କନକ ବ୍ୟୁରୋ :  ଗୋଟିଏ ପଟେ ବିଜେଡିର ସଭ୍ୟ ସଂଗ୍ରହ ଅଭିଯାନ ଚାଲିଛି । ଆଉ ଗୋଟିଏ ପଟେ ଦଳରେ ବଢ଼ି ଚାଲିଛି କଳି । ବରିଷ୍ଠ ନେତା ଅମର ଶତପଥୀ, କନକ ନ୍ୟୁଜରେ ନବୀନଙ୍କ ପୋଲ ଖୋଲିବା ପରେ ଦଳୀୟ ନେତାଙ୍କ ସହ ମୁହାଁମୁହିଁ ହୋଇଛନ୍ତି । ଆଉ ପଦାରେ ପଡିଛି ବିଜେଡିର କନ୍ଦଳ । 

Advertisment

ଏକଦା ବିଜେଡିର ଗଡ କୁହାଯାଉଥିବା ଯାଜପୁର ଜିଲ୍ଲାରେ ପଥର ଖସିବା ଆରମ୍ଭ ହୋଇଛି । କନକ ନ୍ୟୁଜରେ ନବୀନଙ୍କ ପୋଲ ଖୋଲିବାକୁ ନେଇ ଟାର୍ଗେଟକୁ ଆସିବା ପରେ ବରିଷ୍ଠ ନେତା ଅମର ଶତପଥୀ ସିଧାସଳଖ ଦଳ ସହ ସମ୍ପର୍କ ଛିନ୍ନ ନେଇ ଘୋଷଣା କରିଛନ୍ତି । ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି, କାହିଁକି ପରାଜୟ ହେଲା ତାର ମାନସ ମନ୍ଥନ ହେଲାନି । ଦଳ କାହିଁକି ହାରିଲା ତାର ଜବାବ ନବୀନ ଦେବା ଆବଶ୍ୟକ । କିନ୍ତୁ ହାରିବା ପରେ ବି ସଦବୁଦ୍ଧି ଆସୁନି । ଦଳ ଠାରୁ ଦୂରେଇ ରହିଛି, ତେଣୁ ପରାମର୍ଶ ଦେବା ଠିକ୍ ହେବନି । 

ଅମର ବାରମ୍ବାର ବିଜେଡି ଓ ନବୀନଙ୍କ ନେତୃତ୍ବ ଉପରେ ପ୍ରଶ୍ନ ଉଠାଇବା ପରେ ତାଙ୍କୁ ସିଧାସଳଖ ଟାର୍ଗେଟ କରିଛନ୍ତି ବିଜେଡି ମୁଖପାତ୍ର ଲେନିନ୍ ମହାନ୍ତି । ଶ୍ବାସରୁଦ୍ଧ ହୋଇଥିଲେ ଦଳ ଛାଡି ଚାଲିଯିବାକୁ ଅମରଙ୍କୁ ପରାମର୍ଶ ଦେଇଛନ୍ତି ଲେନିନ୍ । ଏଥିସହ ଅମର ଦଳ ଛାଡିଲେ ପଇସାଟାରେ ବି ପ୍ରଭାବ ପଡିବନି ବୋଲି କହିବା ପରେ କଡା ଜବାବ ରଖିଛନ୍ତି ଅମର । ବିଜେଡିର କଳିକୁ ନେଇ କଟାକ୍ଷ କରିଛନ୍ତି ବିଜେପି ସାଂସଦ ପ୍ରତାପ ଷଡଙ୍ଗୀ । ବିଜେଡି ଛାଡିବା ନେଇ ଅମରଙ୍କ ଘୋଷଣା କରିବା ପରେ ତାଙ୍କର ପରବର୍ତି ପଦକ୍ଷେପ ନେଇ ଆରମ୍ଭ ହୋଇ ଯାଇଛି ଚର୍ଚ୍ଚା । ଯାଜପୁରର ଜିଲ୍ଲାର ଜଣେ ଟାଣୁଆ ନେତା ହୋଇଥିବାରୁ ଓ ବଡଚଣାରେ ନିଜସ୍ବ ସଂଗଠନ ଥିବାରୁ, ସେ ଆଗକୁ ବିଜେପିରେ ସାମିଲ ହେବେ ନା ଆଉ କୁଆଡେ ଯିବେ ତା ଉପରେ ସମସ୍ତଙ୍କ ନଜର ରହିଛି ।