କନକବ୍ୟୁରୋ : ଓଡ଼ିଶାରେ ବିଜେପି ସରକାରର ବର୍ଷ ପୂର୍ତ୍ତି, ଆସୁଛନ୍ତି ପ୍ରଧାନମନ୍ତ୍ରୀ। ରାଜ୍ୟବାସୀଙ୍କୁ ପ୍ରାୟ ୩ହଜାର କୋଟି ଟଙ୍କାର ପ୍ରକଳ୍ପ ଭେଟିଦେବେ ନରେନ୍ଦ୍ର ମୋଦି  ।  ଏଥିରେ ୨୭୦୦ କୋଟି ଟଙ୍କାର ରେଳ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ ସହ ନରାଜରେ ନିର୍ମିତ ୫୦କୋଟି ଟଙ୍କାର ଇଭି ବସ୍‌ ଡିପୋର ଉଦ୍‌ଘାଟନ , ୧୦୦ଟି ନୂଆ ଇଭି ବସ୍‌ର ଶୁଭାରମ୍ଭ ଆଦି ରହିଛି । ଏଥିପାଇଁ ବିଜେପି ଓ ରାଜ୍ୟ ସରକାରଙ୍କ ପକ୍ଷରୁ ସମସ୍ତ ପ୍ରସ୍ତୁତି ହୋଇଛି  ।

Advertisment

ଅପରାହ୍ନ ୩ଟା ୪୦ରେ ପ୍ରଧାନମନ୍ତ୍ରୀ ବିମାନବନ୍ଦରରେ ପହଞ୍ଚିବା ପରେ ୩ଟା ୪୫ରେ ରୋଡ୍‌ ସୋ’ରେ ବାହାରି ୪ଟା ୧୫ରେ ଜନତା ମଇଦାନରେ ପହଞ୍ଚିବେ ।  ସେଠାରେ ଅପରାହ୍ନ ୫ଟା ୩୫ ପର୍ଯ୍ୟନ୍ତ ରହିବେ ।  ଅପରାହ୍ନ ୫ଟା ୫୦ରେ ବାୟୁସେନାର ସ୍ବତନ୍ତ୍ର ବିମାନରେ ଭୁବନେଶ୍ବରରୁ ନୂଆଦିଲ୍ଲୀ ଅଭିମୁଖେ ବାହାରିଯିବେ ପ୍ରଧାନମନ୍ତ୍ରୀ  ।  ରାଜ୍ୟ ସରକାରଙ୍କ ବର୍ଷ ପୂର୍ତ୍ତି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ‘ଓଡ଼ିଶା ଭିଜନ୍‌-୨୦୩୬  ଓ  ୨୦୪୭’ ପୁସ୍ତିକାକୁ ଉନ୍ମୋଚନ କରିବେ ।

ଏହାସହ ୨୦୩୬ ସୁଦ୍ଧା ବିକଶିତ ଓଡ଼ିଶା ଗଠନ ପାଇଁ ଯେଉଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି ମୋଦି ତା’ର ରୋଡ୍‌ ମ୍ୟାପ୍ ଘୋଷଣା କରିବେ ।  ସରକାର କିପରି ନିର୍ବାଚନ ସମୟରେ ଦେଇଥିବା ପ୍ରତିଶ୍ରୁତିକୁ ଗୋଟି ଗୋଟି ପାଳନ କରୁଛନ୍ତି ଏବଂ କ’ଣ କରିବାକୁ ଯୋଜନା କରିଛନ୍ତି, ସେ ନେଇ ମଧ୍ୟ କହିବେ  ।