କନକ ବ୍ୟୁରୋ : ବିଜେପି କହୁଛି ଚିଟଫଣ୍ଡ ଟଙ୍କା ଫେରାଯିବ, କିନ୍ତୁ ସରକାର କିଛି କହୁନାହାନ୍ତି । ଆଜି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ କ୍ଷତିଗ୍ରସ୍ତକୁ ଶୀଘ୍ର ଟଙ୍କା ଫେରାଯିବ ଓ ସରକାର ଏଥିପାଇଁ ଚିନ୍ତା କରୁଛନ୍ତି ବୋଲି ଆଶ୍ୱାସନା ଦେଇଛନ୍ତି । ବିରୋଧୀ ବିଜେପି ସଭାପତିଙ୍କ ମନ୍ତବ୍ୟକୁ କଟାକ୍ଷ କରିଥିବାବେଳେ ସରକାର କିଛି ନକହିବା ସମସ୍ତଙ୍କୁ ଦ୍ୱନ୍ଦ୍ୱରେ ପକାଇଛି ।
ମୁଖ୍ୟମନ୍ତ୍ରୀଙ୍କ ବୟାନ ପରେ ଚିଟଫଣ୍ଡ ଜାମାକାରୀଙ୍କ ମଧ୍ୟରେ ଏବେ ନୂଆ ଆଶା ସଞ୍ଚାର ହୋଇଛି । ଏବେ ୧୦ ବର୍ଷର ଅପେକ୍ଷା ପରେ ମିଳିବ କି କଷ୍ଟ ଉପାର୍ଜିତ ଟଙ୍କା ? ସରକାର ଆରମ୍ଭ କରିବେ କି ପ୍ରକ୍ରିୟା ? ଏହାକୁ ନେଇ ଜୋରଦାର ଆଲୋଚନା ଆରମ୍ଭ ହୋଇଛି । ରାଜ୍ୟ ବିଜେପି ସଭାପତି ବି ଏ ନେଇ ସକରାତ୍ମକ ସଙ୍କେତ ଦେଇଛନ୍ତି । କହିଛନ୍ତି, ଖୁବଶୀଘ୍ର କ୍ଷତିଗ୍ରସ୍ତଙ୍କୁ ଫେରସ୍ତ ହେବ ଟଙ୍କା । କ୍ଷତିଗ୍ରସ୍ତଙ୍କୁ ଟଙ୍କା ଫେରାଇବା ପାଇଁ ସରକାର ଚିନ୍ତା କରୁଛନ୍ତି । ଖୁବଶୀଘ୍ର ନୀତିଗତ ନିଷ୍ପତ୍ତି ନିଆଯାଇ ପୂରା ପ୍ରକ୍ରିୟାକୁ ଶେଷ କରାଯିବ । ପୂର୍ବ ସରକାରଙ୍କୁ ବି ଟାର୍ଗେଟ କରିଛନ୍ତି ମନମୋହନ ସାମଲ ।
୨୦୧୩-୧୪ ମସିହାରେ ରାଜ୍ୟରେ ଚିଟଫଣ୍ଡ ଦୁର୍ନୀତି ହଇଚଇ ସୃଷ୍ଟି କରିଥିଲା । ସାରଦା, ଏଟି, ସିସୋର ଭଳି ପ୍ରାୟ ୧୬୩ଟି ଚିଟଫଣ୍ଡ କମ୍ପାନି ରାଜ୍ୟରେ ଜମାକାରୀଙ୍କୁ ଠକିଥିଲେ । ୨୦୧୪ରେ ସୁପ୍ରିମକୋର୍ଟ ୪୪ଟି କମ୍ପାନି ବିରୋଧରେ ସିବିଆଇ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ । ପ୍ରାୟ ୫ ହଜାର କୋଟିର ଦୁର୍ନୀତି ହୋଇଥିଲା । ୨୦୧୩ ଜୁଲାଇରେ ଜଣିକିଆ ଚିଟଫଣ୍ଡ କମିଶନ ଗଠନ କରିଥିଲେ ସରକାର । ସ୍ୱଳ୍ପ ଜମାକାରୀଙ୍କ ମଧ୍ୟରୁ ଅଳ୍ପ କେତେଜଣଙ୍କୁ ଟଙ୍କା ଫେରସ୍ତ ମିଳିଛି । କଟକସ୍ଥିତ କମିଶନଙ୍କ ଅଫିସରେ ଆବେଦନକାରୀଙ୍କ ଫାଇଲ ଉଈ ଖାଇଲାଣି । ଏବେ ଜମାକାରୀଙ୍କୁ ଟଙ୍କା ମିଳିବ ବୋଲି ସରକାର ଆଶ୍ୱାସନା ଦେବା ପରେ ତେଜିଛି ରାଜନୀତି ।
୨୦୨୪ ଭୋଟବେଳେ ଚିଟଫଣ୍ଡ ଟଙ୍କା ଫେରାଇବକୁ ବିଜେପି ପ୍ରତିଶ୍ରୁତି ଦେଇଥିଲା । ନିର୍ବାଚନ ଇସ୍ତାହାରରେ ପ୍ରସଙ୍ଗ ସ୍ଥାନ ପାଇଥିଲା । ଏବେ ଜମାକାରୀ ଟଙ୍କା ଫେରିପାଇବାକୁ ଆଶା ବାନ୍ଧି ବସିଛନ୍ତି ।