କନକ ବ୍ୟୁରୋ: ନିର୍ବାଚନ ପରେ ବିଜେଡି ଭାଙ୍ଗିଯିବ ଓ ଅନେତ ନେତା ବିଜେପିରେ ମିଶିବେ ବୋଲି ବିଜେପି ନେତା ଦମ୍ଭୋକ୍ତି ଦେଖାଇ ଆସୁଛନ୍ତି । ଅପରାଜିତା ଷଡଙ୍ଗୀ, ଜୁଏଲ ଓରାମ, ମନମୋହନ ସାମଲ ଓ ଜୟନାରାୟଣଙ୍କ ମିଶ୍ରଙ୍କ ଭଳି ହେଭିୱେଟ ନେତା ପ୍ରତ୍ୟେକ ଦିନ ଗଣମାଧ୍ୟମରେ ବୟାନ ରଖୁଛନ୍ତି । ଆଉ ଏହାରି ଭିତରେ ପୁଣି ବିଜେପିର ବରିଷ୍ଠ ନେତା ଜୟନାରାୟଣ ମିଶ୍ର ବିଜେଡିକୁ ତେରଛା ବାଣ ମାରିଛନ୍ତି ।
ଜୟନାରାୟଣ କହିଛନ୍ତି, ଅମିତ ଶାହଙ୍କ ଗୋଟିଏ ସିଟିରେ ଭାଙ୍ଗିଯିବ ବିଜେଡି । ବିଜେପି ଭାଙ୍ଗୁନି ବରଂ ବିଜେଡି ଭାଙ୍ଗୁଛି । ଆଉ ଏହାର କାଉଣ୍ଟର କରି ପ୍ରମିଳା ମଲ୍ଲିକ କହିଛନ୍ତି, ବିଜେଡି ଆଜି ବି ଏକ ନମ୍ୱର । ଆଜି ନିର୍ବାଚନ ହେଲେ ବିଜେଡି ୧୪୦ ଆସନ ଜିତିବ, ବିଜେପି ଆଗ ନିଜ ଘର ସମ୍ଭାଳୁ ।
- ନିଆଁରେ ଘିଅ ଢାଳିଲେ ବିଜେପି ମନ୍ତ୍ରୀ
- ବିଜେପି ଯୋଗାଯୋଗରେ କେଉଁ ବଡ ନେତା?
ଜୟନାରାୟଣ ଓ ପ୍ରମିଳାଙ୍କ ବୟାନବାଜି ମଧ୍ୟରେ ନିଆଁରେ ଘିଅ ଢାଳିଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣ ପାତ୍ର । କହିଛନ୍ତି, ବିଜେଡି ଆଉ ଲୋକଙ୍କ ବିଶ୍ବାସଭାଜନ ହୋଇପାରିବ ନାହିଁ । ଆଗକୁ ଅନେକ ନେତା ବିଜେଡି ଛାଡି ବିଜେପିରେ ସାମିଲ ହେବେ । ବହୁତ ବଡ ବଡ ନେତା ବିଜେପି ସହ ଯୋଗାଯୋଗରେ ଅଛନ୍ତି କହି ଚର୍ଚ୍ଚାକୁ ହାୱା ଦେଇଛନ୍ତି ମନ୍ତ୍ରୀ ।
ସୂଚନାଯୋଗ୍ୟ ଯେ, ବିଜେଡି ଭାଙ୍ଗିଯିବା ନେଇ ବିଜେପି-ବିଜେଡି ନେତାଙ୍କ ମଧ୍ୟରେ ବୟାନବାଜି ବଢୁଥିବାବେଳେ ବିରୋଧୀ ଦଳ ବିଜେଡିକୁ ବଡ ଝଟକା ଲାଗିଛି । ଢେଙ୍କାନାଳ ଗଁଦିଆ ବ୍ଲକ ଅଧ୍ୟକ୍ଷା ରୀନାରାଣୀ ଖଟୁଆ ବିଜେଡି ଛାଡି ବିଜେପିରେ ସାମିଲ ହୋଇଛନ୍ତି । ତାଙ୍କ ସହ ବିଜେଡି ସମର୍ଥିତ ଅନେକ ସରପଞ୍ଚ ଓ ସମିତିସଭ୍ୟ ବି ବିଜେପିରେ ମିଶିଛନ୍ତି ।