କନକ ବ୍ୟୁରୋ : ବେଲଗାଭି ଅଧିବେଶନରେ କଂଗ୍ରେସର ପୋଷ୍ଟରକୁ ନେଇ ଘମାସାନ। ପୋଷ୍ଟରରେ ଭାରତର ବିକୃତ ମାନଚିତ୍ରକୁ ସ୍ଥାନ ଦିଆଯାଇଥିବା ଦେଖିବାକୁ ମିଳିଛି । ଏଭଳି ପୋଷ୍ଟର ସାମ୍ନାକୁ ଆସିବା ପରେ ପୂରା ଦେଶରେ ରାଜନୈତିକ ମାହୋଲ ଗରମ ହୋଇଛି । ପୋଷ୍ଟରରେ କଂଗ୍ରେସ କାଶ୍ମୀରକୁ ପାକିସ୍ତାନର ଏକ ଅଂଶ ଭାବରେ ଦର୍ଶାଇଛି ବୋଲି ବିଜେପି ଅଭିଯୋଗ କରିଛି । ସେପଟେ ଏହି ପ୍ରସଙ୍ଗରେ ବିଜେପିର ଅଭିଯୋଗକୁ ନେଇ ଜବାବ ରଖିଛି କଂଗ୍ରେସ ।
କର୍ଣ୍ଣାଟକ ବେଲଗାଭୀ ଅଧିବେଶନରେ କଂଗ୍ରେସର ଏହି ବିବାଦୀୟ ପୋଷ୍ଟରକୁ ନେଇ ଘମାସାନ। ସମ୍ମିଳନୀ ପାଇଁ ଲାଗିଥିବା ବ୍ୟାନରରେ ଭାରତ ମାନଚିତ୍ର ତ ଅଛି, ହେଲେ ଏଥିରେ ପାକିସ୍ତାନ ଅଧିକୃତ କାଶ୍ମୀର ଏବଂ ଆକସାଇ ଚୀନ୍ ନଥିବା ଦେଖିବାକୁ ମିଳିଛି । ଏହାକୁ ନେଇ କଂଗ୍ରେସକୁ ଘେରିଛି ବିଜେପି, ପୋଷ୍ଟରରେ କଂଗ୍ରେସ କାଶ୍ମୀରକୁ ପାକିସ୍ତାନର ଏକ ଅଂଶ ଭାବରେ ଦର୍ଶାଇଛି ବୋଲି ଦଳ ଅଭିଯୋଗ କରିଛି । କଂଗ୍ରେସ ଦ୍ୱିତୀୟ ମୁସଲିମ ଲିଗର ଭୂମିକା ନିଭାଉଥିବା ବେଳେ ପୁଣିଥରେ ଭାରତ ଭାଙ୍ଗିବାକୁ ଚାହୁଁଛି ବୋଲି ବିଜେପି ନେତାମାନେ ଅଭିଯୋଗ କରିଛନ୍ତି ।
ସେପଟେ ଏହି ପ୍ରସଙ୍ଗରେ ବିଜେପିର ଅଭିଯୋଗକୁ ନେଇ ଜବାବ ରଖିଛି କଂଗ୍ରେସ। ଇତିହାସ ସର୍ମ୍ପକରେ ଅବଗତ ନଥାଇ ମିଥ୍ୟା ଖବର ସୃଷ୍ଟି କରିବା ମିଥ୍ୟା ପ୍ରଚାର କରିବା ବିଜେପିର କାର୍ଯ୍ୟ । ଆରଏସଏସ ଏବଂ ବିଜେପି ଏପରି କରି ଦେଶରେ ଘୃଣା ସୃଷ୍ଟି କରୁଥିବା ଦଳ ଅଭିଯୋଗ କରିଛି । ମୋଦୀଙ୍କ ନେତୃତ୍ବରେ ଚାଲିଥିବା ଏକଛତ୍ରବାଦ ଶାସନର ଅନ୍ତ ପାଇଁ କର୍ଣ୍ଣାଟକର ବେଲଗାଭୀରୁ ହିଁ ନବ ସତ୍ୟାଗ୍ରହର ଆରମ୍ଭ ହେବ ବୋଲି ଦଳର ନେତାମାନେ କହିଛନ୍ତି ।
୧୯୨୪ ମସିହାରେ ମହାତ୍ମା ଗାନ୍ଧୀଙ୍କ କଂଗ୍ରେସ ସଭାପତି ପଦ ଗ୍ରହଣ କରିବାର ୧୦୦ ତମ ବାର୍ଷିକୀ ଅବସରରେ କର୍ଣ୍ଣାଟକର ବେଲାଗାଭିରେ କଂଗ୍ରେସ ପାର୍ଟି ସିଡବ୍ଲୃସି ଏକ ସ୍ୱତନ୍ତ୍ର ବୈଠକ ଆୟୋଜନ କରିଛି। ଦୁଇ ଦିନ ଧରି ଚାଲିବାକୁ ଥିବା ଏହି ବୈଠକରେ ଦଳର ଶୀର୍ଷ ନେତୃତ୍ବ ସାମିଲ ହୋଇଛନ୍ତି।