କନକ ବ୍ୟୁରୋ : ଉଭୟ ସଦନରେ ୱାକଫ୍ ବୋର୍ଡ ସଂଶୋଧନ ବିଧେୟକ ପାରିତ ହେବା ପରେ ଏହାକୁ ନେଇ ବିରୋଧୀଦଳମାନେ ରାଜରାସ୍ତାକୁ ଓହ୍ଲାଇଛନ୍ତି । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଖୋଲାଖୋଲି ଏହି ବିଲକୁ ନିଜ ରାଜ୍ୟରେ ଲାଗୁ କରିବାକୁ ଦେବେ ନାହିଁ ବୋଲି କହିବା ସହ ବିଲକୁ ନେଇ ସାରା ରାଜ୍ୟରେ ହିଂସା ଲାଗି ରହିଛି । ଏନଡିଏର ସହଯୋଗୀ ଦଳ ଜେଡିୟୁ ବିଲକୁ ସମର୍ଥନ କରି ଭୋଟ ଦେବା ପରେ ଦଳର ଜଣଙ୍କ ପରେ ଜଣେ ନେତା ଦଳରୁ ଇସ୍ତଫା ଦେବାରେ ଲାଗିଛନ୍ତି । ଏସବୁ ଭିତରେ ମଣିପୁରରେ ବିଜେପିର ସହଯୋଗୀ ଦଳ ଏନପିପି ବା ନ୍ୟାସନାଲ ପିପୁଲ୍ସ ପାର୍ଟି ଏବେ ଏହି ବିଲ ବିରୋଧରେ ସୁପ୍ରିମକୋର୍ଟ ପହଂଚିଛି । ଏନପିପି ବିଧାୟକ ଶେଖ୍ ନୁରୁଲ ହସନ ୱାକଫ୍ ସଂଶୋଧନ ଆଇନ ବିରୋଧରେ ସୁପ୍ରିମକୋର୍ଟରେ ଯାଚିକା ଦାଖଲ କରିଛନ୍ତି । ଏହା ପୂର୍ବରୁ ମଧ୍ୟ ଜେଡିୟୁ ନେତା ପରଭେଜ୍ ସିଦ୍ଦିକ ମଧ୍ୟ ବିଲ୍ ବିରୋଧରେ ସୁପ୍ରିମକୋର୍ଟରେ ଅଭିଯୋଗ କରିଛନ୍ତି ।
ୱାକଫ୍ ସଂଶୋଧନ ବିଲ୍ ବିରୋଧରେ ଏପର୍ଯ୍ୟନ୍ତ ସୁପ୍ରିମକୋର୍ଟରେ ୨୦ ରୁ ଅଧିକ ଅଭିଯୋଗ ସୁପ୍ରିମକୋର୍ଟରେ ଦାଖଲ ହୋଇସାରିଛି । କିଛି ମୁସଲିମ୍ ସଂଗଠନ ଓ କିଛି ବ୍ୟକ୍ତିଗତ ଲୋକଙ୍କ ବ୍ୟତୀତ ବିରୋଧୀଦଳଗୁଡିକ ଏହି ବିଲ୍ ବିରୋଧରେ ସର୍ବାଧିକ ଆବେଦନ ସୁପ୍ରିମକୋର୍ଟରେ କରିଛନ୍ତି । ଏହି ମାମଲାର ଶୁଣାଣି ଏପ୍ରିଲ ୧୬ ତାରିଖରେ ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ସଂଜୀବ ଖାନ୍ନାଙ୍କ ଅଧ୍ୟକ୍ଷତାରେ ୩ ଜଣ ବିଚାରପତି କରିବେ ।