କନକ ବ୍ୟୁରୋ : ବିଜେଡିର ଗଡ଼ କୁହାଯାଉଥିବା ଯାଜପୁରକୁ ଧୀରେ ଧୀରେ ବିଜେପି ହାତେଇବା ଆରମ୍ଭ କଲାଣି । ଯାଜପୁର କୋରେଇରେ ଅନୁଷ୍ଠିତ ମହାମିଶ୍ରଣ ପର୍ବରେ ଶତାଧିକ ବିଜେଡି କର୍ମୀ ବିଜେପିରେ ମିଶିଛନ୍ତି । ଯାହା ବିଜେଡିର ନିଦ ହଜାଇ ଦେଇଛି ।
ଯାଜପୁରରେ ଶତାଧିକ ବିଜେଡି ନେତା ବିଜେପିରେ ମିଶିଛନ୍ତି । କୋରେଇ ନିର୍ବାଚନମଣ୍ଡଳୀରେ ବିଜେପିର ମହାମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲା । ୧୫ରୁ ଉର୍ଦ୍ଧ୍ୱ ସରପଞ୍ଚ ଓ ସମିତି ସଭ୍ୟଙ୍କ ସମେତ ୩୦୦ରୁ ଅଧିକ ନେତା ତଥା କର୍ମୀ ବିଜେପିରେ ଯୋଗଦେଇଛନ୍ତି । ବିଜେପି ପ୍ରତି ଲୋକଙ୍କ ଆସ୍ଥାକୁ ଦୃଷ୍ଟିରେ ରଖି ସ୍ୱାଭିମାନୀ କୋରେଇ ଗଢ଼ିବାକୁ ପ୍ରତିଶ୍ରୁତି ଦେଇଛନ୍ତି ବିଧାୟକ ଆକାଶ ଦାସନାୟକ । ସୁକିନ୍ଦା ବିଧାୟକ ତଥା ମନ୍ତ୍ରୀ ପ୍ରଦୀପ ବଳସାମନ୍ତ କହିଛନ୍ତି, ଆଗକୁ ଯାଜପୁରରେ ବିଜେଡିର ସତ୍ତା ହଜିଯିବ ।
ବିଜେପିର ମହାମିଶ୍ରଣ ପର୍ବ ନେଇ ଜବାବ ରଖିଛି ବିଜେଡି । କୋରେଇ ବ୍ଲକ୍ ବିଜେଡି ସଭାପତି କହିଛନ୍ତି, ବିଜେଡି ନେତା ବିଜେପିରେ ମିଶିଛନ୍ତି ବୋଲି ବିଜେପି ବାହାସ୍ଫୋଟ ମାରୁଥିଲେ ବି ସେମାନେ ଆମ ଦଳରେ ନଥିଲେ । ବିଜେଡି ସଂଗଠନ ମଜଭୁତ ଅଛି । ଆମର ୨୪ ସମିତି ସଭ୍ୟ ଓ ୧୯ ସରପଞ୍ଚ ଦଳ ଛାଡିବେ ନାହିଁ । ଏହା ଉପରେ ପ୍ରତିକ୍ରିୟା ରଖି ବିଜେପି ଯାଜପୁର ଜିଲ୍ଲା ସଭାପତି ଗୌତମ ରାୟ କହିଛନ୍ତି, ବିଜେଡି ଆଜି ଗର୍ବର ପରିଣାମ ଭୋଗୁଛି ।
ଗତ ନିର୍ବାଚନରେ ଯାଜପୁରର ୭ଟି ବିଧାନସଭା ଆସନରୁ ୪ଟି ବିଜେପି ଦଖଲ କରିଥିଲା । ଆସନ୍ତା ନିର୍ବାଚନରେ ସମ୍ପୂର୍ଣ୍ଣ ଦଖଲ ପାଇଁ ବିଜେପି ରଣନୀତି ଆରମ୍ଭ କରିଛି ।