କନକ ବ୍ୟୁରୋ: ପୁଣି ପଦାରେ ପଡ଼ିଲା ବିଜେଡିର କଳି ଆଉ ବିଜେପି ପ୍ରତି ଥିବା ଲୁଚାଛପା ପ୍ରେମ । ଆପଣମାନେ ସମସ୍ତେ ଜାଣିଛନ୍ତି, ଅପରେସନ୍ ସିନ୍ଦୂରୁକୁ ନେଇ ଏବେ ସଂସଦ ସରଗରମ ରହିଛି । ଆଉ ଏହି ପ୍ରସଙ୍ଗକୁ ନେଇ ପଦାରେ ପଡ଼ିଛି ବିଜେଡିର କଳି । ଦଳ ୭ ରାଜ୍ୟସଭା ସଂସଦଙ୍କ ଭିତରୁ ୫ ଜଣ ଅପରେସନ୍ ସିନ୍ଦୂରକୁ ନେଇ ସଂସଦରେ ସେନାକୁ ପ୍ରଶଂସା କରିଥିବାବେଳେ, ୨ ଜଣ ବିଜେଡି ସାଂସଦ କିନ୍ତୁ ଆଲୋଚନାରୁ ନିଜକୁ ଦୂରେଇ ରଖିଥିବା ଖବର ମିଳିଛି । ଯାହାପରେ ବିଜେଡି ସାଂସଦଙ୍କ ଭିତରେ ଥିବା ଏହି କଳି ପଦାକୁ ଆସିଛି ।

Advertisment

ମିଳିଥିବା ସୂଚନା ମୁତାବକ, ଅପରେସନ୍ ସିନ୍ଦୂର ସମ୍ପର୍କରେ ଆଲୋଚନା କରିବା ପାଇଁ ବିଜେଡିକୁ ମୋଟ ୨୮ ମିନିଟ୍ ସମୟ ମିଳିଥିଲା । ଯାହା ଭିତରୁ ଦଳର ୫ ଜଣ ରାଜ୍ୟସଭା ସାଂସଦ ଏଥିରେ ଭାଗ ନେଇଥିଲେ । ସୁବାଶିଷ ଖୁଣ୍ଟିଆ ୫ ମିନିଟ୍, ମାନସ ମଙ୍ଗରାଜ ୪ ମିନିଟ୍, ସୁଲତା ଦେଓ ୮ ମିନିଟ୍, ସସ୍ମିତ ପାତ୍ର ୭ ମିନିଟ୍ ଆଉ ନିରଞ୍ଜନ ବିଶି ୪ ମିନିଟ୍ ଆଲୋଚନାରେ ଭାଗ ନେଇଥିଲେ । ହେଲେ ଦଳର ଅନ୍ୟ ଦୁଇ ସାଂସଦ ଦେବାଶିଷ ସାମନ୍ତରାୟ ଏବଂ ମୁନ୍ନା ଖାଁଙ୍କୁ କିନ୍ତୁ ଏହି ଆଲୋଚନାରେ ଭାଗ ନେବାକୁ ଦଳ ପକ୍ଷରୁ ସୁଯୋଗ ଦିଆଯାଇନଥିବା ସୂଚନା ମିଳିଛି । ହେଲେ ଏହା ପଛର କାରଣ କଣ ହୋଇପାରେ? କାହିଁକି ବିଜେଡିର ଏହି ଦୁଇ ସାଂସଦଙ୍କୁ ଆଲୋଚନାରେ ଭାଗ ନେବାକୁ ସୁଯୋଗ ମିଳିଲାନି? ନା ଜାଣି ଜାଣି ଦୁଇ ସାଂସଦ ଆଲୋଚନାରେ ଭାଗ ନେଲେନି, ତାକୁ ନେଇ ଏବେ ବଢ଼ିଛି ଚର୍ଚ୍ଚା ଆଲୋଚନା ।

ଓ୍ୱକଫ୍ ବିଲ୍ ବେଳେ ବି ଦେଖା ଦେଇଥିଲା ବିବାଦ

ଏପ୍ରିଲ ମାସରେ ଯେତେବେଳେ ଓ୍ୱକଫ୍ ବିଲକୁ ନେଇ ସଂସଦରେ ହୋ ହଲ୍ଲା ହୋଇଥିଲା, ଆଉ ଭୋଟିଂ ହୋଇଥିଲା । ସେତେବେଳେ ଏହି ବିଲକୁ ବିଜେଡି ସମର୍ଥନ ଜଣାଉଛି, ନା ବିରୋଧ କରୁଛି... ତାହା ଉପରେ ଥିଲା ସମସ୍ତଙ୍କର ନଜର । ହେଲେ ଦଳ କିନ୍ତୁ ସମର୍ଥନ କି ବିରୋଧ, ସବୁକିଛି ସାଂସଦଙ୍କ ବିବେକ ଉପରେ ଛାଡ଼ି ଦେଇଥିଲା । ଯାହାପରେ ଦଳର ୫ ଜଣ ସାଂସଦ ଓ୍ୱକଫ୍ ବିଲକୁ ସମର୍ଥନ କଲେ । ଏହି ସମୟରେ ବିଜେଡି ସାଂସଦ ମୁନ୍ନା ଖାଁ ଖୋଲାଖୋଲି ଭାବେ ଓ୍ୱକଫ୍ ବିଲକୁ ବିରୋଧ କରିଥିବାବେଳେ, ଦେବାଶିଷ ସାମନ୍ତରାୟ ଭୋଟିଂ ପ୍ରକ୍ରିୟାରୁ ଦୂରରେ ରହିଥିଲେ । ଆଉ ଏବେ ଅପରେସନ୍ ସିନ୍ଦୂର ଚର୍ଚ୍ଚା ବେଳେ, ଠିକ୍ ସେମିତି କିଛି କଥା ଦେଖିବାକୁ ମିଳିଛି । ଯେଉଁ ଯେଉଁ ସାଂସଦମାନେ ଓ୍ୱକଫ୍ ବିଲ ସପକ୍ଷରେ ଭୋଟ୍ ଦେଇଥିଲେ, ସେହି ସେହି ବିଜେଡି ସାଂସଦମାନେ ଅପରେସନ୍ ସିନ୍ଦୂର ଚର୍ଚ୍ଚାରେ ଭାଗ ନେଇଛନ୍ତି । ଆଉ ପରୋକ୍ଷରେ କେନ୍ଦ୍ରର ମୋଦୀ ସରକାରକୁ ସମର୍ଥନ ଜଣାଇଛନ୍ତି । 

ବିଜେଡିର ନରମ ଆଭିମୁଖ୍ୟ, ବିଜେପି ପ୍ରତି ଅଛି କି ପ୍ରେମ?

ଅପରେସନ୍ ସିନ୍ଦୂର ଚର୍ଚ୍ଚାରେ ଯେଉଁ ଯେଉଁ ବିଜେଡି ସାଂସଦମାନେ ଭାଗ ନେଇଥିଲେ, ସେମାନେ ସଂସଦରେ କେନ୍ଦ୍ର ସରକାରଙ୍କ ପ୍ରତି ନରମ ଆଭିମୁଖ୍ୟ ଦେଖାଇଥିବା ଚର୍ଚ୍ଚା ହେଉଛି । ଯେତେବେଳେ ସଂସଦରେ ଅନ୍ୟ ବିରୋଧୀ ଦଳମାନେ କେନ୍ଦ୍ର ସରକାରଙ୍କୁ କଡ଼ା ଭାଷାରେ ଟାର୍ଗେଟ୍ କରୁଥିଲେ, ସେତେବେଳେ ବିଜେଡି ସାଂସଦ କିନ୍ତୁ କେବଳ ସେନାକୁ ପ୍ରଶଂସାରେ ପୋତିବା ସହିତ ମୋଦୀ ସରକାରକୁ ସେମିତି କିଛି ପ୍ରଶ୍ନ କରିନଥିଲେ । ସେନା ବାହିନୀର ସାହସ, ଶୌର୍ଯ୍ୟକୁ ବିଜେଡି ନେତାମାନେ ପ୍ରଶଂସାରେ ପୋତିଦେଇଥିଲେ । ଓଡ଼ିଶାର ସାଢ଼େ ୪ କୋଟି ଓଡ଼ିଆ ସବୁବେଳେ ସେନାବାହିନୀର ସମର୍ଥନରେ ରହି ଆସିଛନ୍ତି ବୋଲି କହିଥିଲେ, ହେଲେ ଏ ସବୁ ଭିତରେ କିନ୍ତୁ ଅନ୍ୟ ବିରୋଧୀ ଦଳମାନଙ୍କ ଭଳି ବିଜେପି ସରକାରକୁ ପ୍ରଶ୍ନରେ ଘାଇଲା କରିପାରିନଥିଲେ ବିଜେଡି ସାଂସଦ ।

ପାଠକବନ୍ଧୁ... ଏ ସବୁ କିଛିକୁ ଲକ୍ଷ୍ୟ କଲେ ଗୋଟିଏ କଥା ସାମ୍ନାକୁ ଆସୁଛି ଯେ, ବିଜେଡି ଏଥର ସଂସଦରେ କେବଳ ସେନାକୁ ପ୍ରଶଂସାରେ ପୋତିନି ବରଂ ପରୋକ୍ଷରେ କେନ୍ଦ୍ରର ମୋଦୀ ସରକାରଙ୍କ ପ୍ରତି ସମର୍ଥନ ମଧ୍ୟ ଜଣାଇଛି । ହେଲେ ଯେତେବେଳେ ଦଳ ରାଜ୍ୟରେ ବିରୋଧୀ ଆସନରେ ବସିଛି, ଆଉ ସତ୍ତାଠୁ ଦୂରରେ ରହିଛି ସେତେବେଳେ ଦଳର ଏ ଆଭିମୁଖ୍ୟ ଦଳକୁ କେତେ ଫାଇଦା ଦେଉଛି ଆଉ କ୍ଷତି ପହଞ୍ଚାଉଛି ତାହା ଦେଖିବାକୁ ବାକି ରହିଲା ।