କନକ ବ୍ୟୁରୋ : ବଦଳିବ ସରକାରୀ ସ୍କୁଲର ରଙ୍ଗ । ଗେରୁଆ ରଙ୍ଗର ହେବ ସରକାରୀ ସ୍କୁଲ । ସରକାରୀ ଓ ପ୍ରିଏମଶ୍ରୀ ସ୍କୁଲର ରଙ୍ଗ ବଦଳିବ । ଏନେଇ ଓସେପା ପକ୍ଷରୁ ସବୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶନାମା ଜାରି କରାଯାଇଛି । ଯେତିକି ନୂଆ କୋଠା ତିଆରି ହେବ ସେଗୁଡ଼ିକର ରଙ୍ଗ ଏହି ନୂଆ ରଙ୍ଗ କୋଡ୍‍ ଅନୁସାରେ ସ୍ଥିର ହେବ । ଏହା ସହ କୌଣସି ପୁରୁଣା ସରକାରୀ ସ୍କୁଲ କୋଠାର ମରାମତି ଓ ରକ୍ଷଣାବେକ୍ଷଣ ସମୟରେ ତାହାର ରଙ୍ଗକୁ ମଧ୍ୟ ବଦଳାଯିବ । ଏନେଇ ସମସ୍ତ ଜିଲ୍ଲାପାଳଙ୍କୁ ଓସେପା ଚିଠି ଲେଖିଛି । ନିର୍ଦ୍ଦେଶାନାମା ଅନୁସାରେ, ସ୍କୁଲ ନିର୍ମାଣ ଓ ମରାମତି ବେଳେ ରଙ୍ଗ ସମାନ ରହିବ। ସ୍କୁଲର ରଙ୍ଗ ଅରେଞ୍ଜ ଟ୍ୟାନ୍-ଏନ୍ ବା ଗେରୁଆ କରିବାକୁ ନିର୍ଦ୍ଦେଶ ହୋଇଛି ।

Advertisment

ନୂଆ ସରକାର ଆସିବା ପରେ ସରକାରୀ କୋଠା ଓ ସ୍କୁଲ ପିଲାଙ୍କ ଡ୍ରେସ ରଙ୍ଗ ବି ବଦଳିଥିଲା । ସରକାରୀ କୋଠା ଗେରୁଆ ହୋଇଥିଲା ପିଲାଙ୍କ ଡ୍ରେସ ବି ବାଦାମୀ ହୋଇଥିଲା । ଗତ ସରକାର ଅମଳରେ ସ୍କୁଲ କୋଠା ଓ ଅଫିସର ରଙ୍ଗ ସବୁଜ ହୋଇଥିଲା । ଏବେ ନୂଆ ସରକାର ଆସିବା ପରେ ସରକାରୀ ଓ ସ୍କୁଲ କୋଠା ଗେରୁଆ କରିବାକୁ ନିଷ୍ପତ୍ତି ନିଆଯାଇଛି । ତେବେ ଏନେଇ ବିଜେପିର ଯୁକ୍ତି ହେଲା ଗେରୁଆ ରଙ୍ଗ ଛାତ୍ରଛାତ୍ରୀଙ୍କ ମନରେ ତ୍ୟାଗ ଓ ଦେଶାତ୍ମବୋଧକ ମନୋଭାବ ସୃଷ୍ଟି କରିବ । ବିଜେଡି କହିଛି, ରଙ୍ଗରେ ନୁହେଁ, ଢଙ୍ଗରେ ପରିବର୍ତ୍ତନ ଆଣନ୍ତୁ ସରକାର ।

ସ୍କୁଲର ରଙ୍ଗ ବଦଳାଇବା ନେଇ ସରକାରୀ ନିଷ୍ପତ୍ତି ପରେ ଜୋରଧରିଛି ରଙ୍ଗ ରାଜନୀତି । ପ୍ରଶ୍ନ ଉଠୁଛି, ଭିତ୍ତିଭୂମି ଓ ଶିକ୍ଷକ ପୂରଣ ଭଳି ସମସ୍ୟାକୁ ସଜଡାଯିବା ବଦଳରେ ରଙ୍ଗ ରାଜନୀତିରେ କାହାର ହେବ ଫାଇଦା ?