କନକ ବ୍ୟୁରୋ : ଆଉ ଦିନକ ପରେ ଉପରାଷ୍ଟ୍ରପତି ନିର୍ବାଚନ । କିନ୍ତୁ କାହାକୁ ସମର୍ଥନ ଦେବ ସେନେଇ ନିଷ୍ପତ୍ତି ନେଇପାରୁନି ବିଜେଡି । ୯ ତାରିଖରେ ନିର୍ବାଚନ ଥିବାବେଳେ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ଆଜି ୪ ଦିନିଆ ଦିଲ୍ଲୀ ଗସ୍ତରେ ଯାଇଛନ୍ତି । ତେଣୁ ଉପରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ନବୀନଙ୍କ ଏହି ଗସ୍ତକୁ ରାଜନୈତିକ ମହଲରେ ବେଶ୍ ଗୁରୁତ୍ବ ଦେଉଛନ୍ତି । ଗସ୍ତ ପୂର୍ବରୁ ଗତକାଲି ବିଜେଡିର ରାଜନୈତିକ ବ୍ୟାପାର କମିଟି ବୈଠକ ବସିଥିଲା । ଏନଡିଏ କି ଇଣ୍ଡିଆ କାହାକୁ ସମର୍ଥନ ଦିଆଯିବ ସେନେଇ ନିଷ୍ପତ୍ତି ନେବାକୁ ଦଳର ସୁପ୍ରିମୋଙ୍କୁ କ୍ଷମତା ଦେଇଛି କମିଟି । ତେଣୁ ବିଚାରବିମର୍ଷ ପରେ ଦିଲ୍ଲୀରେ କାଲି ଏ ବାବଦରେ ନବୀନ ପଟ୍ଟନାୟକ ଘୋଷଣା କରିବା ସମ୍ଭାବନା ରହିଛି । 

କାହାକୁ ସମର୍ଥନ ଦେବ ବିଜେଡି? 
ନିରବ ରହି ନିରପେକ୍ଷତାର ବାର୍ତ୍ତା ଦେବ କି ? 

Advertisment

ନବୀନ ଗତମାସରେ ଅସୁସ୍ଥ ଥିବାବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେଙ୍କ ସମେତ ଅନେକ ଦଳର ନେତା ସ୍ବାସ୍ଥ୍ୟବସ୍ଥା ପଚାରି ବୁଝିଥିଲେ । ନବୀନ ଦିଲ୍ଲୀ ଆସିଲେ ଭେଟିବାକୁ ବି ଅନୁରୋଧ କରିଥିଲେ । ଏବେ ନବୀନ ଦିଲ୍ଲୀ ଯାଇଥିବାରୁ ଭିନ୍ନ ଭିନ୍ନ ଆକଳନ କରୁଛନ୍ତି ରାଜନୈତିକ ସମୀକ୍ଷକ । 

କାହାକୁ ସମର୍ଥନ ଦେବ ବିଜେଡି ?  

- ଏନ୍‌ଡିଏକୁ ସମର୍ଥନ କଲେ ଭୋଟରଙ୍କ ପାଖକୁ ଭୁଲ ବାର୍ତ୍ତା ଯିବ
- ଦଳୀୟ ଆଭ୍ୟନ୍ତରୀଣ କନ୍ଦଳ ବଢ଼ିବା ସମ୍ଭାବନା ମଧ୍ୟ ରହିଛି
- ଇଣ୍ଡି ପ୍ରାର୍ଥୀଙ୍କୁ ସମର୍ଥନ କଲେ କଂଗ୍ରେସର ନିକଟବର୍ତ୍ତୀ ହେଉଥିବା ଜଣାପଡ଼ିବ

ତେଣୁ ଏଭଳି କ୍ଷେତ୍ରରେ ମଙ୍ଗଳବାର ଭୋଟ୍‌ଦାନରୁ ବିରତ ରହିବା ସମ୍ଭାବନା ଅଧିକ ବୋଲି କୁହାଯାଉଛି । ତେବେ ଏ ବାବଦରେ ବିଜେଡି ସୁପ୍ରିମୋ ଚୂଡ଼ାନ୍ତ ନିଷ୍ପତ୍ତି ନେବେ । ଶାସକ ଦଳରେ ଥିବାବେଳେ ବିଜେଡି ଉପରାଷ୍ଟ୍ରପତି ନିର୍ବାଚନକୁ ନେଇ ବାରମ୍ବାର ନିଜର ଆଭିମୁଖ୍ୟ ବଦଳାଇଛି । କିନ୍ତୁ ବିରୋଧୀ ଆସନକୁ ଆସିବା ପରେ ୱାକଫ ବିଲକୁ ସମର୍ଥନ ଦଳରେ ଆଭ୍ୟନ୍ତରୀଣ କନ୍ଦଳକୁ ବଢ଼ାଇ ଦେଇଛି । ଏପରି ସ୍ଥିତିରେ ନବୀନ କି ନିଷ୍ପତ୍ତି ନେଉଛନ୍ତି, ତା’ଉପରେ ସମସ୍ତଙ୍କ ନଜର ଅଟକିଛି ।