କନକ ବ୍ୟୁରୋ: ଝାରସୁଗୁଡ଼ା ପୌର ପରିଷଦରେ ଡ୍ରେନ୍‌ ସଫାକୁ ନେଇ ମୁହାଁମୁହିଁ ହୋଇଛନ୍ତି ବିଜେଡି-ବିଜେପି । ପୌର ପରିଷଦ ପକ୍ଷରୁ ହେଉଥିବା କାମକୁ ବିଧାୟକ ନିଜେ କରୁଥିବା କହି ଶ୍ରେୟ ନେବାକୁ ଚେଷ୍ଟା କରୁଥିବା ଅଭିଯୋଗ କରିଛି ବିଜେଡି। ସାମ୍ବାଦିକ ସମ୍ମିଳନୀ କରି ବିଜେଡି ଅଭିଯୋଗକୁ ଖଣ୍ଡନ କରିଛି ବିଜେପି ଏବଂ ଝାରସୁଗୁଡ଼ା ପୌରପରିଷଦକୁ ବିଜେଡି ଦୁର୍ନୀତିର ଗନ୍ତାଘର କରିଥବା ବିଜେପି ପାଲଟା ଅଭିଯୋଗ ଆଣିଛି ।

ବର୍ଷା ଦିନ ପୂର୍ବରୁ ସହରର ବିଭିନ୍ନ ନାଳ ନର୍ଦ୍ଦମାର ସଫେଇ ନେଇ ଝାରସୁଗୁଡା ପୌର ପରିଷଦ ଅଭିଯାନ ଆରମ୍ଭ କରିଛି । ବିଧାୟକ ଟଙ୍କଧର ତ୍ରିପାଠୀ ଏହି ଅଭିଯାନର ଶୁଭାରମ୍ଭ କରି ବିଭିନ୍ନ ୱାର୍ଡ୍ର ନାଳ ନର୍ଦ୍ଦମାର ସ୍ଥିତି ଅନୁଧ୍ୟାନ କରିଛନ୍ତି । ୫ ବର୍ଷ ତଳୁ ସଫା ହୋଇନଥିବା ଡ୍ରେନ୍‌ ଗୁଡ଼ିକୁ ତୁରନ୍ତ ସଫା କରିବାକୁ  ପୌର ନିର୍ବାହୀ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ ବିଧାୟକ। ଯାହାକୁ ନେଇ ଚିହିଁକି ଉଠିଛି ବିଜେଡି ।  ଝାରସୁଗୁଡାରେ ନାଳ ସଫେଇ କାମକୁ ନେଇ ବର୍ତ୍ତମାନ ଉଭୟ ରାଜନୈତିକ ଦଳ ମଧ୍ୟରେ ବୟାନ ବାଜି ଚାଲିଛି। ସେପଟେ ବର୍ଷା ପୂର୍ବରୁ ନାଳ ନର୍ଦ୍ଦମା ସଫା ସରିବା ନେଇ ପ୍ରଶ୍ନ ଉଠିଛି ।