କନକ ବ୍ୟୁରୋ; ସୋନିଆ ଗାନ୍ଧୀଙ୍କୁ ନେଇ ଏକ ସାଂଘାତିକ ଅଭିଯୋଗ ଆଣିଛି ବିଜେପି । ଯାହାକୁ ନେଇ ଜାତୀୟ ରାଜନୀତିରେ ଝଡ଼ ସୃଷ୍ଟି ହୋଇଛି । ବିଜେପି ଦାବି କରିଛି ଯେ ସୋନିଆ ଗାନ୍ଧୀ ଭାରତର ନାଗରିକତା ଗ୍ରହଣ କରିବା ପୂର୍ବରୁ ହିଁ ତାଙ୍କ ନାମ ଦିଲ୍ଲୀର ଭୋଟର ତାଲିକାରେ ସାମିଲ ହୋଇସାରିଥିଲା । ଏହାକୁ ଏକ ବଡ଼ ଧରଣର ଜାଲିଆତି ବୋଲି ଦର୍ଶାଇ ବିଜେପି ଗାନ୍ଧୀ ପରିବାର ଏବଂ କଂଗ୍ରେସ ଦଳକୁ ଟାର୍ଗେଟ୍ କରିଛି ।
ବିଜେପିର ଆଇଟି ସେଲ୍ ମୁଖ୍ୟ ଅମିତ ମାଲବୀୟ ନିଜ ସୋସିଆଲ ମିଡିଆ ହ୍ୟାଣ୍ଡେଲରେ ଏକ ଭୋଟର ତାଲିକାର ନକଲ ପୋଷ୍ଟ କରି ଏହି ଅଭିଯୋଗ ଆଣିଛନ୍ତି । ସେ ଦାବି କରିଛନ୍ତି ଯେ ୧୯୮୦ ମସିହାରେ ଦିଲ୍ଲୀର ଭୋଟର ତାଲିକାରେ ସୋନିଆ ଗାନ୍ଧୀଙ୍କ ନାମ ଅନ୍ତର୍ଭୁକ୍ତ ହୋଇଥିଲା, ଯେତେବେଳେ କି ସେ ୧୯୮୩ ମସିହାରେ ଭାରତୀୟ ନାଗରିକତା ଲାଭ କରିଥିଲେ । ମାଲବୀୟ ପ୍ରଶ୍ନ କରିଛନ୍ତି ଯେ ଜଣେ ବିଦେଶୀ ନାଗରିକ ହୋଇଥିବା ସତ୍ତ୍ୱେ କେଉଁ ପରିସ୍ଥିତିରେ ଏବଂ କାହାର ଚାପରେ ତାଙ୍କ ନାମ ଭୋଟର ତାଲିକାରେ ସ୍ଥାନ ପାଇଲା?
ସେହିପରି ବିଜେପି ସାଂସଦ ଅନୁରାଗ ଠାକୁର ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ ଇଟାଲୀରେ ଜନ୍ମିତ ସୋନିଆ ଗାନ୍ଧୀଙ୍କ ନାମ ୧୯୮୦ ମସିହାରେ ଭୋଟର ତାଲିକାରେ ଯୋଡା ଯାଇଥିଲା, କିନ୍ତୁ ସେ ୧୯୮୩ ମସିହାରେ ଭାରତ ଆସିଥିଲେ ।
ସେ ଆହୁରି ମଧ୍ୟ କହିଛନ୍ତି ଯେ ଏହା କେବଳ ଏକ ଭୁଲ ନୁହେଁ, ବରଂ ଏହା ଗାନ୍ଧୀ ପରିବାରର ଚରିତ୍ରକୁ ଦର୍ଶାଉଛି । ଯେଉଁମାନେ ନିଜକୁ ଆଇନଠାରୁ ଉପରେ ବୋଲି ମନେ କରନ୍ତି । ବିଜେପି ମୁଖପାତ୍ର ସୁଧାଂଶୁ ତ୍ରିବେଦୀ ମଧ୍ୟ ଏହି ପ୍ରସଙ୍ଗରେ କଂଗ୍ରେସକୁ ଘେରିଛନ୍ତି । ସେ କହିଛନ୍ତି ଯେ ଯେଉଁମାନେ ସମ୍ବିଧାନ ଓ ଗଣତନ୍ତ୍ର ବଞ୍ଚାଇବା କଥା କହୁଛନ୍ତି, ସେମାନେ ନିଜେ ଦେଶର ନିର୍ବାଚନ ପ୍ରକ୍ରିୟା ସହିତ ଖେଳିଛନ୍ତି । ଜଣେ ଇଟାଲୀୟ ନାଗରିକଙ୍କ ନାମ ଭୋଟର ତାଲିକାରେ ସାମିଲ ହେବା ଏକ ସାଧାରଣ ଘଟଣା ନୁହେଁ ବୋଲି ସେ କହିଛନ୍ତି ।
ସୂଚନାଯୋଗ୍ୟ ଯେ, ସୋନିଆ ଗାନ୍ଧୀ ୧୯୬୮ ମସିହାରେ ରାଜୀବ ଗାନ୍ଧୀଙ୍କୁ ବିବାହ କରିବା ପରେ ଭାରତ ଆସିଥିଲେ । ବିବାହର ପ୍ରାୟ ୧୫ ବର୍ଷ ପରେ, ୩୦ ଏପ୍ରିଲ ୧୯୮୩ରେ ସେ ଭାରତୀୟ ନାଗରିକତା ଗ୍ରହଣ କରିଥିଲେ । ବିଜେପିର ଏହି ଅଭିଯୋଗ ଅନୁଯାୟୀ, ନାଗରିକତା ପାଇବାର ତିନି ବର୍ଷ ପୂର୍ବରୁ ହିଁ ତାଙ୍କୁ ଭୋଟ ଦେବାର ଅଧିକାର ମିଳିସାରିଥିଲା, ଯାହା ଭାରତୀୟ ଆଇନର ସମ୍ପୂର୍ଣ୍ଣ ଉଲ୍ଲଂଘନ ।