କନକ ବ୍ୟୁରୋ: ରାଜନୀତି କ୍ୟାରିୟରରେ ପ୍ରଥମଥର ପାଇଁ ଦୀର୍ଘ ୨୨ ଦିନ ଓଡ଼ିଶା ବାହାରେ ରହିଥିଲେ ନବୀନ । ଅସ୍ତ୍ରୋପଚାର ପରେ ଏବେ ବିଜେଡି ମୁଖିଆ ଓଡ଼ିଶା ଫେରିଛନ୍ତି। କର୍ମୀଙ୍କୁ ବଳ ଦେଇଛି ନବୀନଙ୍କ ଆଗମନ । ହେଲେ ସଙ୍ଗଠନକୁ କେମିତି ଇନ୍ଧନ ଦେବେ ନବୀନ ତାହା ସବୁଠୁ ବଡ ପ୍ରଶ୍ନ ।
ଜୁନ୍ ୨୦ରେ ଅସୁସ୍ଥ ନବୀନ ମୁମ୍ବାଇ ଗଲାବେଳେ ଯେମିତି ବିମାନବନ୍ଦର ଲୋକାରଣ୍ୟ ଥିଲା । ଠିକ୍ ସେହିଭଳି ସୁସ୍ଥ ହୋଇ ଆଜି ମୁମ୍ବାଇରୁ ଫେରିବା ବେଳେ ବିଜୁ ପଟ୍ଟନାୟକ ବିମାନବନ୍ଦରରେ ଜନଗହଳି ଦେଖିବାକୁ ମିଳିଥିଲା । ଦୀର୍ଘ ୨୨ ଦିନ ପରେ ଦଳର ମୁଖିଆ ମୁମ୍ବାଇରୁ ଫେରୁଥିବାରୁ ଚଳଚଞ୍ଚଳ ହୋଇ ଉଠିଥିଲା ବିଜେଡି ଶିବିର । ହଜାର ହଜାର ବିଜେଡି କର୍ମୀ ଓ ନେତା ଉତ୍ସାହର ସହ ଦଳର ସୁପ୍ରିମୋଙ୍କୁ ଅପେକ୍ଷା କରିଥିଲେ । ନବୀନ ନିବାସରେ ମଧ୍ୟ ପ୍ରିୟ ନେତାଙ୍କୁ ଶଙ୍ଖୋଳି ନେବାକୁ ଏକାଠି ହୋଇଥିଲେ ବିଜେଡିର ମହିଳା ୱିଙ୍ଗ୍ । ବିମାନବନ୍ଦରରେ ପହଞ୍ଚିବା ପରେ ଭବ୍ୟ ସ୍ବାଗତ ସହ ନବୀନ ନିବାସ ପର୍ଯ୍ୟନ୍ତ ବିଜେଡି ସଭାପତିଙ୍କୁ କର୍ଡନ କରି ନେଇଥିଲେ ଦଳର ଛାମୁଆ ନେତା ଓ କର୍ମୀ ।
ଦୀର୍ଘ ୨୨ ଦିନ ଧରି ନବୀନଙ୍କ ବିନା ଖାଁ ଖାଁ ଲାଗୁଥିଲା ବିଜେଡି କ୍ୟାମ୍ପ । ଛୋଟମୋଟ ପ୍ରତିବାଦ ଓ ଆନ୍ଦୋଳନକୁ ଛାଡିଦେଲେ ବିଜେଡିର ଉପସ୍ଥିତି ଶଙ୍ଖଭବନରେ ସୀମିତ ଥିଲା । ନବୀନ ନଥିବାରୁ ଦଳର କର୍ମୀଙ୍କ ଭିତରେ ଜୋଶ ଦେଖିବାକୁ ମିଳୁନଥିଲା । ନବୀନ ମୁମ୍ବାଇରୁ ଫେରିବା ପରେ ପୁଣିଥରେ ବିଜେଡି ରାଜନୀତି କଡ ଲେଉଟାଇବ ବୋଲି ଚର୍ଚ୍ଚା ହେଉଛି । କଂଗ୍ରେସ ଓ ବିଜେପି ସାଙ୍ଗଠନିକ ଶକ୍ତି ବଢାଉଥିବା ବେଳେ ବିଜେଡି ପାଇଁ ସଙ୍ଗଠନକୁ ବଞ୍ଚାଇବା ଏବେ ବଡ ଚ୍ୟାଲେଞ୍ଜ । କାରଣ ନବୀନ ଏବେ ଗ୍ରାଉଣ୍ଡକୁ ଓହ୍ଲାଇବେ କି ନାହିଁ ତାହାକୁ ନେଇ ସନ୍ଦେହ ।
ଜୁନ୍ ୨୦ରେ ପ୍ରଧାନମନ୍ତ୍ରୀ ମୋଦୀ ଓ ଜୁଲାଇ ୧୧ରେ ରାହୁଲ ଗାନ୍ଧୀ ଆସି କର୍ମୀଙ୍କ ମନରେ ଜୋଶ ଭରିଲେ। ନିର୍ବାଚନ ପରାଜୟର ୧୩ ମାସ ପରେ ନବୀନଙ୍କ ଜିଲ୍ଲାଗସ୍ତ ଏବେ ବି ଆରମ୍ଭ ହୋଇନି। ଯାହା ବିଜେଡି ସଙ୍ଗଠନକୁ ଭିତରେ ଭିତରେ ଦୁର୍ବଳ କରୁଛି।