କନକ ବ୍ୟୁରୋ: ବିଜେଡିର ଗଡ଼ କୁହାଯାଉଥିବା କେନ୍ଦ୍ରାପଡ଼ା ଜିଲ୍ଲାରେ ଶଙ୍ଖ ସଙ୍ଗଠନ ଏବେ ଭୁଶୁଡ଼ିବାରେ ଲାଗିଛି । ଗୋଟିଏ ପରେ ଗୋଟିଏ ବ୍ଲକରୁ ନେତା ଓ ଲୋକ ପ୍ରତିନିଧି ବିଜେଡି ଛାଡ଼ିବାରେ ଲାଗିଛନ୍ତି । ପୂର୍ବରୁ ମହାକାଳପଡ଼ା ପଞ୍ଚାୟତ ସମିତି ବିଜେଡି ହାତରୁ ଖସିଯାଇଥିବାବେଳେ ଏବେ ଜିଲ୍ଲାର ଅନ୍ୟ ବ୍ଲକରୁ ଶଙ୍ଖ ସମର୍ଥିତ ସରପଞ୍ଚ, ସମିତି ସଭ୍ୟ ଓ ଛାମୁଆ ନେତା ଦଳ ଛାଡ଼ିଛନ୍ତି ।

Advertisment

ଗତକାଲି ଜିଲ୍ଲା ସଂସ୍କୃତି ଭବନରେ କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ତାଙ୍କ ଉପସ୍ଥିତିରେ କେନ୍ଦ୍ରାପଡ଼ା ଜିଲ୍ଲାର ଚାରି ନିର୍ବାଚନମଣ୍ଡଳୀରୁ ୫୩ଜଣ ସରପଞ୍ଚ ଓ ସମିତି ସଭ୍ୟଙ୍କ ସମେତ ପୂର୍ବତନ ଜିଲ୍ଲା ପରିଷଦ ସଭାପତି, ପୂର୍ବତନ ପୌରପାଳିକା ଉପାଧ୍ୟକ୍ଷା ଏବ˚ ଅନେକ ଛାମୁଆ ନେତା ବିଜେପିରେ ସାମିଲ ହୋଇଛନ୍ତି । ତେବେ ସବୁଠୁ ଅଧିକ ସଂଖ୍ୟାରେ ଲୋକ ପ୍ରତିନିଧି ମହାକାଳାପଡ଼ା ନିର୍ବାଚନମଣ୍ତଳୀରୁ ବିଜେପିରେ ଯୋଗଦାନ କରିବା ଘଟଣା ବିଜେଡିର ହେଭିୱେଟ୍‌ ନେତା ପୂର୍ବତନ ବିଧାୟକ ଅତନୁ ସବ୍ୟସାଚୀ ନାୟକଙ୍କୁ ଝଟ୍‌କା ଦେଇଛି । ଜିଲ୍ଲାର ସମସ୍ତ ପାଞ୍ଚ ବିଧାନସଭା କ୍ଷେତ୍ର ନେତାଙ୍କ ଉପସ୍ଥିତିରେ ବିଜେପିର ଏ ପ୍ରକାର ମିଶ୍ରଣ ପର୍ବ ଜିଲ୍ଲା ବିଜେଡି ରାଜନୀତିରେ ବଡ଼ଧରଣର କମ୍ପନ ସୃଷ୍ଟି କରିଛି । 

ଦୁଇ ଦଶନ୍ଧିରୁ ଅଧିକ ହେବ କେନ୍ଦ୍ରାପଡ଼ା ଜିଲ୍ଲାର ୯ ପଞ୍ଚାୟତ ସମିତି ଓ ଦୁଇଟି ପୌରାପାଳିକା ବିଜେଡି କବ୍‌ଜାରେ ରହି ଆସିଥିଲା । ମାତ୍ର ରାଜ୍ୟରେ କ୍ଷମତାରୁ ବିଜେଡି ହଟିବା ପରେ କେନ୍ଦ୍ରାପଡ଼ା ଜିଲ୍ଲାରେ ରାଜନୈତିକ ସମୀକରଣ ବଦଳିବାରେ ଲାଗିଛି । ମହାକାଳପଡ଼ାରୁ ବ୍ଲକ୍‌ ଦଖଲ ମିସନ୍‌ ଆରମ୍ଭ କରିଥିବା ବିଜେପି ଏବେ ଅନ୍ୟ ସବୁ ନିର୍ବାଚନମଣ୍ତଳୀରେ ତୃଣମୂଳସ୍ତରରୁ ସାଙ୍ଗଠନିକ ଶକ୍ତି ବଢ଼ାଇବା ଦିଗରେ ଆଗକୁ ବଢ଼ୁଛି । ଗତକାଲି ରାଜନଗର ନିର୍ବାଚନମଣ୍ତଳୀକୁ ଛାଡ଼ିଦେଲେ ବାକି ଚାରିଟି ନିର୍ବାଚନମଣ୍ତଳୀରୁ ବିଜେଡି ସମର୍ଥିତ ବହୁ ସରପଞ୍ଚ ଓ ପୂର୍ବତନ ସରପଞ୍ଚ, ସମିତି ସଭ୍ୟଙ୍କ ସମେତ ଛାମୁଆ ନେତା ପଦ୍ମ ଧରିଛନ୍ତି । ମହାକାଳପଡ଼ା ବ୍ଲକ୍‌ର ୩୬ ଓ ମାର୍ଶାଘାଇ ବ୍ଲକ୍‌ର ୧୩ଜଣଙ୍କୁ ମଶାଇ ସର୍ବାଧିକ ୪୯ଜଣ ସରପଞ୍ଚ ଓ ସମିତି ସଭ୍ୟ ମହାକାଳପଡ଼ା ନିର୍ବାଚନମଣ୍ତଳୀରୁ ବିଜେପିରେ ସାମିଲ ହୋଇଛନ୍ତି । ଯାହାକି ଅତୁନଙ୍କ ପାଇଁ ଚିନ୍ତାର ବିଷୟ ହୋଇପାରେ ।

ପଦ୍ମ ଧରିଥିବା ଏହି ନେତାମାନେ ଏକଦା ବିଜେଡି ନେତା ଅତନୁଙ୍କ ଅତ୍ୟନ୍ତ ଅନୁଗତ ଥିଲେ । ବିଜେଡି ସମର୍ଥିତ ଲୋକ ପ୍ରତିନିଧିଙ୍କ ସମର୍ଥନ ବଳରେ ବିଜେପି ମହାକାଳପଡ଼ା ବ୍ଲକ୍‌କୁ ଦଖଲ କରି ସାରିଥିବା ବେଳେ ଏବେ ଅନ୍ୟ ବ୍ଲକ୍‌ଗୁଡ଼ିକ ଉପରେ ଆଖି ପକାଇବା ଆରମ୍ଭ କରିଛି । କେନ୍ଦ୍ରାପଡ଼ା ନିର୍ବାଚନମଣ୍ତଳୀରୁ ଜଣେ ସରପଞ୍ଚ, ଜଣେ ପୂର୍ବତନ ପୌର ଉପାଧ୍ୟକ୍ଷା, କେନ୍ଦ୍ରାପଡ଼ା ବାର୍ ଆସୋସିଏସନ୍‌ ପୂର୍ବତନ ଉପସଭାପତି, ପାଟକୁରା ନିର୍ବାଚନମଣ୍ତଳୀରୁ ଦୁଇ ସରପଞ୍ଚ ଓ ଜଣେ ସମିତିସଭ୍ୟ, ଆଳି ନିର୍ବାଚନ ମଣ୍ତଳୀରୁ ପୂର୍ବତନ ଜିଲ୍ଲା ପରିଷଦ ସଭାପତିଙ୍କ ସମେତ ପୂର୍ବତନ ସରପଞ୍ଚ, ସମିତି ସଭ୍ୟଙ୍କ ସମେତ ବହୁ ଛାମୁଆ ନେତା ବିଜେପିରେ ଯୋଗଦାନ କରିଛନ୍ତି ।