କନକ ବ୍ୟୁରୋ: ଗାଡ଼ିରେ ଆସିଲେ, ଗୁଳି କରି ଚାଲିଗଲେ । ବ୍ରହ୍ମପୁର ସହର ବୈକୁଣ୍ଠ ନଗର ‘ମୋ କୁଡ଼ିଆ’ ହୋଟେଲ ପାଖରେ ଗତ ରାତିରେ ଘଟିଛି ବୀଭତ୍ସ ହତ୍ୟାକାଣ୍ଡ । ବ୍ରହ୍ମପୁର ସହରର ଜଣାଶୁଣା ଆଇନଜୀବୀ ତଥା ବିଜେପି ନେତା ପୀତବାସ ପଣ୍ଡାଙ୍କୁ ଗୁଳି କରି ହତ୍ୟା କରିଛନ୍ତି ଦୁର୍ବୃତ୍ତ ।
ରାତି ପାଖାପାଖି ୧୦ଟା ବେଳେ ସ୍କୁଟିରେ ଘରକୁ ଫେରୁଥିଲେ ପୀତବାସ । ଘର ପାଖରେ ପହଞ୍ଚିଲା ବେଳକୁ ଛକି ରହିଥିବା ଦୁର୍ବୃତ୍ତ ତାଙ୍କୁ ପଏଣ୍ଟ ବ୍ଲାଙ୍କରୁ ଗୁଳି ମାରିଥିଲେ । ୨ ରାଉଣ୍ଡ ଗୁଳି ସିଧା ତାଙ୍କ ଛାତିରେ ଗଳି ଯାଇଥିଲା । ସ୍ଥାନୀୟ ଲୋକେ ତୁରନ୍ତ ଗୁରୁତର ଅବସ୍ଥାରେ ଏମକେସିଜି ମେଡିକାଲ ନେଇଥିଲେ । ହେଲେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ । ଅନ୍ୟପଟେ ଘଟଣାସ୍ଥଳରେ ପହଞ୍ଚି ତନାଘନା କରିଛି ପୁଲିସ । ଦକ୍ଷିଣାଞ୍ଚଳ ଆଇଜି ନୀତିଶେଖର ଓ ଗଞ୍ଜାମ ଏସପିଙ୍କ ସମେତ ପୂରା ଟିମ୍ ଗୁଳିମାଡ଼ ହୋଇଥିବା ସ୍ଥାନରେ ପହଞ୍ଚି ଛାନଭିନ୍ କରିଛନ୍ତି । କିଏ ଓ କାହିଁକି ପୀତବାସଙ୍କୁ ହତ୍ୟା କଲା, ତାର କାରଣ ଜଣାପଡୁନି । ପାଖାପାଖି ଅଞ୍ଚଳରେ ଲାଗିଥିବା ସିସିଟିଭି ଆଧାରରେ ପୁଲିସ ତଦନ୍ତ ଚଳାଇଛି । ରାତିରେ ମୃତଦେହ ବ୍ୟବଚ୍ଛେଦ କରାଯାଇଛି । ଆଜି ପୀତବାସ ପଣ୍ଡାଙ୍କ ଶେଷକୃତ୍ୟ ସମ୍ପନ୍ନ ହେବ ।