କନକ ବ୍ୟୁରୋ : ନୂଆପଡ଼ା ଉପନିର୍ବାଚନ ପାଇଁ ତାରିଖ ଘୋଷଣା ହେବା ପରେ ରାଜନିତୀ ସରଗରମ ହେବାରେ ଲାଗିଛି । ଉପନିର୍ବାଚନକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ବିରୋଧି ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ । ସେ କହିଛନ୍ତି , ନୂଆପଡ଼ାରେ ୪୦ରୁ ୫୦ହଜାର ଭୋଟରେ ଜିତିବ ବିଜେଡି । ନବୀନ ପଟ୍ଟନାୟକ ଯାହାକୁ ଟିକେଟ ଦେବ ସେ ଜିତିବ । ନୂଆପଡ଼ାରେ ବିଜେଡି ଓ ନବୀନ ପଟ୍ଟନାୟକଙ୍କ ଉପରେ ସିମ୍ପାଥି ଅଛି ।
ସେ ଆହୁରି ମଧ୍ୟ କହିଛନ୍ତି ଯେ ଯେତେବେଳେ ମୁଖ୍ୟମନ୍ତ୍ରୀ ଜାଣିଲେ କାଲି ତାରିଖ ଘୋଷଣା ହେବ, ସେତେବେଳେ ସେ ନୂଆପଡ଼ା ଗଲେ । ତାଙ୍କର ନୂଆପଡାବାସୀଙ୍କ ପାଇଁ ଆନ୍ତରିକତା ନାହିଁ । କାଲି ମୁଖ୍ୟମନ୍ତ୍ରୀ କହିଲେ ଢୋଲକିଆଙ୍କ ସ୍ଵପ୍ନ ପୁରଣ କରିବେ । ତାଙ୍କ ଶୁଦ୍ଧକ୍ରିୟାରେ ଏ କଥା କାହିଁକି କହିଲେ ନାହିଁ । ଏବେ କୋଡ଼ ଅଫ୍ କଣ୍ଡକ୍ଟ ଲାଗିଗଲାଣି , କିଛି ହୋଇ ପାରିବ ନାହିଁ । ହେଲେ ନୂଆପଡାବାସୀ ଜାଣିଛନ୍ତି ବିଜେଡି କଣ ଓ ଅନ୍ୟ ଦଳ କଣ । ନୂଆପଡାବାସୀ ଅନୁଭବ କରିଛନ୍ତି , ବିକାଶ କେବଳ ବିଜେଡି ସରକାର କରିଛନ୍ତି । ଲୋକମାନେ ପୁଣି ବହୁ ଭୋଟରେ ବିଜେଡିକୁ ଜିତାଇବେ । ସରକାର ଯେତେବେଳେ ଭଲକାମ କରନ୍ତି, ଉପନିର୍ବାଚନ ସରକାରି ଦଳ ସପକ୍ଷରେ ଯାଏ । ଏମାନେ କିଛି ଭଲ କାମ କରି ନାହାନ୍ତି । ପ୍ରାର୍ଥୀ କିଏ ହେବେ ଖୁବଶୀଘ୍ର ବିଜେଡି ସଭାପତି ଘୋଷଣା କରିବେ । କିଏ ପ୍ରାର୍ଥୀ ହେବେ ସେ ନିଷ୍ପତ୍ତି ଅନ୍ୟ କେହି ନେଇ ପାରିବେ ନାହିଁ ।
ସେମାନେ ଆମ ପଛରେ ଦୌଡି ଦୌଡି ନେତା ହୋଇଛନ୍ତି । ବିଜେଡି ୨୪ ବର୍ଷରେ କଣ କରିଥିଲା ତାକୁ ଖାଲି କହି ହେଉଛନ୍ତି । ସେମାନେ କିଛି କରୁ ନାହାନ୍ତି । ସେକଥା ଲୋକ ଜାଣି ସାରିଲେଣି । ବିଜେପି ଯାହାକୁ ପ୍ରାର୍ଥୀ କଲେ ଆମର କିଛି ଯାଏ ଆସେ ନାହିଁ । ବିଜେଡି ଯାହାକୁ ପ୍ରାର୍ଥୀ କରିବ ସେ ଜିତିବ ବୋଲି ଦମ୍ଭୋକ୍ତି ବାଢ଼ିଛନ୍ତି ପ୍ରମିଳା ମଲ୍ଲିକ ।
ଅନ୍ୟପଟେ ବିଜେପି ସହ ପ୍ରଭାରୀ ଲତା ଉସେଣ୍ଡିଙ୍କ ପ୍ରତିକ୍ରିୟା ମଧ୍ୟ ସାମ୍ନାକୁ ଆସିଛି । ସେ କହିଛନ୍ତି , ୨୪ ନିର୍ବାଚନ ଭଳି ନୂଆପଡ଼ାରେ ମଧ୍ୟ ବିଜେପିକୁ ଲୋକ ଆଶୀର୍ବାଦ କରିବେ । କାରଣ ଦେଢ଼ ବର୍ଷ ଭିତରେ ସୁଭଦ୍ରା ଭଉଣୀ, କୃଷକ ଏବଂ ଯୁବକଙ୍କ ବିକାଶ ପାଇଁ ବିଜେପି ସରକାର ଅନେକ କାମ କରିଛି । କେନ୍ଦ୍ରରେ ପ୍ରଧାନମନ୍ତ୍ରୀ ମୋଦି ଏବଂ ରାଜ୍ୟରେ ମୋହନଙ୍କ ନେତୃତ୍ୱରେ ବିକାଶ ପଥରେ ଆଗେଇ ଚାଲିଛି ଓଡ଼ିଶା । ତେଣୁ ନୂଆପଡ଼ା ଜନତା ମଧ୍ୟ ବିଜେପିକୁ ଭରସା କରିବେ । ପ୍ରାର୍ଥୀ କିଏ ହେବେ ତାହା ଦଳ ଭିତରେ ଆଲୋଚନା ପରେ ଘୋଷଣା କରାଯିବ । ଚୟନ କମିଟି ହିଁ ନିର୍ଣ୍ଣୟ କରିବେ କାହାକୁ ପ୍ରାର୍ଥୀ କରାଯିବ । ନୂଆପଡାରେ ଆଦିବାସୀ ଭୋଟ ହାର ଅଧିକ ଅଛି । କିନ୍ତୁ ସ୍ଥାନୀୟ ଲୋକଙ୍କ ଭାବନାକୁ ଦୃଷ୍ଟିରେ ରଖି ସବୁ ନିଷ୍ପତି ନିଆଯିବ ।