କନକ ବ୍ୟୁରୋ : କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ତାଙ୍କୁ ମିଳିଲା ବିଜେପିର ବଡ଼ ଦାୟିତ୍ୱ । ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ପ୍ରଭାରୀ ଦାୟିତ୍ୱରେ ରହିବେ ବୈଜୟନ୍ତ । ପୂର୍ବରୁ ଆସାମ ନିର୍ବାଚନରେ ପ୍ରଭାରୀ ଥିଲେ ବୈଜୟନ୍ତ । ନିଯୁକ୍ତି ଦେଲେ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ।
ସେପଟେ ବାଜିଲା ଦୁଇ ରାଜ୍ୟ ପାଇଁ ନିର୍ବାଚନୀ ବିଗୁଲ । ମହାରାଷ୍ଟ୍ର ଓ ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା । ମୁଖ୍ୟ ନିର୍ବାଚନ ଆୟୋଗ ତାରିଖ ଘୋଷଣା କରିଛନ୍ତି । ନଭେମ୍ବର ୨୦ ତାରିଖରେ ହେବ ମହାରାଷ୍ଟ ବିଧାନସଭା ନିର୍ବାଚନ । ସେହିପରି ଝାଡ଼ଖଣ୍ଡରେ ଦୁଇଟି ପର୍ଯ୍ୟାୟରେ ହେବ ମତଦାନ । ନଭେମ୍ବର ୧୩ ଓ ୨୦ ତାରିଖରେ ହେବ ଝାଡ଼ଖଣ୍ଡ ନିର୍ବାଚନ । ଉଭୟ ରାଜ୍ୟର ଭୋଟ୍ ଗଣତି ନଭେମ୍ବର ୨୩ ତାରିଖରେ ହେବ ।
ମହାରାଷ୍ଟ୍ର ନିର୍ବାଚନ ପାଇଁ ଅକ୍ଟୋବର ୨୨ ତାରିଖରେ ବିଜ୍ଞପ୍ତି ପ୍ରକାଶ ପାଇବ । ସେହିପରି ନାମାଙ୍କନ ଦାଖଲର ଶେଷ ତାରିଖ ଅକ୍ଟୋବର ୨୯ ତାରିଖ ଧାର୍ଯ୍ୟ କରାଯାଇଛି । ନଭେମ୍ବର ୪ ତାରିଖରେ ନାମାଙ୍କନ ପ୍ରତ୍ୟାହାର କରିହେବ । ସେହିପରି ଝାଡ଼ଖଣ୍ଡର ୮୧ଟି ବିଧାନସଭା ଆସନ ପାଇଁ ଦୁଇଟି ପର୍ଯ୍ୟାୟରେ ମତଦାନ ଗ୍ରହଣ କରାଯିବ । ପ୍ରଥମ ପର୍ୟ୍ୟାୟ ଭୋଟିଂ ନଭେମ୍ବର ୧୩ ଓ ଦ୍ୱିତୀୟ ପର୍ଯ୍ୟାୟ ଭୋଟ ନଭେମ୍ବର ୨୦ରେ ହେବ ।
ପ୍ରଥମ ପର୍ଯ୍ୟାୟ ପାଇଁ ଅକ୍ଟୋବର ୧୮ ତାରିଖରେ ବିଜ୍ଞପ୍ତି ଏବଂ ଦ୍ୱିତୀୟ ପର୍ଯ୍ୟାୟ ପାଇଁ ଅକ୍ଟୋବର ୨୨ ତାରିଖରେ ବିଜ୍ଞପ୍ତି ପ୍ରକାଶ ପାଇବ । ପ୍ରଥମ ପର୍ଯ୍ୟାୟ ପାଇଁ ନାମାଙ୍କନ ଦାଖଲର ଶେଷ ତାରିଖ ୨୫ ତାରିଖ ରହିଥିବା ବେଳେ ଦ୍ୱିତୀୟ ପର୍ଯ୍ୟାୟ ପାଇଁ ନାମାଙ୍କନ ଦାଖଲର ଶେଷ ତାରିଖ ଅକ୍ଟୋବର ୨୯ ରହିଛି । ଉଭୟ ରାଜ୍ୟର ଫଳାଫଳ ନଭେମ୍ବର ୨୩ ତାରିଖରେ ଆସିବ ।