NAC POLITICS
କନକ ବ୍ୟୁରୋ: ଗତକାଲି ନୂଆ ଏନଏସି ଏବଂ ମ୍ୟୁନିସିପାଲଟି ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଘୋଷଣା କରିବା ପରେ ଏବେ ଏହାକୁ ନେଇ ସରକାରକୁ ଟାର୍ଗେଟ୍ କରିଛି ବିଜେଡି । ବିଜେଡି ନେତା ଆଜି ସାମ୍ବାଦିକ ସମ୍ମିଳନୀ କରିବା ସହିତ ମୋହନ ସରକାରକୁ ଶବ୍ଦର ତୀରରେ ଆକ୍ରମଣ କରିଛନ୍ତି । ବିଜେଡି ନେତା କହିଛନ୍ତି, ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୫୬ଟି NAC ଘୋଷଣା କରିଥିଲେ । ଜନସଂଖ୍ୟା ସହ ଯେଉଁ ପାରାମିଟର ରହିଛି ସେହି ଆଧାରରେ ଘୋଷଣା କରିଥିଲେ ନବୀନ ପଟ୍ଟନାୟକ । ସେତେବେଳେ ଜିଲ୍ଲାପାଳଙ୍କ ରିପୋର୍ଟ ଅନୁସାରେ ଏହା ଘୋଷଣା କରାଯାଇଥିଲା। କିନ୍ତୁ ବର୍ତ୍ତମାନ ସରକାର ଯେଉଁ ପୁନଃ ଘୋଷଣା କରିଛନ୍ତି, ସେଥିରେ ୧୬ ଜିଲ୍ଲାର ୪୨ଟି NAC ବାଦ୍ ପଡ଼ିଛି ବୋଲି ବିଜେଡି ନେତା କହିଛନ୍ତି ।
ଅନ୍ୟପଟେ ବର୍ତ୍ତମାନ ସରକାର ଯେଉଁ ୨୮ ଟି ଘୋଷଣା କରିଛନ୍ତି ସେଥିରେ ପୂର୍ବ ଘୋଷଣାର ମାତ୍ର ୧୨ ଟି NAC ସ୍ଥାନ ପାଇଛି। ତେଣୁ ପୂର୍ବରୁ ଘୋଷଣା ହୋଇଥିବା ୪୨ଟି NAC କୁ ତୁରନ୍ତ ସରକାର ବିଚାରକୁ ନିଅନ୍ତୁ ବୋଲି ବିଜେଡି ନେତା ଦାବି କରିଛନ୍ତି । ଏହାସହ ପୁନଃ ଘୋଷଣା ହୋଇଥିବା ସମସ୍ତ NACର ତୁରନ୍ତ ଗେଜେଟ୍ ବିଜ୍ଞପ୍ତି ପ୍ରକାଶ ପାଇଁ ବିଜେଡି ଦାବି କରିଛି । ଏହାସହ କଣ୍ଟାବାଞ୍ଜିକୁ NACରୁ ମ୍ୟୁନିସିପାଲିଟି ପାଇଁ ନବୀନ ପଟ୍ଟନାୟକ ଘୋଷଣା କରିଥିଲେ। ସରକାର ଏ ଦିଗରେ ପଦକ୍ଷେପ ନିଅନ୍ତୁ। ସରକାର ଏହା ନ କଲେ ବିଜେଡି ରାଜରାସ୍ତାକୁ ଆସିବାକୁ ବାଧ୍ୟହେବ ବୋଲି କହିଛି ବିଜେଡି। ବିଜେଡି ଅଭିଯୋଗ କରିଛି ସରକାର ଲୋକଙ୍କ ସମସ୍ୟାକୁ ଗୁରୁତ୍ବ ଦେଉନାହାନ୍ତି, କେବକ ଦଳକୁ ସୁହେଇବା ଭଳି ଘୋଷଣା କରିଛନ୍ତି ।
ସେପଟେ NAC ଓ ମ୍ୟୁନିସିପାଲିଟି ଘୋଷଣା ନେଇ ବିଜେଡିର ଅଭିଯୋଗ ଉପରେ କଡ଼ା ଜବାବ ରଖିଛି ବିଜେପି । ପୂର୍ବତନ କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ ପ୍ରତିକ୍ରିୟା ଦେଇ ପ୍ରଶ୍ନ କରିଛନ୍ତି, ପୂର୍ବ ବିଜେଡ଼ି ସରକାର ଘୋଷଣା କରି କାହିଁକି କାର୍ଯ୍ୟକାରୀ କରିନଥିଲେ? ଯଦି କାର୍ଯ୍ୟକାରୀ କରିଥାନ୍ତେ, ତେବେ ବହୁତ ବଡ଼ ପଦକ୍ଷେପ ହୋଇଥାନ୍ତା । କିନ୍ତୁ ବିଜେପି ସରକାର ଦେଢ଼ ବର୍ଷ ହୋଇନି, ହେଲେ ଯେଉଁଠି ଆବଶ୍ୟକତା ଅଛି ଏବଂ ଯେଉଁଠୁ ପ୍ରସ୍ତାବ ଆସିଲା, ତାକୁ ବହୁ ପରୀକ୍ଷା ନିରୀକ୍ଷା କରି NAC ଘୋଷଣା କରିଛନ୍ତି ବିଜେପି ସରକାର । ଏଥିରେ କୌଣସି ରାଜନୀତି କିମ୍ବା ପାତରଅନ୍ତର ହୋଇନାହିଁ । ସରକାର ଓଡ଼ିଶାବାସୀଙ୍କ ହିତକୁ ଦୃଷ୍ଟିରେ ରଖି NAC ଓ ମ୍ୟୁନିସିପାଲିଟି ଘୋଷଣା କରିଛନ୍ତି ସରକାର ।
Follow Us