କନକ ବ୍ୟୁରୋ: ଦେଢ଼ ମାସ ହେବ ରାଜ୍ୟର ସମସ୍ତ କମିଟିକୁ ଭାଙ୍ଗି ଦେଇଛନ୍ତି ବିଜେଡି ସୁପ୍ରିମୋ । ତେଣୁ ନୂଆ କିମିଟି କେବେ ଘୋଷଣା ହେବ ଏହାକୁ ଅପେକ୍ଷା କରିଛନ୍ତି ଦଳୀୟ ନେତା। ଦଳ ଏବେ କ୍ଷମତାରେ ନାହିଁ। ଅନ୍ୟପଟେ ପୁରୁଖା ନେତାଙ୍କୁ ଦଳ ଗୁରୁତ୍ବ ଦେଉଥିବା ଜଣାପଡିଛି। ଏପରି ସ୍ଥିତିରେ ଦଳୀୟ ପଦବୀ ପାଇଁ ଆଶାୟୀଙ୍କ ସଂଖ୍ୟା ଅଧିକ ରହିଛି। ଯାହା ଦଳ ପାଇଁ କଂଟା ସାଜିଥିବା କୁହାଯାଉଛି।

୭ ଜୁଲାଇ ୨୦୨୪ । ନିର୍ବାଚନରେ ବଡ଼ ବିପର୍ୟ୍ୟୟ ପରେ ହଠାତ ରାଜ୍ୟସ୍ତରୀୟ କମିଟିକୁ ଭାଙ୍ଗିଦେଲେ ବିଜେଡି ସୁପ୍ରିମୋ। ଯୁବ, ମହିଳା, ଛାତ୍ର ଓ ରାଜ୍ୟସ୍ତରୀୟ ସମସ୍ତ କମିଟିକୁ ଅକାମୀ କରିଦିଆଗଲା। ହେଲେ ଦେଢ଼ମାସରୁ ଅଧିକ ସମୟ ହେଲାଣି ନୂଆ କମିଟି ଘୋଷଣା କରୁନାହାନ୍ତି ନବୀନ। କଂଗ୍ରେସର ଷ୍ଟିଅରିଂ କମିଟି ଭଳି, ବିଜେଡି ଏକ ୧୫ ଜଣିଆ ସମନ୍ୱୟ କମିଟିରେ କାମ ଚଳାଇଛି। ବିଧାୟକଙ୍କୁ ଟ୍ରେନିଂ ହେଉ କିମ୍ୱା ବିଭିନ୍ନ ଜିଲ୍ଲାର ନେତାଙ୍କୁ ଡାକି ସମନ୍ୱୟ ହେଉ, ଏହି ୧୫ ଜଣିଆ କମିଟି ହିଁ ନିଷ୍ପତ୍ତି କାର୍ୟ୍ୟକାରୀ କରୁଛି। ତେଣୁ ପ୍ରଶ୍ନ ଉଠୁଛି କେତେଦିନ ଏମିତି ଚାଲିବ? କାହିଁକି କମିଟି ଘୋଷଣା କରିପାରୁ ନାହାନ୍ତି ବିଜେଡି ସୁପ୍ରିମୋ? କୁହାଯାଉଛି- 

କମିଟିରେ ସମସ୍ତଙ୍କୁ ସ୍ଥାନ ଦେଇ ସନ୍ତୁଷ୍ଟ କରିବା ସମ୍ଭବ ନୁହେଁ
ସମସ୍ତେ ବଡ଼ ପଦ ପଦବୀ ପାଇଁ ଆଶାୟୀ ଅଛନ୍ତି 
ଯୁବ, ଛାତ୍ର, ମହିଳା ସଂଗଠନ ନେତୃତ୍ବ ନେବାକୁ ଏକାଧିକ ଦାବିଦାର ଅଛନ୍ତି
ଆମଦାନୀ ନେତାଙ୍କୁ ଥଇଥାନ କରିବାର ଆହ୍ୱାନ ମଧ୍ୟ ରହିଛି
ପ୍ରଣବଙ୍କ ସ୍ଥାନରେ ସଂଗଠନର ମୋର୍ଚ୍ଚା କିଏ ସମ୍ଭାଳିବ?
ନିର୍ବାଚନରେ ଗୁରୁତ୍ୱ ହରାଇଥିବା ବରିଷ୍ଠ ନେତାଙ୍କୁ କମିଟିରେ କେମିତି ସନ୍ତୁଷ୍ଟ କରାଯିବ?

କମିଟି ଘୋଷଣାରେ ବିଳମ୍ୱ ହେଉଥିବାରୁ ଦଳରେ ଅସନ୍ତୋଷ ତେଜିଲାଣି। ବିଧାନସଭାରେ ଦଳ ଆକ୍ରମଣାତ୍ମକ ହେଉଥିବା ବେଳେ ଗ୍ରାଉଣ୍ଡରେ ପ୍ରଭାବହୀନ ହୋଇପଡିଛି । ସରକାରଙ୍କ ଦୋଷ ଦୁର୍ବଳତା ଦେଖି ଘେରିବା ପାଇଁ ନେତୃତ୍ୱ ସଂକଟ ଦେଖାଦେଲାଣି । କାରଣ ପଦ ମିଳିନଥିବାରୁ କାମ କରିବାକୁ ଆଗ୍ରହ ଦେଖାଉ ନାହାନ୍ତି ନେତା। 

ସବୁଠୁ ବଡକଥା ହେଉଛି ରାଜ୍ୟସ୍ତରୀୟ କମିଟି ଗଢ଼ିଲାବେଳେ କାହାକୁ ରଖିବେ, କାହାକୁ ବାଦ ଦେବେ ତାକୁ ନେଇ ଦ୍ୱନ୍ଦ୍ୱରେ ପଡ଼ିଛନ୍ତି ବିଜେଡି ସୁପ୍ରିମୋ। ଯେଉଁଥିପାଇଁ ପ୍ରାୟ ଦେଢମାସ ବିତିଗଲାଣି ବୋଲି ଚର୍ଚ୍ଚା ହେଉଛି।