କନକ ବ୍ୟୁରୋ : ୨୪ ବର୍ଷ ସରକାରରେ ଥାଇ ବି ପୋଲାଭରମ ସଂକ୍ରାନ୍ତରେ ରାଜ୍ୟକୁ ନ୍ୟାୟ ଦେଇ ପାରି ନଥିଲା ବିଜେଡି । ହେଲେ ସରକାରରୁ ଯିବା ପରେ ବିରୋଧୀରେ ଥାଇ ପୋଲଭରମ ପାଇଁ କୁମ୍ଭୀର କାନ୍ଦଣା କାନ୍ଦୁଛି ବିଜେଡି । ଗ୍ରାଉଣ୍ଡ ଭିଜିଟ ପରେ ନବୀନ ନିବାସରେ ପୋଲଭରମକୁ ନେଇ ମାନସ ମନ୍ଥନ ହୋଇଛି । ଆଉ ଏହାକୁ ରାଜନୈତିକ ପ୍ରସଙ୍ଗ କରି ମୈଦାନକୁ ଓହ୍ଲାଇବାକୁ ସଜବାଜ ହେଉଛି ଦଳ । ଏ ପ୍ରସଙ୍ଗରେ ପଲ୍ଲୀରୁ ଦିଲ୍ଲୀ ପର୍ଯ୍ୟନ୍ତ ଆନ୍ଦୋଳନ କରିବାକୁ ରଣ ହୁଙ୍କାର ଦେଇଛି । ଆସନ୍ତା ଜାନୁୟାରୀ ମାସରୁ ରାଜ୍ୟବ୍ୟାପୀ ଆନ୍ଦୋଳନ କରିବାକୁ ଦଳ ପ୍ରସ୍ତୁତ କରୁଛି । ମୋଟୁରୁ ଆରମ୍ଭ କରି ଭାୟା ଭୁବନେଶ୍ବର ଦେଇ ଦେଶର ରାଜଧାନୀ ଦିଲ୍ଲୀ ପର୍ଯ୍ୟନ୍ତ ହାଲ୍ଲାବୋଲ ଡାକରା ଦେବ ଦଳ ।
ବିଜେଡି ଏମିତି ଏକ ପ୍ରସଙ୍ଗକୁ ଉଠାଇ ନିଜର ରାଜନୈତିକ ଉପସ୍ଥିତି ଜାହିର କରିବାକୁ ଚେଷ୍ଟା କରୁଛି । ହେଲେ ପ୍ରଶ୍ନ ଉଠୁଛି ୧୫ ବର୍ଷ ପରେ କାହିଁକି ବିଜେଡିର ପୋଲାଭରମ କଥା ମନେ ପଡିଲା ।
- ପରାଜୟ ପରେ ଲୋକଙ୍କ ସହାନୁଭୂତି ସାଉଁଟିବାକୁ ଚେଷ୍ଟା କରୁଛି କି ବିଜେଡି?
- ଆଦିବାସୀଙ୍କ ଭୋଟ ବ୍ୟାଙ୍କକୁ ହାତେଇବାକୁ ପ୍ରୟାସ କରୁଛି କି ଦଳ?
- ସାରା ରାଜ୍ୟରେ ଆନ୍ଦୋଳନ କରି ମାହୋଲ ତିଆରି କରୁଛି କି ଦଳ?
ବିଜେଡିର ପୋଲାଭମର ପାଇଁ ସଜବାଜକୁ ନେଇ ପାଲଟା ପ୍ରଶ୍ନ କରିବା ସହ କଟାକ୍ଷ କରିଛି ବିଜେପି।
ପୋଲାଭରମକୁ କେନ୍ଦ୍ର ଜାତୀୟ ପ୍ରକଳ୍ପ ଘୋଷଣା କରି ସାରିଛି । ଚଳିତ ବଜେଟରେ ପ୍ରକଳ୍ପ ପାଇଁ ସ୍ବତନ୍ତ୍ର ପ୍ୟାକେଜ ମଧ୍ୟ ଘୋଷଣା କରିଛି । ଏମିତି କି ପ୍ରକଳ୍ପ ଶେଷ ପର୍ୟ୍ୟାୟରେ ପହଂଚି ସାରିଛି । ଏପଟେ ଦୀର୍ଘ ବର୍ଷ ପରେ ବିଜେଡି ଏ ପ୍ରସଙ୍ଗକୁ ଉଠାଇ କଣ ସନ୍ଦେଶ ଦେବାକୁ ଚାହୁଁଛି, ତାକୁ ନେଇ ଅଙ୍କକଷା ଆରମ୍ଭ କରିଛନ୍ତି ରାଜନୈତିକ ବିଶେଷଜ୍ଞ ।