କନକବ୍ୟୁରୋ : ଦିଲ୍ଲୀ ନିର୍ବାଚନ ପୂର୍ବରୁ ବିରୋଧୀଙ୍କ ବହ୍ମୋସ୍ତ୍ର ପାଲଟିଛି ଯମୁନା ନଦୀ  ପ୍ରସଙ୍ଗ ।ଆମ ଆଦମୀ ପାର୍ଟି ମୁଖ୍ୟ ଅରବିନ୍ଦ କେଜ୍ରିୱାଲ ଯମୁନା ପାଣିରେ ଜହର ବୟାନ ଏବେ ତାଙ୍କ ପାଇଁ ଅଡୁଆ ସାଜିଛି ।ଏପରିକି କାହିଁକି ଏଭଳି ବୟାନ ଦେଲେ ଏନେଇ ମୁଖ୍ୟ ନିର୍ବାଚନ କମିଶନଙ୍କୁ ଆଜି ଜବାବ ଦେବେ ।ସେପଟେ ବିରୋଧୀ ଆପକୁ ଟାର୍ଗେଟ କରିଛି 

Advertisment

ଦିଲ୍ଲୀ ନିର୍ବାଚନ ପୂର୍ବରୁ ବଡ ପ୍ରସଙ୍ଗ ପାଲଟିଛି ଆପ ମୁଖ୍ୟ ଅରବିନ୍ଦ କେଜ୍ରିୱାଲଙ୍କ ଯମୁନାରେ ଜହର ବୟାନ । ହରିୟାଣା ସରକାର ନଦୀ ପାଣିରେ ବିଷ ମିଶାଇ ଦିଲ୍ଲୀକୁ ଛାଡୁଥିବା ବୟାନ ଏବେ ତାଙ୍କ ପାଇଁ ବଡ ଅଡୁଆ ପାଲଟିଛି । କଥା କେବଳ ବୟାନବାଜୀରେ ସୀମିତ ହୋଇ ରହିନି ବଂର ମୁଖ୍ୟ ନିର୍ବାଚନ କମିଶନଙ୍କ ଦ୍ବାରସ୍ଥ ହୋଇଛି ବିଜେପି । କେଉଁ ଆଧାରରେ ଏଭଳି ବୟାନ ଦେଲେ କେଜିୱାଲ?

ବିନା ପ୍ରମାଣରେ କିଭଳି ହରିୟାଣା ସରକାରଙ୍କ ଉପରେ ଅଭିଯୋଗ ଆଣିଲେ? ଏନେଇ ଆଜି ରାତି ୮ଟା ସୁଦ୍ଧା ଜବାବ ରଖିବାକୁ କହିଛନ୍ତି ଇସି । ସେପଟେ ନିର୍ବାଚନ ରାଲିରେ ଅରବିନ୍ଦ କେଜ୍ରିୱାଲଙ୍କୁ ସିଧାସଳଖ ଟାର୍ଗେଟ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ସେପଟେ କଂଗ୍ରେସ ମଧ୍ୟ କେଜ୍ରିୱାଲଙ୍କ ଉପରେ ପ୍ରଶ୍ନ ଉଠାଇଛି ।

ଯଦି ରାଜନୀତି ଓ ନିର୍ବାଚନ ଦୃଷ୍ଟିକୋଣରୁ ପ୍ରସଙ୍ଗ ଉପରେ ନଜର ପକାଇବା ହୁଏତ ଏକଥା ସ୍ପଷ୍ଟ ହୋଇଛି ଯେ କେଜ୍ରିୱାଲ ଭୁଲ ସମୟରେ ଏଭଳି ବୟାନ ଦେଇ ନିଜ ପାଇଁ ନିଜ ବିପଦକୁ ଡାକିଛନ୍ତି । 

ମଦ ଦୁର୍ନୀତି, ମୋହଲ୍ଲା କ୍ଲିନିକ ସ୍କାମ ଓ  ଅନ୍ୟାନ୍ୟ ଅଭିଯୋଗ ଘେରରେ ଫସି ଆପର ପୂର୍ବ ମୁଖ୍ୟମନ୍ତ୍ରୀ,ଉପମୁଖ୍ୟମନ୍ତ୍ରୀ ଓ ହେଭିୱେଟ ନେତାଙ୍କୁ ଇଡି, ସିବିଆଇ ଓ ଆଇଟି ଘାଣ୍ଟିଥିବାବେଳେ ଏବେ ଦଳ ଉପରେ ଲଦି ହୋଇଛି ନୂଆ ଅଭିଯୋଗ ।ଯାହାର ମୁକାବିଲା କିଭଳି କରିବେ ତା ଉପରେ ସମସ୍ତଙ୍କ ନଜର  ।

ଯେଉଁଠି ବିଜେପି କଳେ ବଳେ କୌଶଳେ ଦିଲ୍ଲୀରେ ଆପ ଗଢ଼ ଭେଦ କରିବାକୁ ଚାହୁଁଛି,   ସେଠି ଏହି ବୟାନ ଦଳ ପାଇଁ ବ୍ରହ୍ମାସ୍ତ୍ର ପରି କାମ କରିପାରେ । ଲୋକସଭା ନିର୍ବାଚନରେ ବିଜେପି ୭ରୁ ୭ ଆସନରେ ଜିତି କିଛି ମାତ୍ରାରେ ନିଜ ମିଶନରେ ସଫଳତା ପାଇଛି ।  ଏଥରକ ବିଧାନସଭା ନିର୍ବାଚନରେ ଦିଲ୍ଲୀ ଯମୁନା ଜହର ବୟାନ ହୁଏତ ଆପ ପାଇଁ ଅଡୁଆ ଓ ବିଜେପି ପାଇଁ ଆଗକୁ ବଢ଼ିବା ପାଇଁ ସରଳ ବାଟ ସାଜିପାରେ ।