BJD-CONFLICT Photograph: (kanak news)
କନକ ବ୍ୟୁରୋ: ନୂଆପଡ଼ାରେ ‘ଶଙ୍ଖ’ ଶୁଭିଲାନି ବୋଲି ଏବେ ସୋସିଆଲ ମିଡିଆରେ ସମାଲୋଚନା ପରେ ସମାଲୋଚନାର ସାମନା କରୁଛି ବିଜେଡି । ବିଜେଡିରୁ ନିଲମ୍ବିତ ନେତ୍ରୀ ଶ୍ରୀମୟୀ ମିଶ୍ର ବାରମ୍ବାର ସର ମାରୁଥିବାବେଳେ, ଏବେ ଶ୍ରୀମୟୀଙ୍କ ସମାଲୋଚନା ତାଳରେ ତାଳ ମିଳାଇଛନ୍ତି ଆଉ ଜଣେ ମହିଳା ନେତ୍ରୀ । ଦଳ ଭିତରୁ ନିଜ ବରିଷ୍ଠ ନେତାଙ୍କୁ କଟାକ୍ଷ କରିବାକୁ ପଛାଇନାହାନ୍ତି ଏଲିନା ଦାସ । ଯାହାକୁ ନେଇ ରାଜ୍ୟ ରାଜନୀତି ସରଗରମ ହୋଇଛି ।
ଗୋଟିଏ ପଟେ ଶ୍ରୀମୟୀ କଡ଼ା ଭାଷାରେ ସମାଲୋଚନା କରି ଲେଖିଛନ୍ତି ଯେ, ଭଣ୍ଡ ସନ୍ନ୍ୟାସୀଙ୍କ ‘ଚକ୍ରାନ୍ତ’ ପ୍ରମାଣିତ ହେଲା । ନୂଆପଡ଼ା ଉପନିର୍ବାଚନକୁ ନେଇ ପୂର୍ବରୁ ଯାହା ଆଶଙ୍କା ଥିଲା, ତାହା ଏବେ ଓଡ଼ିଶାବାସୀଙ୍କ ଆଗରେ ସତ ପ୍ରମାଣିତ ହୋଇଛି । ଅନାମବାବୁଙ୍କ ମାନମହତକୁ ପୁଣିଥରେ ତଳେ ପକାଇଦେଇଛନ୍ତି ଘରଜ୍ୱାଇଁ । ଯାହାଙ୍କୁ ନିଜ ମାଟିର ଲୋକେ ୩୦ହଜାର ଭୋଟ ବ୍ୟବଧାନରେ ପ୍ରତ୍ୟାଖ୍ୟାନ କରିଥିଲେ, ତାଙ୍କୁ ନୂଆପଡ଼ାରେ ପ୍ରାର୍ଥୀ ଭାବେ ଲଦି ଦେବା କାର୍ଯ୍ୟ କ’ଣ ସତରେ ଆମ ପ୍ରିୟ ନେତା ନବୀନବାବୁ କରିଥିଲେ? ଆଉ କେତେଦିନ ଏମିତି ମାନମହତକୁ ନିଲାମ କରିବେ ନିଜର ଟିକେଟ ଖଣ୍ଡେ ସୁରକ୍ଷିତ ରଖିବା ପାଇଁ ? ଏଭଳି ଅନେକ କଥା କହି କଟାକ୍ଷ କରିଛନ୍ତି ଶ୍ରୀମୟୀ ।
ଅଧିକ ପଢ଼ନ୍ତୁ--ବିଲରେ ଶୋଇଛି ବିରାଟ ବଉଳା କୁମ୍ଭୀର : ଛାନିଆରେ ପୂରା ଗାଁ
ସେପଟେ ଏଲିନା ଦାସ ବି ଏକ ଭିଡିଓ ଛାଡି ବିଜେଡିର ପରାଜୟ ପାଇଁ ବରିଷ୍ଠ ନେତାଙ୍କୁ ନିଶାନା କରିଛନ୍ତି । ଭିଡିଓରେ ବବି ଦାସ, ଦେବୀ ମିଶ୍ର କୋଳାକୋଳି ଏବଂ ଅରୁଣ ସାହୁ ରୋଷେଇ କରୁଥିବାର ଭିଡିଓ ପୋଷ୍ଟ କରି ଏଲିନା ଲେଖିଛନ୍ତି… ଏ କୋଳା କୋଳି ଥିଲା କଣ ପାଇଁ… ଜିତେଇବା ପାଇଁ ନା ହରେଇବା ପାଇଁ । ଜାଣି ଥିଲ ନା ଜାଣି ଅଜଣା ହଉଥିଲ । ନିଜ ରାଜନୈତିକ ଅସ୍ତିତ୍ବକୁ ବଞ୍ଚାଇବା ପାଇଁ ଜଣେ ଜନନାୟକ ତଥା ଅଭୁଲା ବ୍ୟକ୍ତିତ୍ବଙ୍କୁ ପ୍ରଚାର ପଡିଆକୁ ଓହ୍ଲେଇ ଲୋକହସା କଲ,ଏହି ବୟସରେ ଜଣେ ବିଶେଷ ବ୍ୟକ୍ତିତ୍ବଙ୍କୁ ମାନସିକ ଓ ଶାରରୀକ ଚାପ ଦେଇ କି ଲାଭ ପାଇଲ ?
ବଡ଼କଥା ହେଉଛି, ଦଳୀୟ ନେତ୍ରୀ ଏଲିନା ଏବଂ ନିଲମ୍ବିତ ନେତ୍ରୀ ଶ୍ରୀମୟୀଙ୍କ ସମାଲୋଚନାକୁ ସୋସିଆଲ ମିଡିଆରେ ସମର୍ଥନର ସ୍ବର ବଢ଼ିବାରେ ଲାଗିଛି । ଯାହାକୁ ରାଜ୍ୟ ରାଜନୀତିକୁ ଆହୁରି ଉଷ୍ମ କରିଦେଇଛି ।
Follow Us