କନକ ବ୍ୟୁରୋ : ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କର ଆଜି ୭୯ ତମ ଜନ୍ମଦିନ । ଏହି ଅବସରରେ ଚାରିଆଡୁ ତାଙ୍କୁ ଶୁଭେଚ୍ଛାର ସୁଅ ଛୁଟୁଥିବା ବେଳେ ନବୀନ କିନ୍ତୁ ଜନ୍ମଦିନ ଉତ୍ସବକୁ ରାଜନୀତିର ରଙ୍ଗ ଦେଇଛନ୍ତି । ଜନ୍ମଦିନ ଅବସରରେ ସେ ପଦଯାତ୍ରା କରିଛନ୍ତି । ରାଜଧାନୀର ଏକାମ୍ର ନିର୍ବାଚନମଣ୍ଡଳୀରେ ନବୀନ ପଟ୍ଟନାୟକ ପଦଯାତ୍ରା କରିଛନ୍ତି । ନବୀନ ପଟ୍ଟନାୟକ ଏହି ଜନସମ୍ପର୍କ ଯାତ୍ରା ନବୀନ ନିବାସରୁ ବାହାର କରିଛନ୍ତି । ହଜାର ହଜାର ଦଳୀୟ କର୍ମୀ, ସାଥୀ ଓ ସମର୍ଥକ ତାଙ୍କୁ ଏକାମ୍ର ନିର୍ବାଚନମଣ୍ଡଳୀରେ ସ୍ୱାଗତ କରିଛନ୍ତି । ଏକାମ୍ର ନିର୍ବାଚନମଣ୍ଡଳୀର ପୂର୍ବତନ ବିଧାୟକ ଅଶୋକ ପଣ୍ଡା ଏକ ସଭାର ଆୟୋଜନ କରିଛନ୍ତି । ଏହି ସଭାରେ ଏକାମ୍ର ନିର୍ବାଚନମଣ୍ଡଳୀର ନେତାଙ୍କ ସହ ବିଜେଡି ସମର୍ଥକମାନେ ନବୀନଙ୍କ ସହ ପଦଯାତ୍ରାରେ ସାମିଲ ହୋଇଛନ୍ତି । ସେପଟେ ନବୀନଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ସେ ନବୀନଙ୍କୁ ଫୋନ ଯୋଗେ ଶୁଭେଚ୍ଛା ଜଣାଇବା ସହ ଦୀର୍ଘାୟୁ କାମନା କରିଛନ୍ତି ।
ଓଡ଼ିଶା ଶାସନର ଦୀର୍ଘ ୨୪ ବର୍ଷ ମୁଖ୍ୟମନ୍ତ୍ରୀ ରହିଥିବା ନବୀନ ପଟ୍ଟନାୟକଙ୍କୁ ଆଜି ୭୯ ବର୍ଷ ହୋଇଛି । ୧୯୪୬ ମସିହା ଅକ୍ଟୋବର ୧୬ ତାରିଖରେ ସେ ଜନ୍ମଗ୍ରହଣ କରିଥିଲେ । ୧୯୯୭ ରେ ପିତା ତଥା ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ମୃତ୍ୟୁ ପରେ ନବୀନ ପ୍ରଥମଥର ଲୋକସଭା ନିର୍ବାଚନ ଲଢ଼ିଥିଲେ । ପରବର୍ତ୍ତୀ ସମୟରେ ବିଜେଡି ଗଠନ ହୋଇଥିଲା ଓ ନବୀନ ପଟ୍ଟନାୟକ ବିଜେଡିର ସଭାପତି ହୋଇଥିଲେ । ୨୦୦୦ ମସିହାରେ ବିଜେଡି ଓ ବିଜେପି ମେଣ୍ଟ ଶାସନକୁ ଆସିବା ପରେ ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଆସନ ଅଳଙ୍କୃତ କରିଥିଲେ । ୨୦୦୦ ରୁ ୨୦୨୪ ମସିହା ପର୍ଯ୍ୟନ୍ତ ନବୀନ ପଟ୍ଟନାୟକ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ଦଳର ସଭାପତି ପଦରେ ରହିଥିଲେ । ଲମ୍ବା ସମୟ ଧରି ମୁଖ୍ୟମନ୍ତ୍ରୀ ରହିବାରେ ସେ ଦେଶର ଦ୍ୱିତୀୟ ମୁଖ୍ୟମନ୍ତ୍ରୀ ।
ସେପଟେ ସାମ୍ନାରେ ନୂଆପଡ଼ା ଉପନିର୍ବାଚନ ରହିଛି । ସେଠି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ପହଂଚି ଦଳୀୟ ପ୍ରାର୍ଥୀ ଜୟ ଢୋଲକିଆଙ୍କ ନାମାଙ୍କନରେ ସାମିଲ ହେବା ସହ ଜୟଙ୍କ ପାଇଁ ପ୍ରଚାର କରିବେ । କିନ୍ତୁ ନୂଆପଡ଼ା ପାଇଁ ନବୀନ ଏଥରକ ସରପ୍ରାଇଜ୍ କାର୍ଡ ଖେଳିଛନ୍ତି । ବରଗଡ଼ ଅତାବିରାରୁ ସ୍ନେହାଙ୍ଗିନୀ ଛୁରିଆଙ୍କୁ ଆଣି ଦଳ ଏଠାରେ ପ୍ରାର୍ଥୀ କରିଛି । ଆଉ ନବୀନ ଏ ନିଷ୍ପତ୍ତି ସମସ୍ତଙ୍କୁ ଚମକାଇ ଦେଇଛି । ଏଭଳି ପ୍ରାର୍ଥୀତ୍ୱ ପଛରେ ବିଜେଡିର କି ଯୋଜନା ଅଛି, ତାକୁ କେହି ବି ଠଉରାଇ ପାରୁନାହାଁନ୍ତି ।
୨୦୨୪ ନିର୍ବାଚନରେ ସେହ୍ନାଙ୍ଗିନୀ ଛୁରିଆ ଅତାବିରା ବିଧାନସଭା ଆସନରୁ ପ୍ରାର୍ଥୀ ହେଇଥିଲେ । ହେଲେ ବିଜେପି ପ୍ରାର୍ଥୀ କିନ୍ତୁ ତାଙ୍କୁ ୨୯ ହଜାରରୁ ଅଧିକ ଭୋଟ ବ୍ୟବଧାନରେ ହରାଇ ଦେଇଥିଲେ । ତେଣୁ ନୂଆପଡ଼ା ଜିତିବାକୁ ସ୍ନେହାଙ୍ଗିନୀ ଏବେ କେଉଁ ରଣନୀତି ଆପଣାଇବେ, ତାକୁ ନେଇ ଚର୍ଚ୍ଚା ବଢ଼ିଛି । କାହିଁକି ନା ନୂଆପଡ଼ାରେ ବିଜେଡିର ପ୍ରାର୍ଥୀ ହେବାକୁ ଅନେକ ନେତାଙ୍କ ନାଁ ଚର୍ଚ୍ଚା ହେଉଥିଲା । ଖାସ୍ କରି ମନୋଜ ମିଶ୍ରଙ୍କ ନାଁ ଏହି ଚର୍ଚ୍ଚାରେ ସବୁଠୁ ଆଗରେ ଥିଲା । ହେଲେ ନବୀନ ନିବାସରେ ମିଟିଂ ପରେ ବିଜେଡି ସୁପ୍ରିମୋ ସ୍ନେହାଙ୍ଗିନୀଙ୍କୁ ପ୍ରାର୍ଥୀ ଘୋଷଣା କରିଥିଲେ ।