କନକ ବ୍ୟୁରୋ : ନିର୍ବାଚନ ହାରିବା ପରେ ଦଳୀୟ ନେତାଙ୍କୁ ଅନେକ ଆଶ୍ୱସନା ଦେଇଥିଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଜିଲ୍ଲା ସ୍ତରୀୟ ସମୀକ୍ଷା ବୈଠକରେ ବିଧାୟକ ଓ ନେତାଙ୍କୁ କହିଥିଲେ ନଭେମ୍ୱରରେ ଜିଲ୍ଲା ଗସ୍ତରେ ଯିବେ । ହେଲେ ନଭେମ୍ବର ମାସର ପ୍ରଥମ ସପ୍ତାହ ସରିବାକୁ ବସିଲାଣି, କିନ୍ତୁ ଏ ପର୍ୟ୍ୟନ୍ତ ମଇଦାନକୁ ଓହ୍ଲାଇ ନାହାନ୍ତି ନବୀନ । କିଛି ଦିନ ପୂର୍ବରୁ ଦଳର ସମନ୍ୱୟ ବୈଠକରେ ମଧ୍ୟ ପ୍ରସ୍ତାବ ପାରିତ ହୋଇଥିଲା । ଏଥିରେ କମିଟି ପକ୍ଷରୁ ସୁପ୍ରିମୋଙ୍କୁ ଜିଲ୍ଲା ଗସ୍ତ ପାଇଁ ପ୍ରସ୍ତାବ ଦିଆଯାଇଥିଲା ।

Advertisment

ଅସନ୍ତୋଷ ନିଆଁରେ କୁହୁଳୁଥିବା ବିଜେଡିକୁ କେମିତି ଟ୍ରାକକୁ ଆଣିବେ ନବୀନ । ଯାହା ତାଙ୍କ ପାଇଁ ବଡ ଆହ୍ୱାନ ହେବାକୁ ଯାଉଛି । କାରଣ ପ୍ରତେକ ଦିନ ମାଳ ମାଳ ନେତା ଅସନ୍ତୋଷ ଝାଡୁଛନ୍ତି । ଏପରିକି ଅଧିକାଂଶ ନିର୍ବାଚନ ମଣ୍ଡଳୀରେ ନେତା ନେତାଙ୍କ ମଧ୍ୟରେ ଛକାପଞ୍ଝା ଚାଲିଛି । ବିଭିନ୍ନ ଜିଲ୍ଲାରେ ଗୋଷ୍ଠୀ କନ୍ଦଳ ବଢ଼ିବାରେ ଲାଗିଛି । ଚର୍ଚ୍ଚା ହେଉଛି ଏହି ଗୋଷ୍ଠୀ କନ୍ଦଳକୁ ପ୍ରଥମେ ପଶମିତ କରିବେ, ତାପରେ ମଇଦାନକୁ ଓହ୍ଲାଇବେ ନବୀନ ।

ନିର୍ବାଚନ ହାରିବାକୁ ଏହା ଭିତରେ ଛଅ ମାସ ବିତି ଗଲାଣି । ବିଜେଡିର ବିଭିନ୍ନ କମିଟି ଭାଂଗିବାକୁ ପ୍ରାୟ ପାଞ୍ଚ ମାସ ବିତିଲାଣି । ହେଲେ, ଏପର୍ୟ୍ୟନ୍ତ ନା କମିଟି ଗଠନ ହୋଇପାରୁନି । ଯାହା ଫଳରେ ତୃଣମୂଳ ସ୍ତରରେ ଦଳୀୟ ସଂଗଠନ ଅସଜଡ଼ା ହୋଇଗଲାଣି । ଏଭଳି ସ୍ଥିତିରେ ମଇଦାନକୁ ଓହ୍ଲାଇବା ଓ ସଂଗଠନକୁ ସଜାଡିବା ନବୀନଙ୍କ ପାଇଁ ବଡ ଚ୍ୟାଲେଞ୍ଜ ।