କନକ ବ୍ୟୁରୋ: ପଦ୍ମ ହେଉ କି ହାତ । ଦୁଇ ଦଳକୁ ଘାରିଛି ସଭାପତି ଚିନ୍ତା । ରାଜ୍ୟରେ କିଏ ଏ ଦୁଇ ଦଳର ନେତା ହେବ? କିଏ ଏ ଦୁଇ ଦଳର ସଙ୍ଗଠନ ସମ୍ଭାଳିବ ତାକୁ ନେଇ ଏବେ ବି ଦ୍ୱନ୍ଦ୍ୱ ଦୂର ହେଇନି । ଯାହାକୁ ନେଇ ସାଧାରଣ କର୍ମୀଙ୍କଠୁ ଆରମ୍ଭ କରି, ନେତା ପର୍ଯ୍ୟନ୍ତ ସମସ୍ତେ ଚିନ୍ତାରେ ।

Advertisment

ସାଧାରଣ ନିର୍ବାଚନକୁ ଏହା ଭିତରେ ୭ ମାସ ହେଲାଣି, ରାଜ୍ୟରେ ନୂଆ ବିଜେପି ସରକାର ଆସି ଶାସନ ବି କଲାଣି । କୁହାଯାଉଥିଲା ନୂଆବର୍ଷରୁ ରାଜ୍ୟ ବିଜେପି ନୂଆ ସଭାପତି ପାଇବ, ଆଉ ମୋହନ ମାଝୀଙ୍କ ସହ ନୂଆ ସଭାପତି ମିଶି, ଦଳକୁ ଆହୁରି ଶକ୍ତିଶାଳୀ କରିବେ । ହେଲେ ନୂଆବର୍ଷ ପୂରି, ଜାନୁଆରୀ ଅଧା ହେଲେ ବି, ବିଜେପିକୁ ମିଳିପାରିନି, ନୂଆ ସଭାପତି । କୁହାଯାଉଛି, ମଣ୍ଡଳ ସଭାପତି, ଜିଲ୍ଲା ସଭାପତି ନି ଯୁକ୍ତି ହେଇନଥିବାରୁ, ରାଜ୍ୟ ସଭାପତି ନିର୍ବାଚନ ବିଳମ୍ବ ହେଉଛି ।

ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ବିଜେପିର ନୂଆ ସଭାପତି ଭାବେ ମନମୋହନ ରିପିଟ୍ ହେବେ, ନା ଆଉ କେଉଁ ନୂଆ ଫେସକୁ ସାମ୍ନାକୁ ଆଣିବ ପଦ୍ମ ଦଳ । ତାହା ହିଁ ସବୁଠୁ ବଡ଼ ପ୍ରଶ୍ନ । ମନମୋହନ ସଭାପତି ଥିବାବେଳେ, ଦଳ ୨୪ ବର୍ଷର ଶାସନକୁ ହଟେଇ, କ୍ଷମତାକୁ ଆସିଛି । ଆଉ ରାଜ୍ୟରେ ନୂଆକରି ସରକାର ବି ଗଢିଛି । ତେଣୁ କିଛି ନେତା ତାଙ୍କୁ ପୁଣିଥରେ ସଭାପତି କରିବାକୁ ଅଡ଼ି ବସିଛନ୍ତି । ସେପଟେ ଜଣେ ୟଙ୍ଗ୍ ନେତାଙ୍କୁ ସାମ୍ନାକୁ ଆଣି, ସଙ୍ଗଠନ ଦାୟିତ୍ୱ ଦେବାକୁ କିଛି ନେତା ଦାବି କରୁଥିବା ଜଣାପଡିଛି ।

ରାଜ୍ୟରେ ବିଜେପିଠୁ କଂଗ୍ରେସ ଦଳର ଅବସ୍ଥା ଆହୁରି ସଙ୍ଗୀନ । ନିର୍ବାଚନ ଶେଷ ହେବା ପରେ, ଏଯାଏଁ ଦଳକୁ ମିଳିପାରିନି ନୂଆ ମୁଖିଆ । ନିର୍ବାଚନରେ ଦଳର ଶୋଚନୀୟ ପରାଜୟ ଦେଖି, ଜୁଲାଇ ୨୧ରେ ପିସିସିର ସମସ୍ତ କମିଟିକୁ ଭାଙ୍ଗି ଦେଇଥିଲା ଏଆଇସିସି । ତା ପରେ ଗଢା ଷ୍ଟିୟରିଂ କମିଟି ମଧ୍ୟ କୋମା ଷ୍ଟେଜରେ...ଏଭଳି ସ୍ଥିତିରେ ଛତିଶଗଡ଼ରେ ନିର୍ବାଚନ ହାରିବା ପରଠୁ ପ୍ରଭାରୀ ଅଜୟ କୁମାର ମଧ୍ୟ ଓଡ଼ିଶା ଆସିନାହାଁନ୍ତି । ତେଣୁ ଏତେ ସବୁ ରାଜନୀତି ଗୋଳିଆ ପାଣି ଭିତରେ, କଂଗ୍ରେସରେ ସ୍ଥିର ହେଇପାରିନି ସଭାପତି କିଏ ? ପିସିସି ରେସରେ ଏକାଧିକ ନେତା ଥିଲେ ବି, ହାଇକମାଣ୍ଡ କାହା ଉପରେ ବିଶ୍ୱାସ କରୁଛନ୍ତି, ତାହା ସବୁଠୁ ବଡ଼ ପ୍ରଶ୍ନ ।

ଏ ସବୁ ପରେ ବି, ଖୁବଶୀଘ୍ର ରାଜ୍ୟ ବିଜେପିକୁ ନୂଆ ସଭାପତି ମିଳିବା ସହ, ରାଜ୍ୟ କଂଗ୍ରେସକୁ ମୁଖିଆ ମିଳିପାରେ ବୋଲି ଚର୍ଚ୍ଚା ହେଉଛି । ତେବେ ଏ ଦୁଇ ଦଳକୁ କେବେ ନିଜର ନୂଆ ନେତା ମିଳୁଛି, ତାହା ହିଁ ଦେଖିବାକୁ ବାକି ରହିଲା ।