କନକ ବ୍ୟୁରୋ: ବଳଙ୍ଗା ଘଟଣାକୁ ନେଇ ବିରୋଧୀଙ୍କ ଅଭିଯୋଗ ପରେ ଏହାର କଡ଼ା ଜବାବ ରଖିଛି ବିଜେପି । ବିଜେପି ମୁଖପାତ୍ର ମନୋଜ ମହାପାତ୍ର ଏହି ସମ୍ପର୍କରେ ପ୍ରେସମିଟ୍ କରିବା ସହିତ କହିଛନ୍ତି, ଶାଗୁଣା ଯେମିତି ଶବକୁ ଚାହିଁ ବସିଥାଏ । ସେମିତି ଶବ ଉପରେ ରାଜନୀତି କରୁଛନ୍ତି ବିରୋଧୀ । ଏହା ହୀନ ରାଜନୀତି । ଶାଗୁଣା ପ୍ରକୃତିର ଲୋକ ଏଭଳି ରାଜନୀତି କରନ୍ତି । ଏଭଳି ସ୍ଥିତିରେ ବିଜେଡ଼ି ଓ କଂଗ୍ରେସ ରାଜନୀତି କରନ୍ତୁ ନାହିଁ  ବୋଲି ସେ କହିଛନ୍ତି ।

Advertisment

ଏହାସହିତ ଯେଉଁମାନେ ଦିଲ୍ଲୀରେ ସାମ୍ବାଦିକ ସମ୍ମିଳନୀ କରୁଛନ୍ତି, ସେମାନେ ଓଡ଼ିଶାର ଡେମୋଗ୍ରାଫି ଜାଣିନାହାନ୍ତି । ଓଡ଼ିଶା ୟୁପି କି ବିହାର ନୁହେଁ । ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କୌଣସି ସାଧାରଣ ଲୋକଙ୍କୁ ଉତ୍ତମ ଚିକିତ୍ସା ପାଇଁ ଏୟାରଲିଫ୍ଟ କରିଥିଲେ କି ? ଏହାସହ ବିଜେଡି ନେତ୍ରୀ ପ୍ରମିଳା ମଲ୍ଲିକଙ୍କୁ ଟାର୍ଗେଟ୍ କରି ସେ କହିଛନ୍ତି, ତାଙ୍କ ଘରେ ଜଣେ ମରି ଯାଇଥିଲେ ସେ ତା ଉପରେ କହିବେ କି ? ଏହା ସହିତ ଟୁକୁନି ସାହୁ ନିଜ ସ୍ଵାମୀଙ୍କ ହତ୍ୟା ପରେ କେଉଁ ଲାଭ ଲୋଭ ଉପରେ ଚୁପ୍ ରହିଥିଲେ ବୋଲି ପ୍ରଶ୍ନ କରିଛନ୍ତି ମନୋଜ । ଖାଲି ସେତିକି ନୁହେଁ, ଲେଖାଶ୍ରୀଙ୍କୁ ଅଭ୍ୟାସଗତ ବିରୋଧୀ ବୋଲି କହିଥିଲେ ମନୋଜ ।

ଶେଷରେ ମନୋଜ ମହାପାତ୍ର କହିଥିଲେ ଯେ, ରାଜ୍ୟ ସରକାର ବଳଙ୍ଗା ପୀଡ଼ିତାଙ୍କୁ ତୁରନ୍ତ ଏମ୍ସରେ ଚିକିତ୍ସା ବ୍ୟବସ୍ଥା କଲେ । ଉତ୍ତମ ଚିକିତ୍ସା ପାଇଁ ଏୟାରଲିଫ୍ଟ କରି ଦିଲ୍ଲୀ ପଠାଇଲେ । କିନ୍ତୁ ଦୁର୍ଭାଗ୍ୟ ଝିଅର ଜୀବନ ବଞ୍ଚି ପାରିଲା ନାହିଁ । ଏ ଘଟଣାରେ ସମସ୍ତେ ଦୁଃଖିତ । ପୀଡ଼ିତାଙ୍କ ବାପା କହିଛନ୍ତି, ରାଜ୍ୟ ସରକାରଙ୍କ ସହାୟତାରେ ସେମାନେ ଖୁସି । କିନ୍ତୁ ଏଭଳି ସ୍ଥିତିରେ ବିରୋଧୀ ମାନେ ରାଜନୀତି କରୁଛନ୍ତି ।