ମମତାଙ୍କ ବୟାନ ନ୍ୟାୟପାଳିକାଙ୍କ ସମାଲୋଚନା ସଦୃଶ । ସର୍ବୋଚ୍ଚ ଅଦାଲତଙ୍କ ଫଇସଲା ଉପରେ ପ୍ରଶ୍ନ ଉଠାଇବା ନିନ୍ଦନୀୟ । ଏହା କୋର୍ଟଙ୍କ ଗରିମା ଓ ସମ୍ମାନକୁ କ୍ଷୁଣ୍ଣ କରୁଛି । ଗୁରୁବାର କୋର୍ଟଙ୍କ ନିର୍ଦ୍ଦେଶ ପରେ ୨୫ହଜାର ଶିକ୍ଷକଙ୍କ ନିଯୁକ୍ତି ରଦ୍ଦ କରାଯାଇଛି । ଚାକିରି ହରାଇଥିବା ଶିକ୍ଷକଙ୍କୁ ଭେଟି ଆଲୋଚନା କରିବା ସହ ମମତା ସେମାନଙ୍କୁ ଆଶ୍ୱସନା ଦେଇଥିଲେ । ଦରକାର ପଡିଲେ ଜେଲ୍‌ ଯିବେ କିନ୍ତୁ ଶିକ୍ଷକଙ୍କୁ ନ୍ୟାୟ ଦେବେ ବୋଲି ଦୃଢ଼ୋକ୍ତି ପ୍ରକାଶ କରିଥିଲେ । କୋର୍ଟଙ୍କ ଫଇସଲାକୁ ପୁର୍ନବିଚାର ପାଇଁ ପୁଣି ପିଟିସନ ଦାଖଲ କରି ଟିଏମସି ସରକାର ଅଦାଲତଙ୍କ ଫଇସଲା ଉପରେ ପ୍ରଶ୍ନ ଉଠାଉଥିବା ବିଜେପି ସିଧାସଳଖ ଅଭିଯୋଗ କରିଛି ।
 

ପଶ୍ଚିମବଙ୍ଗ ଶିକ୍ଷକ ନିଯୁକ୍ତି ମାମଲାରେ ପୂର୍ବରୁ ମମତାଙ୍କ ମନ୍ତ୍ରୀ ପାର୍ଥ ଚାଟାର୍ଜୀ ଓ ତାଙ୍କ ବାନ୍ଧବୀ ତଥା ଅଭିନେତ୍ରୀ ଅର୍ପିତା ସିବିଆଇ ଏବଂ ଇଡି ରାଡାରରେ ଅଛନ୍ତି । ମାମଲାର ତଦନ୍ତ ସମୟରେ କୋଟି କୋଟୀ ନଗଦ ଟଙ୍କା ଓ ସୁନା ଅଳଙ୍କାର ଜବତ ପରେ ଉଭୟଙ୍କୁ ଗିରଫ କରାଯାଇଥିଲା । ମନ୍ତ୍ରୀ ଗିରଫ ପରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପିଛା ଛାଡୁନି ସମସ୍ୟା । 

ସେପଟେ ୨୫ ହଜାର ଶିକ୍ଷକ ନିଯୁକ୍ତ ରଦ୍ଦକୁ ନେଇ ପଶ୍ଚିମବଙ୍ଗରେ ତୁମ୍ବିତୋଫାନ ଦେଖାଦେଇଛି । ଗୋଟିଏ ପଟେ ମମତାଙ୍କ ଜିଦ ଅନ୍ୟପଟେ ବିଜେପିର ବିକ୍ଷୋଭ । ଶିକ୍ଷକଙ୍କୁ ଚାକିରି ମିଳିବ ନା ନାହିଁ ସେକଥା ପରବର୍ତ୍ତୀ ସମୟରେ ଜଣାପଡିବ କିନ୍ତୁ ବର୍ତ୍ତମାନ ରାଜନୈତିକ ଆରୋପ ପ୍ରତ୍ୟାରୋପରେ ଉଠୁଛି ପଡୁଛି ପଶ୍ଚିମବଙ୍ଗ । 

ପଶ୍ଚିମବଙ୍ଗ ଶିକ୍ଷକ ନିଯୁକ୍ତି ଦୁର୍ନୀତି ମାମଲାରେ କଂଗ୍ରେସର ବି ଏଣ୍ଟ୍ରି ହୋଇଛି  । ରାଷ୍ଟ୍ରପତିଙ୍କୁ ଚିଠି ଲେଖି ବଡ଼ ଅପିଲ କରିଛନ୍ତି ରାହୁଲ ଗାନ୍ଧୀ । ଯେଉଁ ଶିକ୍ଷକମାନେ ସ୍ୱଚ୍ଛ ଓ ନିରପେକ୍ଷ ଉତ୍ତୀର୍ଣ୍ଣ କରିଛନ୍ତି ସେମାନଙ୍କ ନିଯୁକ୍ତି ରଦ୍ଦ ନକରିବାକୁ କଂଗ୍ରେସ ସାଂସଦ ଅପିଲ କରିଛନ୍ତି । ନିଯୁକ୍ତି ପ୍ରକିୟାରେ ଦୁର୍ନୀତି ଅଭିଯୋଗ ପରେ କୋର୍ଟ ୨୫ହଜାର ଶିକ୍ଷକଙ୍କ ନିଯୁକ୍ତିକୁ ବାତିଲ କରିଥିଲେ ।