କନକ ବ୍ୟୁରୋ : ମୋହନ ସରକାରକୁ ବର୍ଷେ ପୂରଣ ହେବ । ବର୍ଷପୂର୍ତ୍ତିକୁ ସ୍ମରଣୀୟ କରିବା ପାଇଁ ରାଜ୍ୟବ୍ୟାପୀ ପାଳନ କରିବାକୁ ଯୋଜନା କରିଛନ୍ତି ରାଜ୍ୟ ସରକାର । ୧୧ ଦିନ କାଳ ବିଭିନ୍ନ ସ୍ଥାନରେ ସଭା, ସମାବେଶ ସମ୍ମିଳନୀ କରି ସରକାରଙ୍କ ବର୍ଷକରେ ପାଇଥିବା ସଫଳତାକୁ ଜଣାଇବେ ବଡ଼ ବଡ଼ ମନ୍ତ୍ରୀ । ଏପରିକି ମୋହନ ସରକାରଙ୍କ ବର୍ଷପୂର୍ତ୍ତି ଉତ୍ସବରେ ସାମିଲ ହେବାକୁ ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ।
ସମସ୍ତଙ୍କୁ ଚମକାଇ ଦେଇ ଶାସନକୁ ଆସିଥିବା ମୋହନ ସରକାରକୁ ବର୍ଷେ ପୂରଣ ହେବାକୁ ଯାଉଛି । ବର୍ଷପୂର୍ତ୍ତି ପାଇଁ ଆଜିଠାରୁ ଆରମ୍ଭ ହୋଇଛି କାର୍ଯ୍ୟକ୍ରମ । ପ୍ରଥମ ଦିନରେ ଶିଳ୍ପପତିଙ୍କ ସହ ଆଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହିଭଳି କାର୍ଯ୍ୟକ୍ରମ ଜୁନ୍ ୨୧ ପର୍ଯ୍ୟନ୍ତ ୧୧ଦିନ ଧରି ଚାଲିବ। ଜୁନ ୨୦ ତାରିଖରେ ଜନତା ମଇଦାନରେ ଆୟୋଜିତ ହେବ ରାଜ୍ୟସ୍ତରୀୟ ବର୍ଷପୂର୍ତ୍ତି କାର୍ଯ୍ୟକ୍ରମ । ଏଥିରେ ସାମିଲ ହେବାକୁ ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ।
ବର୍ଷ ପୂର୍ତ୍ତି ଉତ୍ସବକୁ କେବଳ ରାଜ୍ୟସ୍ତରରେ ସୀମିତ ନରଖି ସବୁ ଜିଲ୍ଲା ଓ ସବୁ ବର୍ଗକୁ ଛୁଇଁବାକୁ ଯୋଜନା କରିଛନ୍ତି ମୋହନ ସରକାର । ମୋହନ ସରକାରଙ୍କ ବର୍ଷପୂର୍ତ୍ତି କାର୍ଯ୍ୟକ୍ରମକୁ ଅଧିକ ସ୍ମରଣୀୟ କରିବା ପାଇଁ ଆସିବେ କେନ୍ଦ୍ରୀୟ ନେତା । ବିଭିନ୍ନ ସମାବେଶରେ ବିଭିନ୍ନ କେନ୍ଦ୍ରମନ୍ତ୍ରୀ ଯୋଗ ଦେବେ , ବିଜେପି ଶାସିତ ରାଜ୍ୟରେ ମୁଖ୍ୟମନ୍ତ୍ରୀମାନେ ମଧ୍ୟ ସାମିଲ ହେବେ ବୋଲି ସୂଚନା ରହିଛି ।