କନକ ବ୍ୟୁରୋ: ଗନ୍ଧମାର୍ଦ୍ଦନରେ ଆଦାନୀରେ ଜମିକିଣାକୁ ନେଇ ବିଧାନସଭାରେ ମୁହାଁମୁହିଁ ହୋଇଛନ୍ତି ବିଜେପି-ବିଜେଡି । ବିରୋଧୀଦଳକୁ ଘେରିଛନ୍ତି ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ । ତତାକାଳୀନ ସରକାର ହିଁ ଆଦାନୀକୁ ଜମି ଦେଇଛନ୍ତି ବୋଲି ସେ ଅଭିଯୋଗ ଆଣିଛନ୍ତି । ଗନ୍ଧମାର୍ଦ୍ଦନକୁ କାହାକୁ ବି ଦିଆଯିବ ନାହିଁ ଓ ଖଣି ଉତ୍ତୋଳନ ହେଲେ ସେ ଆନ୍ଦୋଳନକୁ ଓହ୍ଲାଇବେ ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ ।
କିଛି ଦିନହେଲା ଆଦାନୀକୁ ନେଇ ଦେଶରୁ ରାଜ୍ୟ ଯାଏଁ ଚର୍ଚ୍ଚା ଚାଲିଛି । ଓଡିଶାରେ ଆଦାନୀରେ ଜମିକିଣାକୁ ନେଇ ଲଗାତାର ଭାବେ ବିଜେଡି ପ୍ରସଙ୍ଗ ଉଠାଇ ଆସୁଛି । ଆଜି ଏ ନେଇ ଶୂନ୍ୟକାଳରେ ମୁହାଁମୁହଁ ହୋଇଛନ୍ତି ଶାସକ-ବିରୋଧୀ । ବିଜେଡିକୁ ହରଡଘଟଣାରେ ପକାଇଛନ୍ତି କେଭି, ସିଂହଦେଓ। ବିଜେଡି ସରକାର ସମୟରେ ଆଦାନୀକୁ ଜମି ଦିଆଯାଇଛି ବୋଲି ସାଂଘାତିକ ଅଭିଯୋଗ ଆଣିଛନ୍ତି ଉପମୁଖ୍ୟମନ୍ତ୍ରୀ । କେଭି କହିଛନ୍ତି, ଆଦାନୀକୁ ଜମି କିଣିବା ଲାଗି ବିଜେଡି ସରକାର ଅନୁମତି ଦେଇଥିଲେ। ବିଜେଡି ପ୍ରଥମେ ଭୁଲ ସ୍ବୀକାର କରୁ । ଗନ୍ଧମାର୍ଦ୍ଦନ ପାହାଡରେ କିଛି କରିବାକୁ କାହାରିକୁ ବି ଅନୁମତି ଦିଆଯିବନି ବୋଲି ଉପମୁଖ୍ୟମନ୍ତ୍ରୀ ସ୍ପଷ୍ଟ କରିଦେଇଛନ୍ତି ।
ଶୂନ୍ୟକାଳରେ ବିରୋଧୀ ଦଳ ଉପନେତା ପ୍ରସଙ୍ଗ ଉଠାଇଥିଲେ । ସେ ସରକାରକୁ ପ୍ରଶ୍ନ କରିଥିଲେ
-ସରକାର ଆଦାନୀକୁ ଅନୁମତି ଦେଇଛନ୍ତି କି?
-ଯଦି କମ୍ପାନୀ ଜମି କିଣିଛି କାର୍ଯ୍ୟାନୁଷ୍ଠାନ ନେବେ କି?
-ଗନ୍ଧମାର୍ଦ୍ଦନ ପାହାଡରୁ ବକ୍ସାଇଟ ଖନନ ପାଇଁ କାହାକୁ ଦେବାକୁ ଲକ୍ଷ୍ୟ ରଖିଛନ୍ତି କି?
ଏ ନେଇ ରାଜ୍ୟ ସରକାର ସ୍ପଷ୍ଟୀକରଣ ରଖନ୍ତୁ ବୋଲି ଦାବି କରିଥିଲେ ବିରୋଧୀଦଳ ଉପନେତା । ବିଧାନସଭାରେ ଗନ୍ଧମାର୍ଦ୍ଦନ ତାତି ମଧ୍ୟରେ ରାଜସ୍ବମନ୍ତ୍ରୀ ସୁରେଶ ପୂଜାରୀ ବି ସ୍ପଷ୍ଟ କରିଛନ୍ତି ଗନ୍ଧମାର୍ଦ୍ଦନରେ ଖଣି ଉତ୍ତୋଳନ ପାଇଁ ପ୍ରସ୍ତାବ ନାହିଁ ।
ଗନ୍ଧମାର୍ଦ୍ଦନରେ ଆଦାନୀଙ୍କ କମ୍ପାନୀ ନାଁରେ ଜମି କିଣାଯିବା ନେଇ ଖବର ସାମନାକୁ ଆସିବା ପରେ ସ୍ଥାନୀୟ ଅଂଚଳରେ ଅସନ୍ତୋଷ ବଢ଼ିବାରେ ଲାଗିଛି।