କନକ ବ୍ୟୁରୋ: କେନ୍ଦ୍ରାପଡ଼ାରେ କମୁଛି ବିଜେଡିର ଦବଦବା । ଏକଦା ବିଜେଡିର ଗଡ଼ କୁହାଯାଉଥିବା ମହାକାଳପଡ଼ା ବ୍ଲକର ଅଧ୍ୟକ୍ଷ ପଦ ବିଜେପି ହାତକୁ ଆସିଛି । ଗତ କିଛି ଦିନ ଧରି ଚର୍ଚ୍ଚାର ବିଷୟବସ୍ତୁ ପାଲଟିଥିବା ମହାକାଳପଡ଼ା ବ୍ଲକର ରୋଚକ ରାଜନୀତି ପ୍ରସଙ୍ଗ ଏବେ ରାଜନୈତିକ ମହଲରେ ପାଲଟିଛି ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ।
ଶେଷର ଅନାସ୍ଥାର ସମ୍ମୁଖୀନ ହୋଇ ପରାସ୍ତ ହୋଇଛନ୍ତି ମହାକାଳପଡ଼ା ବ୍ଲକ ପୌରାଧ୍ୟକ୍ଷା କଳ୍ପନା ରାଉତ । ଦୀର୍ଘଦିନ ଧରି ଲାଗିରହିଥିବା ଅଚଳାବସ୍ଥା ଦୂର ହୋଇଛି । ଭୁଶୁଡ଼ି ପଡ଼ିଛି ବିଜେଡିର ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ଅତନୁ ସବ୍ୟସାଚୀଙ୍କ ଗଡ଼ । ମାତ୍ର ୧୧ ମାସର ବିଧାୟକ ଡ. ଦୁର୍ଗାପ୍ରସାଦ ନାୟକଙ୍କ ଚତୁର ଗୋଟି ଚାଳନା ଆଗରେ ଫେଲ୍ ମାରିଛି ଦୀର୍ଘ ୨୫ ବର୍ଷର ଅଭିଜ୍ଞତା । ସମିତିସଭ୍ୟ ଓ ସରପଞ୍ଚଙ୍କୁ ନିଜ ନିୟନ୍ତ୍ରଣରେ ରଖିବାରେ ସଫଳ ହୋଇ ପାରିନାହାନ୍ତି ଅତନୁଙ୍କ ଏକାନ୍ତ ଅନୁଗତ କୁହାଯାଉଥିବା କଳ୍ପନା ରାଉତ ।
ମାର୍ଚ୍ଚ ୨୦ରୁ ଆରମ୍ଭ ହୋଇଥିଲା ବିଜେଡିକୁ ଧରାଶାୟୀ କରିବା ପର୍ବ । ସେହି ମାସ ୨୦ ତାରିଖରେ ପୌରାଧ୍ୟକ୍ଷଙ୍କ ବିରୋଧରେ ଆଣିଥିଲେ ଅନାସ୍ଥା ଆଣିଥିଲେ ୪୩ ସମିତିସଭ୍ୟ । ମାର୍ଚ୍ଚ ୨୯ରେ ଦସ୍ତଖତ ଯାଞ୍ଚ ଓ ଏପ୍ରିଲ ୫ରେ ଭୋଟ୍ ପାଇଁ ଡାକିଥିଲେ ଉପଜିଲ୍ଲାପାଳ । ଅନାସ୍ଥା ସପକ୍ଷରେ ଆବଶ୍ୟକ ଭୋଟ୍ ନଥିବାରୁ ଅସୁସ୍ଥତାର ବାହାନା ଦେଖାଇ ଆସିନଥିଲେ ସମିତିସଭ୍ୟ । ତେଣୁ ଦିନ ପରେ ଦିନ ଗଡ଼ି ଚାଲିଥିଲା । ଶେଷରେ ଭୋଟ୍ ପାଇଁ ଆଜିର ତାରିଖକୁ ବଛା ଯାଇଥିଲା । ମୋଟ ୬୨ ସରପଞ୍ଚ ଓ ସମିତିସଭ୍ୟଙ୍କ ମଧ୍ୟରୁ ଅନାସ୍ଥା ସପକ୍ଷରେ ପଡ଼ିଥିଲା ୪୯ ଭୋଟ୍ । ସେ ମଧ୍ୟରୁ ୪୦ଜଣ ପୂର୍ବରୁ ଅତନୁଙ୍କ ସମର୍ଥକ ଥିଲେ । ଫଳରେ ପୌରାଧ୍ୟକ୍ଷାଙ୍କୁ ହରାଇବାକୁ ପଡ଼ିଛି ନିଜ ଆସନ। ନିଜେ କଳ୍ପନାଙ୍କ ସମେତ ତାଙ୍କ ସପକ୍ଷବାଦୀ ସମିତିସଭ୍ୟ ଓ ସରପଞ୍ଚ ଅସୁସ୍ଥତାର ବାହାନା କରି ଭୋଟକୁ ଆସିନଥିଲେ । ଅନାସ୍ଥା ପରେ ଏବେ ସାନି ନିର୍ବାଚନ ଉପରେ ସମସ୍ତଙ୍କ ଆଖି । କିଏ ହାତେଇବ ଅଧ୍ୟକ୍ଷ ପଦବୀ, ତାହାକୁ ନେଇ ଚର୍ଚ୍ଚାରେ ମହାକାଳପଡ଼ା ବ୍ଲକ ।