କନକ ବ୍ୟୁରୋ: ବିଧାନସଭାରେ ବିରୋଧୀ ବିଜେଡି ବିଧାୟକଙ୍କ ହୋହ୍ଲାଲା, ଆଉ କଂଗ୍ରେସ ବିଧାୟକଙ୍କ ଲଗାତାର ଆନ୍ଦୋଳନ କରିବା ପରେ, ଏବେ ସିଧା ଶଙ୍ଖ ସୁପ୍ରିମୋଙ୍କୁ ଟାର୍ଗେଟ୍ କରିବା ଆରମ୍ଭ କରିଛି ବିଜେପି । ବିଜେଡିକୁ ବଞ୍ଚେଇବାକୁ କୁଆଡେ, ନବୀନ ଏବେ ଦିଲ୍ଲୀ ମୁହାଁ ହେଉଛନ୍ତି, ଆଉ ଇଣ୍ଡି ମେଣ୍ଟ ସାହାଯ୍ୟରେ ଅସ୍ଥିତ୍ୱ ବଞ୍ଚେଇବାକୁ ନବୀନ ଚେଷ୍ଟା କରୁଛନ୍ତି ବୋଲି କହିବା ସହିତ, ବଡ଼ ବୟାନ ରଖିଛନ୍ତି ବିଜେପି ବିଧାୟକ ।
ଗୁରୁବାର ବିଧାନସଭାରେ ବିଜେପିର ବିଧାୟକ ସରୋଜ ପାଢୀ, ନବୀନଙ୍କୁ ନେଇ ରଖିଥିଲେ ବଡ଼ ବୟାନ । କହିଥିଲେ, ଷ୍ଟାଲିନଙ୍କ ମନ୍ତ୍ରୀଙ୍କ ସହ ମିଟିଂ ପରେ ଏବେ, ଇଣ୍ଡି ମେଣ୍ଟ ମୁଁହା ହେଉଥିବା ସଙ୍କେତ ଦେଇଛନ୍ତି ନବୀନ । ଏଥିପାଇଁ ସେ ଦିଲ୍ଲୀ ମୁହାଁ ହେଇଛନ୍ତି । ତେବେ ନବୀନ କିନ୍ତୁ ଯାହାର ବି ସାହାରା ନିଅନ୍ତି, ତାକୁ ହିଁ ଧ୍ୱଂସ କରନ୍ତି । ବିଜେପି ସହ ରହି, ସେ ବିଜେପିକୁ ବି ଧ୍ୱଂସ କରିବାକୁ ଚାହୁଁଥିଲେ, ହେଲେ ଏବେ ନିଜ ଦଳ ଭୁଶୁଡିବାକୁ ବସିଲାଣି ବୋଲି କହି, ନବୀନଙ୍କୁ ତେରେଛା ତୀର ମାରିଛନ୍ତି ସରୋଜ ପାଢୀ ।
ତେବେ ଓଡ଼ିଶାର ରାଜନୈତିକ ଇତିହାସରେ, ନବୀନ ଏବେ ଯାଏଁ କେବଳ ବିଜେପି ସହ ହିଁ ମେଣ୍ଟ କରିଛନ୍ତି । ୨୦୦୯ ମସିହା ପର୍ୟ୍ୟନ୍ତ ନବୀନ, ବିଜେପି ସହ ରହି ନିର୍ବାଚନ ଲଢିଥିଲେ । ହେଲେ ଏହାପରେ କିନ୍ତୁ, ସମଦୂରତ୍ୱ ନୀତି ଆପଣେଥିଲେ ଶଙ୍ଖ ସୁପ୍ରିମୋ । ୨୦୨୪ ନିର୍ବାଚନ ପୂର୍ବରୁ ବିଜେଡି-ବିଜେପି ମେଣ୍ଟ ନେଇ ତମାମ ଆଲୋଚନା ହେଇଥିଲା ସତ, ହେଲେ ଶେଷରେ କିନ୍ତୁ, ଦୁଇ ଦଳ ଭିତରେ ମେଣ୍ଟ ସମ୍ଭବ ହେଇନଥିଲା ।
ଏବେ ବିଧାନସଭାରେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ବିଜେପି ବି ଲଗାତାର, ବିଜେଡିକୁ ଟାର୍ଗେଟ୍ କରିବାରେ ବ୍ୟସ୍ତ । ଆଉ ଏଭଳି ସମୟରେ ଏବେ ଦଳ ବଞ୍ଚେଇବାକୁ ନବୀନ, କୁଆଡେ କଂଗ୍ରେସର ହାତ ଧରିପାରନ୍ତି ବୋଲି ସରୋଜ ପାଢୀ କହିବା ପରେ, ଏହି ଚର୍ଚ୍ଚା ରାଜ୍ୟ ରାଜନୀତିକୁ ସରଗରମ କରିଛି ।