କନକ ବ୍ୟୁରୋ : କେନ୍ଦ୍ରରେ ବିଜେପି ସରକାର ଗଠନ କରିବା ବେଳେ ମୁଖ୍ୟ ସହଯୋଗୀ ପାଲଟିଛନ୍ତି ନୀତିଶ କୁମାର ଓ ଚନ୍ଦ୍ରବାବୁ ନାଇଡୁ । ଏହି ଦୁଇଜଣଙ୍କୁ ଛାଡି କେନ୍ଦ୍ରରେ ବିଜେପି କ୍ଷମତାରେ ରହିବା ଅସମ୍ଭବ । ହେଲେ ଏବେ କିଛିଦିନ ହେବ କେନ୍ଦ୍ର ବିଜେପି ସହ ନୀତିଶଙ୍କ ସଂପର୍କ ଭଲ ନଥିବା ଚର୍ଚ୍ଚା ହେଉଛି । ହେଲେ ବିହାର ବିଜେପି ନେତାମାନେ ନୀତିଶଙ୍କ ପ୍ରତି ସମ୍ମାନ ଜାରି ରଖିଛନ୍ତି । ବିଜେପି ରାଷ୍ଟ୍ରୀୟ ସ୍ତରରେ ବଡ଼ ପାର୍ଟି ହୋଇଥିଲେ ବି ବିହାରରେ ନୀତିଶଙ୍କ ବିନା ବିଜେପିର କୌଣସି ଅସ୍ତିତ୍ୱ ନାହିଁ । ଏହା ବୋଧେ ବିହାର ବିଜେପି ନେତାମାନେ ହୃଦୟଙ୍ଗମ କରିଛନ୍ତି ।
କିଛିଦିନ ତଳେ ଜେଡିୟୁ ରାଷ୍ଟ୍ରୀୟ ଅଧ୍ୟକ୍ଷ ସଂଜୟ ଝା ଓ କେନ୍ଦ୍ରମନ୍ତ୍ରତୀ ଲଲନ ସିଂ ଏକ ମିଳିତ ପ୍ରେସ ବିବୃତ୍ତିରେ କହିଥିଲେ କି ଦଳ ବିଜେପି ସହ ମିଳିତ ଭାବେ ଆଗାମୀ ବିଧାନସଭା ନିର୍ବାଚନ ଲଢିବ । ସେପଟେ ବିହାର ବିଜେପି ନେତାମାନେ ବି ନୀତିଶଙ୍କ ଚେହେରାରେ ନିର୍ବାଚନ ଲଢିବାକୁ ପ୍ରସ୍ତୁତ ଥିବା କଥା କହିଛନ୍ତି । ହେଲେ ବିହାର ବିଜେପି ନେତାମାନେ ନୀତିଶଙ୍କ ନେତୃ୍ତ୍ୱରେ ନିର୍ବାଚନ ଲଢିବାକୁ କହୁଥିବା ବେଳେ ନିର୍ବାଚନ ଜିତିଲେ କିଏ ମୁଖ୍ୟମନ୍ତ୍ରୀ ହେବ ତାହା ସ୍ପଷ୍ଟ କରୁନାହାଁନ୍ତି । ସେପଟେ ଗୃହମନ୍ତ୍ରୀଙ୍କ ବୟାନକୁ ନେଇ ଏବେ ବିହାର ରାଜନୀତିରେ ଝଡ । ଗୃହମନ୍ତ୍ରୀ କହିଛନ୍ତି କି, ମୁଖ୍ୟମନ୍ତ୍ରୀ କିଏ ହେବ ତାହା ବିଚାର କରାଯିବ ।
ଅନ୍ୟପଟେ ଗୋଟିଏ ଦେଶ ଗୋଟିଏ ନିର୍ବାଚନ ଓ ୱାକଫ ବୋର୍ଡ ବିଲକୁ ନେଇ ନୀତିଶ କୁମାର ନା ଏନଡିଏ ନା ଇଣ୍ଡିଆ କାହା ସପକ୍ଷରେ ମତ ନଦେଇ ଚୁପ ହୋଇ ବସିଥିଲେ । ଏକଥା ଧ୍ୟାନ ରଖାଯାଇପାରେ ଯେ ଯେତେବେଳେ ନୀତିଶ କୁମାର ଚୁପ୍ ରୁହନ୍ତି ତା ପରେ ସେ କିଛି ନା କିଛି ବଡ଼ ନିଷ୍ପତ୍ତି ନିଅନ୍ତି । ଏହା ଏବେ ଏନଡିଏ ମେଣ୍ଟର ଭୟର କାରଣ ପାଲଟିଛି । ସେପଟେ ଯଦି ଆମେ ମହାରାଷ୍ଟ୍ର ନିର୍ବାଚନକୁ ଦୃଷ୍ଟି ଦେବା ତେବେ ନୀତିଶଙ୍କ ନିରବତା ପଛରେ ବି ବଡ଼ କାରଣ ହୋଇପାରେ । ମହାରାଷ୍ଟ୍ରରେ ବିଜେପି ଶିବସେନା (ସିନ୍ଦେ ଗୋଷ୍ଠୀ)ର ମୁଖ୍ୟ ଏକନାଥ ସିନ୍ଦେଙ୍କ ଚେହେରା ଓ ନେତୃତ୍ୱରେ ନିର୍ବାଚନ ଲଢିଥିବା ବିଜେପି କିନ୍ତୁ ଶେଷରେ ତାଙ୍କୁ ଧୋକ୍କା ଦେଇ ବିଜେପି ମୁଖ୍ୟ ଦେବେନ୍ଦ୍ର ଫଡନଭିସଙ୍କୁ ମୁଖ୍ୟମନ୍ତ୍ରୀ ଆସନରେ ବସାଇଥିଲା । ଏହି ଘଟଣାକୁ ସମୀକ୍ଷା କରି ଯଦି ନୀତିଶ ଆତ୍ମମନ୍ଥନ କରୁଥାନ୍ତି ତେବେ କେନ୍ଦ୍ର ବିଜେପି ପାଇଁ ନୀତିଶ କୁମାର ଅଡୁଆ ସାଜି ପାରନ୍ତି । ଏସବୁ ଭିତରେ ବିହାର ବିରୋଧୀଦଳ ବା ଆରଜେଡି ମୁଖ୍ୟ ତେଜସ୍ୱୀ ଯାଦବ ନୀତିଶ ଓ ବିଜେପିକୁ କଡା କଟାକ୍ଷ କରିଛନ୍ତି । ସେ କହିଛନ୍ତି କି, ବିହାର ସରକାର ଏବେ ଦିଲ୍ଲୀରୁ ପରିଚାଳିତ ହେଉଛି । ଏହାସହ ମହାରାଷ୍ଟ୍ର, ଦିଲ୍ଲୀ, ଝାଡଖଣ୍ଡ ନିର୍ବାଚନ ବେଳେ ମହିଳା ଭୋଟରଙ୍କ ଫ୍ୟାକ୍ଟରକୁ ଗୁରୁତ୍ୱ ଦେଇ ତେଜସ୍ୱୀ ସରକାରକୁ ଆସିଲେ ମହିଳାମାନଙ୍କୁ ମାସିକ ୨.୫ ହଜାର ଟଙ୍କା ଦେବାକୁ ଘୋଷଣା କରି ବିଜେପି ଓ ଜେଡିୟୁକୁ ଟକ୍କର ଦେବାକୁ ଯୋଜନା କରିଛି । ହେଲେ ନୀତିଶ କୁମାର ରାଜନୀତିରେ ଜଣେ ପୋଖତ ଖେଳାଳୀ । ପୁଣି ଯଦି ମେଣ୍ଟ ବଦଳାଇବା ତେବେ କେନ୍ଦ୍ର ବିଜେପିକୁ ଯେତିକି କ୍ଷତି ନପହଂଚାଇବ ତା ଠାରୁ ଅଧିକ ରାଜ୍ୟ ବିଜେପିର କ୍ଷତି କରିବ