କନକ ବ୍ୟୁରୋ: ଖଣି ଦୁର୍ନୀତିକୁ ନେଇ ରାଜ୍ୟ ସରକାରଙ୍କୁ ବିଜେଡିର ଟାର୍ଗେଟ । ସାମ୍ବାଦିକ ସମ୍ମିଳନୀ କରି ବର୍ଷିଲା ବିଜୁ ଜନତା ଦଳ । ବିଜେଡି ଅଭିଯୋଗ କରିଛି, ରାଜ୍ୟରେ ଖଣିଜ ପଦାର୍ଥ ଲୁଟର ସର୍ଦ୍ଦାର ସାଜିଛନ୍ତି ରାଜ୍ୟ ସରକାର ।  ଶାସକ ଦଳର ବିଧାୟକମାନଙ୍କ ମାଧ୍ୟମରେ ଏହାର ନେଟୱର୍କ ମୁଖ୍ୟମନ୍ତ୍ରୀଙ୍କ ପର୍ଯ୍ୟନ୍ତ ଲମ୍ବିଛି । ଏ ସରକାର ମାଫିଆଙ୍କ କବଳରେ ରହିଛି । ଖଣିର ମାଲିକଙ୍କ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଉ ନାହିଁ । ଯେଉଁଠି ବେଆଇନ ଖଣି ଖୋଳା ଚାଲିଛି ସେଠାରେ କାର୍ଯ୍ୟାନୁଷ୍ଠାନ ହେଉ ନାହିଁ । ଖଣି ମାଫିଆ ଦିନରେ ଚୋରି କରୁଛନ୍ତି । ଏହାକୁ ସରକାର ପ୍ରୋତ୍ସାହନ ଦେଉଛନ୍ତି ବୋଲି ବିଜେଡି ଅଭିଯୋଗ କରିଛି । କେନ୍ଦୁଝରରେ ସର୍ବାଧିକ ଚୋରା ଖଣି କାରବାର ହେଉଛି ବୋଲି ଦଳ ଅଭିଯୋଗ କରିଛି । ଧର୍ମଶାଳାର ୮୪ ଖଣିରୁ ୨୦ଟି ଖଣି ଚାଲୁଛି । ବାକି ବନ୍ଦ ଅଛି । ଏଗୁଡ଼ିକୁ ବନ୍ଦ କରିବାର ମୁଖ୍ୟ କାରଣ ବେଆଇନ ଖଣି ଚଳାଇଲେ ଅଧିକ ଦୁର୍ନୀତି କରିହେବ। ଯାଜପୁର ଜିଲ୍ଲାରେ ୨୩ଟି ଥାନା ଅଛି । ଜେନାପୁର ଥାନା ହେଉଛି ରାଜ୍ୟର ସବୁଠାରୁ ଅଧିକ ଖଣିଜ ପଦାର୍ଥ ଥିବା ଥାନା । ହେଲେ ସେଠାରେ ଗାଡି ସିଜ ହେଉନାହିଁ । ଏମିତି କି ଅନେକ ଖଣିକୁ ବେଆଇନ ଘୋଷଣା କରି ଦୁର୍ନୀତି କରୁଛନ୍ତି ।