କନକ ବ୍ୟୁରୋ: ବିଜେପି ରାଜ୍ୟ ସଭାପତି ଓ ରାଷ୍ଟ୍ରୀୟ ପରିଷଦ ସଦସ୍ୟମାନଙ୍କ ନିର୍ବାଚନ ପ୍ରକ୍ରିୟା ଆଜିଠାରୁ ଆରମ୍ଭ ହେବାକୁ ଯାଉଛି । ୩ ଦିନ ଧରି ହେବାକୁ ଥିବା ଏହି ନିର୍ବାଚନ ପ୍ରକ୍ରିୟା ଜୁଲାଇ ୧ ସୁଦ୍ଧା ଶେଷ ହେବ ବୋଲି ରାଜ୍ୟ ନିର୍ବାଚନ ଅଧିକାରୀ ତଥା ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ କହିଛନ୍ତି ।
ନିର୍ବାଚନ ପ୍ରକ୍ରିୟାର ସୁପରିଚାଳନା ଓ ତଦାରଖ କରିବା ପାଇଁ କେନ୍ଦ୍ର ନିର୍ବାଚନ ଅଧିକାରୀଙ୍କ ତରଫରୁ ବିହାର ସାଂସଦ ସଞ୍ଜୟ ଜୟସ୍ୱାଲଙ୍କୁ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତି ଦିଆଯାଇଛି । ନିର୍ବାଚନ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ଜୟସ୍ୱାଲ ଓଡ଼ିଶା ଆସିବେ । ପ୍ରତି ୩ ବର୍ଷରେ ଥରେ ଭାରତୀୟ ଜନତା ପାର୍ଟିର ସାଙ୍ଗଠନିକ ନିର୍ବାଚନ ପ୍ରକ୍ରିୟା ହୋଇଥାଏ । ବିଜେପିର ସ୍ଥାନୀୟ ସମିତି, ମଣ୍ଡଳ ସମିତି, ଜିଲ୍ଲା ସମିତି ନିର୍ବାଚନ ପ୍ରକ୍ରିୟା ଶେଷ ହୋଇଛି ।