କନକ ବ୍ୟୁରୋ : ମଧ୍ୟପ୍ରଦେଶ ବିଜେପି ନେତାଙ୍କର ହୋଇଛି କ'ଣ ? ରାଜ୍ୟର ଜଣଙ୍କ ପରେ ଜଣେ ବିଜେପି ନେତା ଓ ମନ୍ତ୍ରୀ ପଣ୍ଡିତ ଦେଖାଇହେବାକୁ ଯାଇ ଦେଶ ବିରୋଧୀ ବୟାନ ଦେବାରେ ଲାଗିଛନ୍ତି ଓ ବିଜେପି ଏହା ଉପରେ କେବଳ ନିନ୍ଦା କରୁଥିବା କଥା କହି ଚୁପ୍ ବସୁଛି । ସୋଫିଆ କ୍ୟୁରେସୀଙ୍କୁ ଆତଙ୍କବାଦୀଙ୍କ ଭଉଣୀ କହିଲେ ମନ୍ତ୍ରୀ ବିଜୟ ଶାହ, ଦେଶବାସୀ, ସେନା ଓ ସୈନିକ ମୋଦୀଙ୍କ ଚରଣରେ ନତମସ୍ତକ ବୋଲି କହିଲେ ଉପମୁଖ୍ୟମନ୍ତ୍ରୀ ଜଗଦୀଶ ଦେବଡା । ଏହି ଦୁଇ ମନ୍ତ୍ରୀଙ୍କ ବୟାନକୁ ନେଇ ସାରା ଦେଶ ବିଜେପିକୁ ଟାର୍ଗେଟ୍ କରୁଥିବା ବେଳେ ପୁଣି ମଧ୍ୟପ୍ରଦେଶ ବିଜେପି ସାଂସଦ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଫଗନ୍ ସିଂ କୁଲସ୍ତେ ଆତଙ୍କବାଦୀ ଆମର ବୋଲି କହି ବିବାଦ ଘେରକୁ ଆସିଛନ୍ତି । ହେଲେ ସବୁ ଉପରେ ରାଷ୍ଟ୍ରବାଦ ଓ ଦେଶପ୍ରେମର କଥା କହି ଡେଙ୍ଗୁରା ପିଟୁଥିବା ବିଜେପି କିନ୍ତୁ ଏହି ୩ ଜଣ ଦଳୀୟ ନେତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ପଛଘୁଞ୍ଚା ଦେଉଛି । 

Advertisment

କୁଲସ୍ତେଙ୍କର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଜୋରଦାର ଭାଇରାଲ ହେବାରେ ଲାଗିଛି । ଯେଉଁ ଭିଡିଓରେ କୁଲସ୍ତେ  ପାକିସ୍ତାନ ଆତଙ୍କବାଦୀଙ୍କୁ ଆମର ଆତଙ୍କବାଦୀ କହି ସମ୍ବୋଧିତ କରୁଛନ୍ତି । କୁଲସ୍ତେଙ୍କ ଏହି ବୟାନକୁ ନେଇ ଏବେ କେବଳ ମଧ୍ୟପ୍ରଦେଶ ନୁହେଁ ବରଂ ଜାତୀୟ ରାଜନୀତିରେ ଭୂକମ୍ପ ସୃଷ୍ଟି ହୋଇଛି ।  

ସେପଟେ କୁଲସ୍ତେଙ୍କ ଏହି ବୟାନକୁ ନେଇ କଂଗ୍ରେସ କଟାକ୍ଷ କରିଛି । ମଧ୍ୟପ୍ରଦେଶ କଂଗ୍ରେସ ଅଧ୍ୟକ୍ଷ ଜିତୁ ପଟୱାରୀ ବିଜୟ ଶାହ, ଜଗଦୀଶ ଦେବଡା ଓ କୁଲସ୍ତେଙ୍କ ଭିଡିଓ ସୋସିଆଲ ମିଡିଆରେ ସେୟାର କରି ଲେଖିଛନ୍ତି କି, ବିଜେପିର ରଣନୀତି କ୍ରମରେ ମୋ ରାଜ୍ୟ ମଧ୍ୟପ୍ରଦେଶର ଛବି ଖରାପ ହେବାରେ ଲାଗିଛି । ଏହାସହ ସେ କହିଛନ୍ତି କି, ପ୍ରଧାନମନ୍ତ୍ରୀଙ୍କ ନୀରବତା ତାଙ୍କ ଦଳର ନେତାମାନଙ୍କୁ ବିବାଦୀୟ ବୟାନ ଦେବାକୁ ଖୋରାକ ଯୋଗାଉଛି ।