କନକ ବ୍ୟୁରୋ :  ସରକାର ବଦଳିବା ପରେ ବ୍ଲକସ୍ତରରେ ବଡ଼ ଧରଣର ଅଦଳବଦଳ ପାଇଁ ଉଦ୍ୟମ ଚାଲିଛି । ବିଜେଡି ଗଡ଼ ଥିବା ସ୍ଥାନରେ ସିନ୍ଧି କରି ପଞ୍ଚାୟତ ଦଖଲ ପାଇଁ ଜୋରଦାର ହେଲାଣି ବଳ କଷାକଷି । ଆଉ ଏହାକୁ ନେଇ ବିଭିନ୍ନ ଜିଲ୍ଲାର ବ୍ଲକସ୍ତରରେ ଦଳୀୟ ରାଜନୀତିର ରୋଚକ ଲଢ଼େଇ ଦେଖିବାକୁ ମିଳୁଛି । 

Advertisment

ଆଗକୁ ପଞ୍ଚାୟତ ନିର୍ବାଚନ ଆସୁଛି । ବ୍ଲକ ଦଖଲ ପାଇଁ ବିଜେଡି-ବିଜେପିର ବଳ କଷାକଷି ଚଳିତ ସପ୍ତାହରେ ରାଜ୍ୟ ରାଜନୀତିକୁ ସରଗରମ କରିଛି । ମହାକାଳପଡ଼ା ବ୍ଲକରେ ପୂର୍ବତନ ମନ୍ତ୍ରୀ ଅତନୁ ସବ୍ୟସାଚୀଙ୍କୁ ମାତ ଦେଇଛନ୍ତି ବିଜେପି ବିଧାୟକ ଦୁର୍ଗାପ୍ରସାଦ ନାୟକ। ପୌରଧ୍ୟକ୍ଷା କଳ୍ପନା ରାଉତ ଅନାସ୍ଥା ଭୋଟରେ ହାରି ପଦ ହରାଇଛନ୍ତି । ଏବେ ସାନି ନିର୍ବାଚନରେ କିଏ ବାଜିମାରିବ ତାକୁ ନେଇ ଛକାପଞ୍ଝା ଚାଲିଛି । ନିଶ୍ଚିନ୍ତକୋଇଲି ବ୍ଲକ ଅଧ୍ୟକ୍ଷା ରୋଜି ସେଠୀଙ୍କ ବିରୋଧରେ ଆସିଥିବା ଅନାସ୍ଥା ପ୍ରସ୍ତାବ କାଟ ଖାଇଛି । ଆବଶ୍ୟକୀୟ କରୋମ ନହେବାରୁ ଆସ୍ଥାଭୋଟ ହୋଇପାରି ନାହିଁ । ସେପଟେ କୋରାପୁଟ ଜିଲ୍ଲା ପଟାଙ୍ଗୀ ପଞ୍ଚାୟତ ସମିତି ଅଧ୍ୟକ୍ଷାଙ୍କ ବିରୋଧରେ ମଧ୍ୟ ଅନାସ୍ଥା ପ୍ରସ୍ତାବ ଆସିଛି । ତଦନ୍ତ ପରେ ପଦକ୍ଷେପ ନେବେ ବୋଲି ଜିଲ୍ଲାପାଳ କହିଛନ୍ତି ।       

ଯେଉଁ ବ୍ଲକ ବିଜେଡି ଦଖଲରେ ଅଛି , ସେସବୁ ବ୍ଲକରେ ସମିତି ସଭ୍ୟଙ୍କୁ ହାତ କରି ଅନାସ୍ଥା ଆଣି ବ୍ଲକ ଦଖଲ ଉଦ୍ୟମ କରୁଛି ବିଜେପି । ତୃଣମୂଳସ୍ତରରେ ସୁଦୃଢ ଥିବା ବିଜେଡିର ସଂଗଠନ କ୍ଷମତା ଯିବା ପରେ ହୁଗୁଳା ହେଉଛି । ଏହାର ଫାଇଦା ନେବାକୁ ବିଜେପି ଜୋରସୋର ଉଦ୍ୟମ କରୁଛି । ଏହାକୁ ନେଇ ରାଜନୈତିକ ବିଶ୍ଲେଷକ ପ୍ରତିକ୍ରିୟା ଦେଇ କହିଛନ୍ତି ସରକାର ଓ ସଂଗଠନ ମଧ୍ୟରେ ସମନ୍ୱୟ ରହୁନଥିବାରୁ ଅନାସ୍ଥା ପ୍ରସ୍ତାବ କାଟ ଖାଇଯାଉଛି । ପଞ୍ଚାୟତ ନିର୍ବାଚନ ପାଇଁ ବିଜେପିର ବ୍ଲକ ଦଖଲ ରଣନୀତି ଦଳର ସାଂଗଠନିକ ଶକ୍ତିକୁ କେତେ ସୁଦୃଢ କରୁଛି ତାହା ସମୟ କହିବ ।