କନକ ବ୍ୟୁରୋ: ଦେଶରେ ନିର୍ବାଚନ ଯେତିକି ବ୍ୟୟବହୁଳ ହେବାରେ ଲାଗିଛି, ସେହି ଅନୁସାରେ ରାଜନୈତିକ ଦଳ ମଧ୍ୟ ଦିନକୁ ଦିନ ଧନୀ ହେବାରେ ଲାଗିଛନ୍ତି । ଦେଶରେ ଶାସନ ହାତେଇଥିବା ବିଜେପି ଏବେ ବିଶ୍ୱର ସବୁଠୁ ବଡ଼ ଦଳ ବୋଲି ନିଜକୁ କହୁଥିବାବେଳେ, ତାର ସମ୍ପତ୍ତିକୁ ନେଇ ମଧ୍ୟ ଆସିଛି, ଆଖି ଖୋସି ଦେଲାଭଳି ରିପୋର୍ଟ । ୨୦୨୩-୨୪ ଆର୍ଥିକ ବର୍ଷରେ ବିଜେପିକୁ ମିଳିଛି ୨ ହଜାର ୨ ଶହ ୪୪ କୋଟି ଟଙ୍କାର ରାଜନୈତିକ ଚାନ୍ଦା । ଆଉ ଦେଶରେ ବିରୋଧୀ ଦଳ ଆସନରେ ବସିଥିବା କଂଗ୍ରେସକୁ ମିଳିଛି ମାତ୍ର ୨୮୯ କୋଟି ।
ଖାଲି ସେତିକି ନୁହେଁ, ଓଡ଼ିଶାରେ ମଧ୍ୟ ଦୀର୍ଘ ୨୪ ବର୍ଷ କାଳ କ୍ଷମତାରେ ଥିବା ବିଜୁ ଜନତା ଦଳକୁ ୨୦୨୩-୨୪ ଆର୍ଥିକ ବର୍ଷରେ ମିଳିନି କୌଣସି ବି ରାଜନୈତିକ ଚାନ୍ଦା । ଯାହାକି ଅନେକଙ୍କୁ ଆଶ୍ଚର୍ୟ୍ୟ କରିଛି । ନିର୍ବାଚନ କମିଶନଙ୍କ ରିପୋର୍ଟ ଅନୁସାରେ, ଚଳିତ ବର୍ଷ ବିଜେପିକୁ ମିଳିଛି ମୋଟ ୨ ହଜାର ୨ ଶହ ୪୪ କୋଟି ଟଙ୍କାର ରାଜନୈତିକ ଚାନ୍ଦା । ଯାହାକି ଗତ ବର୍ଷଠାରୁ ପ୍ରାୟ ୩ ଗୁଣା ଅଧିକ । ସେହିପରି କଂଗ୍ରେସକୁ ମଧ୍ୟ ଚଳିତ ବର୍ଷ ମିଳିଛି ୨୮୯ କୋଟି । ଆଉ କେ ଚନ୍ଦ୍ରଶେଖରଙ୍କ ପାର୍ଟି BRSକୁ ମିଳିଛି ୪୯୫ କୋଟି ଟଙ୍କାର ରାଜନୈତିକ ଚାନ୍ଦା ।
ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଓଡ଼ିଶାରେ ବିଜେପି ସରକାର ଆସିବା ପୂର୍ବରୁ, ଲଗାତାର ୨୪ ବର୍ଷ ହେଲା ଶାସନରେ ରହିଥିଲା ବିଜୁ ଜନତା ଦଳ । ଆଉ ଗତ ବର୍ଷ ଆସିଥିବା ଏଡିଆର ରିପୋର୍ଟରେ ବିଜେଡି ଦେଶର ଦ୍ୱିତୀୟ ଧନୀ ଆଞ୍ଚଳିକ ଦଳ ହେବାର ଗୌରବ ମଧ୍ୟ ଅର୍ଜନ କରିଥିଲା । ହେଲେ ଚଳିତ ବର୍ଷ କିନ୍ତୁ ବିଜେଡିକୁ ୨୦ ହଜାର ଟଙ୍କା କିମ୍ବା ତା ଠାରୁ ଅଧିକ ଦାନ ବାବଦରେ ଟଙ୍କାଟିଏ ବି ମିଳିନି । ଗତବର୍ଷ ଆସିଥିବା ରିପୋର୍ଟ ମୁତାବକ, ସେତେବେଳେ ବିଜେଡି ପାଖରେ ପାଖାପାଖି ୩୦୦ ଶହ କୋଟିରୁ ଅଧିକ ଟଙ୍କା ଥିଲେ ବି, ଏଥର କିନ୍ତୁ ରାଜନୈତିକ ଚାନ୍ଦା ବାବଦରେ ଟଙ୍କାଟିଏ ବି ମିଳିନି । ଯାହାକି ଅନେକଙ୍କୁ ଆଶ୍ଚର୍ୟ୍ୟ କରିଛି ।
ତେବେ ଅନ୍ୟ ଆଞ୍ଚଳିକ ଦଳ ମାନଙ୍କ ଭିତରେ ଆପକୁ ଚଳିତ ବର୍ଷ ୧୧ କୋଟି ଟଙ୍କା ଚାନ୍ଦା ମିଳିଥିବାବେଳେ, ଟିଡିପିକୁ ଶହେ କୋଟିରୁ ଅଧିକ ଟଙ୍କା ଆଉ ସମାଜବାଦୀ ପାର୍ଟିକୁ ମିଳିଛି ୩୩ କୋଟିରୁ ଅଧିକ ଟଙ୍କା ।