କନକ ବ୍ୟୁରୋ : ହରିୟାଣା ବିଧାନସଭା ନିର୍ବାଚନ ଫଳାଫଳ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି । ସମସ୍ତ ଏକଜିଟ୍ ପୋଲ ଫେଲ ମାରିଛି । ବିଜେପି ଲଗାତାର ତୃତୀୟଥର ପାଇଁ ସରକାର ଗଢିବାକୁ ଯାଉଛି । କୁହାଯାଉଛି ବିଜେପି ଚାଣକ୍ୟ ଅମିତ ଶାହାଙ୍କ ଫର୍ମୁଲା ହରିୟାଣାରେ ବିଜେପିକୁ ବିଜୟ କରିଛି । କେବଳ ହରିୟାଣା ନୁହେଁ ଏହି ଫର୍ମୁଲା ଆଉ ତିନୋଟି ରାଜ୍ୟରେ ବିଜେପିକୁ ଆଗକୁ ନେବାରେ ସହାୟକ ହୋଇଛି । ବିଗତ ୧୦ ବର୍ଷ ହେବ ବିଜେପି ହରିୟାଣାରେ କ୍ଷମତାରେ ଥିଲା । ଚଳିତ ନିର୍ବାଚନ ପାଇଁ କିଛି ଏପରି ପ୍ରସଙ୍ଗ ଥିଲା ଯାହା ବିଜେପିକୁ କ୍ଷତି ପହଞ୍ଚାଉଥିବା ପରି ମନେହେଉଥିଲା । କିନ୍ତୁ ୭ମାସ ପୂର୍ବରୁ ଚାଣକ୍ୟଙ୍କ ଚାଲ୍ କଂଗ୍ରେସକୁ ଚଳିତ ବିଧାନସଭା ନିର୍ବାଚନରେ ଚିତ୍ କରିଦେଇଛି ।
ହରିୟାଣା ବିଧାନସଭା ନିର୍ବାଚନର ୭ମାସ ପୂର୍ବରୁ ଅଚାନକ ତତ୍କାଳୀନ ମୁଖ୍ୟମନ୍ତ୍ରୀ ମନୋହରଲାଲ୍ ଖଟ୍ଟରଙ୍କୁ ହଟାଇ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲା ବିଜେପି । ଯଦିଓ ୨୦୧୯ରେ ଖଟ୍ଟରଙ୍କ ନେତୃତ୍ୱରେ ବିଜେପି ନିର୍ବାଚନ ଲଢିଥିଲା କିନ୍ତୁ ସଂଖ୍ୟାଗରିଷ୍ଠତା ହାସଲ କରିବାରେ ସଫଳ ହୋଇପାରିନଥିଲା । ଜେଜେପି ସହଯୋଗରେ ବିଜେପି ସରକାର ଗଠନ କରିବାରେ ସଫଳ ହୋଇଥିଲା । ୨୦୨୪ରେ କିନ୍ତୁ ବିଜେପି କୌଣସି ରିସ୍କ ନେବାକୁ ଚାହୁଁନଥିଲା । ତେଣୁ ନିର୍ବାଚନର ୭ମାସ ପୂର୍ବରୁ ଖଟ୍ଟରଙ୍କୁ ହଟାଇ ନାୟବ ସିଂହ ସୈନିଙ୍କୁ ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବେ ବାଛିଥିଲା ଦଳ । ସୈନିଙ୍କ ନେତୃତ୍ୱରେ ହରିୟାଣା ବିଧାନସଭା ନିର୍ବାଚନ ମୈଦାନକୁ ଓହ୍ଲାଇଥିଲା ବିଜେପି । ଏକ ନୂଆ ଚେହେରା ନେଇ ଲୋକଙ୍କ ନିକଟତର ହୋଇଥିଲା । ଏହାର ଫଳାଫଳ ଏବେ ଦେଖିବାକୁ ମିଳିଛି । ହରିୟାଣା ସମେତ ୪ଟି ରାଜ୍ୟରେ ହିଟ୍ ହେଲା ଚାଣକ୍ୟଙ୍କ ପର୍ମୁଲା ।
ନିର୍ବାଚନ ପୂର୍ବରୁ ସିଏମ ପରିବର୍ତ୍ତନ ଏବଂ ନୂଆ ଚେହେରା ସହ ଜନସାଧାରଣଙ୍କ ନିକଟକୁ ଯିବା ଫର୍ମୁଲା ବିଜେପି ପାଇଁ ନୂଆ ନୁହେଁ । ଏହା ପୂର୍ବରୁ ମଧ୍ୟ ବିଜେପି ଅନେକ ରାଜ୍ୟରେ ଏହି ଫର୍ମୁଲା ଆପଣାଇ ସଫଳ ହୋଇଥିଲା । ଉତ୍ତରାଖଣ୍ଡ, ତ୍ରିପୁରା ଏବଂ ଗୁଜରାଟରେ ମଧ୍ୟ ବିଜେପି ସମାନ ଫର୍ମୁଲା ଆପଣାଇଥିଲା । ଗୁଜରାଟରେ ନିର୍ବାଚନ ପୂର୍ବରୁ ବିଜୟ ରୁପାଣୀଙ୍କୁ ହଟାଇ ଭୁପେନ୍ଦ୍ର ପଟେଲଙ୍କ ନେତୃତ୍ୱରେ ନିର୍ବାଚନ ଲଢିଥିଲା ବିଜେପି । ସେହିପରି ଉତ୍ତରାଖଣ୍ଡରେ ତିରଥ ସିଂ ରାୱତଙ୍କୁ ହଟାଇ ପୁଷ୍କର ସିଂ ଧାମୀଙ୍କୁ ଦାୟିତ୍ୱ ଦିଆଯାଇଥିଲା । ତ୍ରିପୁରାରେ ବି ସେହିଭଳି ନିର୍ବାଚନ ପୂର୍ବରୁ ବିପ୍ଳବ ଦେବଙ୍କୁ ହଟାଇ ମାଣିକ ଶାହାଙ୍କୁ ଦାୟିତ୍ୱ ଦିଆଯାଇଥିଲା ।