କନକ ବ୍ୟୁରୋ: ବିହାରରେ ବିଧାନସଭା ନିର୍ବାଚନ ହେବାକୁ ଆଉ ମାତ୍ର କେଇ ମାସ ବାକି ଅଛି । ଆଉ ଏହା ପୂର୍ବରୁ ଏନଡିଏ ମେଣ୍ଟରେ ସିଟ୍ ଭାଗବଣ୍ଟାକୁ ନେଇ ଅଙ୍କ ଛିଡ଼ିଥିବା କଥା ସାମ୍ନାକୁ ଆସିଛି । ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁସାରେ, ବିଜେପି ଏବଂ ଜେଡିୟୁ ଭିତରେ ସିଟ୍ ଭାଗବଣ୍ଟାକୁ ନେଇ ସହମତି ପ୍ରକାଶ ପାଇଛି ।
ମିଳିଥିବା ସୂଚନା ମୁତାବକ, ବିହାରରେ ବିଜେପି ଏବଂ ଜେଡିୟୁ ଉଭୟ ୧୦୦ରୁ ୧୦୫ ସିଟ୍ ଭିତରେ ନିର୍ବାଚନ ଲଢ଼ିପାରନ୍ତି । ଆଉ ବାକି ସିଟ୍ ସହଯୋଗୀ ପାର୍ଟିଙ୍କୁ ଦେଇପାରନ୍ତି । ବିହାରରେ ମୋଟ ୨୪୩ ସିଟ୍ ରହିଛି । ଯାହା ଭିତରୁ ଏହି ଦୁଇ ପାର୍ଟି ୨୦୦ରୁ ୨୧୦ ସିଟରେ ଲଢ଼ିପାରନ୍ତି । ଏହାସହ ଚିରାଗ ପାସଓ୍ୱାନଙ୍କ ଦଳ ଏଲଜେପି ୪୦ ସିଟରେ ଲଢ଼ିବା ନେଇ ଦାବି କରୁଛି । ତେଣୁ ଏଲଜେପିକୁ ମେଣ୍ଟ ୪୦ ସିଟ୍ ଦେଇପାରେ । ଏହାସହ ହିନ୍ଦୁସ୍ତାନ ଆବାମ୍ ମୋର୍ଚ୍ଚା ଏବଂ ଉପେନ୍ଦ୍ର କୁଶବାହଙ୍କ ଆରଏଲ୍ଏମ ପାର୍ଟିକୁ ମଧ୍ୟ କିଛି ସିଟ୍ ଦେଇପାରେ ମେଣ୍ଟ ।
୨୦୨୦ ବିଧାନସଭା ନିର୍ବାଚନରେ ଜେଡିୟୁ ୧୧୫ ସିଟରେ ନିର୍ବାଚନ ଲଢ଼ିଥିଲା । ବିଜେପି ସେହିଥର ୧୧୦ଟି ସିଟରେ ନିର୍ବାଚନ ଲଢ଼ିଥିଲା । ସେ ସମୟରେ ଭିଆଇପି ଦଳ ଏନଡିଏର ଅଂଶ ଥିଲା, ତେଣୁ ସେହି ଦଳକୁ ୧୧ଟି ସିଟରେ ନିର୍ବାଚନ ଲଢ଼ିବାକୁ ସୁଯୋଗ ଦିଆଯାଇଥିଲା । ଏଙାସହ ହିନ୍ଦୁସ୍ତାନ ଆବାମ୍ ମୋର୍ଚ୍ଚା ୭ଟି ସିଟରେ ନିର୍ବାଚନ ଲଢ଼ିଥିଲା । ଗତଥର ଏଲଜେପି ଏକାକୀ ୧୩୫ ସିଟରେ ନିର୍ବାଚନ ଲଢ଼ିଥିଲା । ତେବେ ନିର୍ବାଚନ ଫଳାଫଳ କିନ୍ତୁ ଭିନ୍ନ ହୋଇଥିଲା । ରେଜଲ୍ଟରେ ବିଜେପି, ଜେଡିୟୁଠାରୁ ଅଧିକ ସିଟ୍ ଜିତିବାକୁ ସକ୍ଷମ ହେଇଥିଲା । ନିର୍ବାଚନ ଫଳାଫଳରେ ବିଜେପିକୁ ୭୪ଟି ସିଟ୍ ମିଳିଥିବାବେଳେ, ଜେଡିୟୁକୁ ୪୩ ସିଟରେ ବିଜୟ ମିଳିଥିଲା ।
ଜଣେ ବରିଷ୍ଠ ଏନଡିଏ ନେତାଙ୍କ କହିବା ମୁତାବକ, ଗତଥର ଏଲଜେପି କାରଣରୁ ଜେଡିୟୁର ପ୍ରଦର୍ଶନ ଖରାପ ହୋଇଥିଲା । ତେଣୁ ଏଥର ଜେଡିୟୁ, ବିଜେପିଠାରୁ କମ୍ ସିଟରେ ନିର୍ବାଚନ ଲଢ଼ିବାର ପ୍ରଶ୍ନ ଉଠୁନି । ଏହାସହ ନୀତିଶ କୁମାରଙ୍କୁ ଆଉ ଥରେ ମୁଖ୍ୟମନ୍ତ୍ରୀ କରିବାକୁ ମେଣ୍ଟ ଧ୍ୟାନ ଦେଉଛି ବୋଲି ସେ କହିଛନ୍ତି ।