କନକ ବ୍ୟୁରୋ : କଣାସରେ ବ୍ୟାପୁଥିବା ଡାଇରିଆ ପ୍ରସଙ୍ଗକୁ ନେଇ ସାମ୍ବାଦିକ ସମ୍ମିଳନୀ କରିଛି ବିଜେଡି । ୧୦ ଦିନ ହେଲା ହଇଜା ବ୍ୟାପୁଥିବା ବେଳେ ୪ ଜଣଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ସେହି ଅଂଚଳରେ ପର୍ଯ୍ୟାପ୍ତ ପରିମାଣରେ ପିଇବା ପାଣି ନାହିଁ। ସ୍ୱାସ୍ଥ୍ୟ ମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ସେହି ଅଂଚଳକୁ ଯାଇନଥିବା ଅଭିଯୋଗ କରିଛି ବିଜେଡି । 

Advertisment

ସେହିପରି ଆମ୍ବୁଲାନ୍ସ ଠିକ ସମୟରେ ପହଂଚି ପାରୁନାହିଁ । ହସ୍ପିଟାଲରେ ଡାକ୍ତର ଅଭାବ ଥିବା କହି ବିଜେଡି ସରକାରଙ୍କୁ ଟାର୍ଗେଟ କରିଛି । ହଇଜାରେ ପ୍ରାଣ ହରାଇଥିବା ଲୋକଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କାର କ୍ଷତିପୂରଣ ଦାବି କରିଛି ବିଜେଡି । 

କଣାସରେ ଝାଡାବାନ୍ତି ସଂକ୍ରମଣ ପାଇଁ ବନ୍ଦ ହେଲା ବାହାଘର ଭୋଜି । ଦିନକୁ ଦିନ ଝାଡ଼ାବାନ୍ତି ବ୍ୟାପୁଥିବାରୁ ଦୟାନଦୀ ପାଣି ବ୍ୟବହାର ନକରିବାକୁ ଲୋକଙ୍କୁ ସଚେତନ କରାଉଛି ପ୍ରଶାସନ । ଏପରିକି ସାମୁହିକ ଭୋଜି ଭାତ ବନ୍ଦ କରିବାକୁ ଲୋକଙ୍କୁ ନିବେଦନ କରାଯାଉଛି । ତେବେ କଣାସ ନୁଆ ଦୋକନ୍ଦା ଗାଁର ବିଜୟ ବେହେରାଙ୍କ ଝିଅ ଗଡ଼ିଶାଗଦା ପଂଚାୟତର ନଈ କୁଳ ପାଟଣା ଗାଁରେ ବାହାଘର ହୋଇଛି । ପୂର୍ବ ପ୍ରସ୍ତୁତ ଅନୁସାରେ ୨ହଜାର ଲୋକଙ୍କ ପାଇଁ ଭୋଜିଭାତ ବରଯାତ୍ରୀଙ୍କ ଖାଇବା ହେବାର ବ୍ୟବସ୍ଥା ଥିଲା । 

ଏହି ଖବର ପାଇ କଣାସ ବିଡ଼ିଓ, ତହସିଲଦାର, ଦୋକନ୍ଦା ସରପଞ୍ଚଙ୍କ ଉପସ୍ଥିତରେ ଏହି ଭୋଜି ଭାତ ନକରିବାକୁ କନ୍ୟାଘରକୁ ବୁଝାସୁଝା କରାଯାଇଥିଲା । ପରେ ଉଭୟ ପକ୍ଷର ସହମତିରେ କ୍ରମେ ମାତ୍ର କେଇଜଣଙ୍କ ଉପସ୍ଥିତରେ ରୀତି ନିତିରେ ବିବାହ ସମ୍ପର୍ଣ ହୋଇଥିଲା ।  ଭୋଜି ସମ୍ପୂର୍ଣ ବନ୍ଦ କରାଯାଇଥିଲା । କାରଣ ଉଭୟ ପୁଅ ଓ ଝିଅ ଗାଁରେ ଏବେ ଝାଡା ବାନ୍ତି ଆକ୍ରାନ୍ତରେ ପୀଡିତ ଅଛନ୍ତି ଲୋକେ । କଣାସ ବ୍ଲକର ନୁଆଁଗାଁ, ପାଣ୍ଡିଆକେରା, ଜାମଳଗଦା, ଗଡ଼ିଶାଗଦା, ଗୋପୀନାଥ ପୁର, ଦୋକନ୍ଦା, କାଦୁଆ ପଂଚାୟତର ଅନେକ ଗାଁରେ ଏବେ ଝାଡାବାନ୍ତି ବ୍ୟାପିଛି । ଅନେକ ଲୋକ ଏବେ ବି ମେଡିକାଲରେ ଚିକିତ୍ସିତ ହେଉଛନ୍ତି ।