କନକ ବ୍ୟୁରୋ : କୋରାପୁଟ କବ୍ଜା କରିବାକୁ ବିଜେପିର କସରତ । କୋଟିଆରୁ ଜୟପୁର, କିଛି ଦିନ ହେବ ଏଠାରେ ନେତାମନ୍ତ୍ରୀଙ୍କ ଭିଡ଼ ଜମୁଛି । ମାଧ୍ୟମ ଥିଲା ରଥଯାତ୍ରା । କୋଟିଆ ରଥଯାତ୍ରାରେ ଉପମୁଖ୍ୟମନ୍ତ୍ରୀଙ୍କ ସହ ସାମିଲ ହୋଇଥିଲେ ୪ ମନ୍ତ୍ରୀ । ଶାବର ଶ୍ରୀକ୍ଷେତ୍ରରେ ମହାପ୍ରଭୁଙ୍କ ବାହୁଡ଼ାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ଯୋଗ ଦେଇଥିଲେ ୩ ମନ୍ତ୍ରୀ । ବିଜେପିର ବୈଠକ ପରେ ବୈଠକ, ଦଳର କୋରାପୁଟ କସରତ ଚର୍ଚ୍ଚାକୁ ଖୋରାକ୍ ଯୋଗାଇଛି ।
ବିଜେପି ନେତାଙ୍କ କୋରାପୁଟ ଗସ୍ତକୁ ହାଲୁକା ଭାବେ ନେଉନାହାନ୍ତି ବିଜେଡି ଓ କଂଗ୍ରେସ । ଆଗକୁ ପଞ୍ଚାୟତ ନିର୍ବାଚନ ଥିବାରୁ ବିଭିନ୍ନ ଆଳରେ ବିଜେପି, ଦଳୀୟ ସଂଗଠନକୁ ସୁଦୃଢ଼ କରିବାକୁ ଚେଷ୍ଟା କରୁଥିବା କହିଛନ୍ତି ବିରୋଧୀ । ପୂର୍ବରୁ କଂଗ୍ରେସ ଦଳ ଏହି ମାଟିରେ ତାର ଶକ୍ତି ପ୍ରଦର୍ଶନ କରିଛି । ସାମିଲ ଥିଲେ ରାଜ୍ୟ କଂଗ୍ରେସ ସଭାପତି ଭକ୍ତ ଦାସ ଓ ରାଜ୍ୟ କଂଗ୍ରେସ ପ୍ରଭାରୀ ଅଜୟ କୁମାର ଲଲୁ । ଏବେ ବିଜେପି ନେତା ମନ୍ତ୍ରୀଙ୍କ ଗହଳି କୋରାପୁଟର ରାଜନୀତିକୁ ସରଗରମ କରିଛି ।