କନକ ବ୍ୟୁରୋ: ତୀବ୍ର ହେଉଛି ବିଜେଡି କନ୍ଦଳ । ଦଳ ଭିତରେ ବିଜେଡି ୨ଫାଳ ପରିସ୍ଥିତି ସୃଷ୍ଟି ହୋଇଛି । ଆଜି ଦେବାଶିଷ ସାମନ୍ତରାୟ ପାଣ୍ଡିଆନଙ୍କ ନାଁ ନେଇ ପ୍ରତିକ୍ରିୟା ରଖିଥିଲେ । ସେ କହିଥିଲେ, ସବୁ ଷଡଯନ୍ତ୍ର ପଛରେ ରହିଛି ପାଣ୍ଡିଆନଙ୍କ ହାତ । ଏହାପରେ ବିଜେଡିର କିଛି ନେତା ଏବେ ଦେବାଶିଷଙ୍କ ବୟାନକୁ ବିରୋଧ କରିବା ସହ ପାଣ୍ଡିଆନଙ୍କୁ ଏମିତି ମନ୍ତବ୍ୟ ଦେଇ ତାଙ୍କୁ ବଦନାମ କରିବା ଅନୁଚିତ ବୋଲି ଯୁକ୍ତି ବାଢ଼ିଛନ୍ତି । ମାନସ ମଙ୍ଗରାଜ, ନିରଞ୍ଜନ ବିଶି, ସୁଲତା ଦେଓ ପାଣ୍ଡିଆନଙ୍କ ସମର୍ଥନରେ ବାହାରିଛନ୍ତି ।
ନିରଞ୍ଜନ ବିଶି ସୋସିଆଲ ମିଡିଆ ଏକ୍ସରେ ଲେଖିଥିଲେ, ଭିକେ ପାଣ୍ଡିଆନ ବହୁ ଦିନ ହେବ ରାଜନୀତିରୁ ବିଦାୟ ନେଇସାରିଛନ୍ତି । କିନ୍ତୁ ଓ୍ୱାକଫ ବିଲ୍ ବିଷୟରେ ତାଙ୍କୁ ଅଯଥାରେ ବଦନାମ କରାଯାଉଛି । ଦେବାଶିଷ ସାମନ୍ତରାୟଙ୍କ ଏଭଳି ବୟାନକୁ ମୁଁ ଦୃଢ଼ ନିନ୍ଦା କରୁଛି । ସେହିପରି ମାନସ ମଙ୍ଗରାଜ ଲେଖିଥିଲେ କି, ୧୦ ମାସ ହେବ ଭିକେ ପାଣ୍ଡିଆନ ରାଜନୀତିରୁ ସନ୍ନ୍ୟାସ ନେଇ ସାରିଛନ୍ତି । ସେ କୌଣସି ରାଜନୈତିକ ବୈଠକରେ ସାମିଲ ହେଉନାହାନ୍ତି । ହେଲେ ଓ୍ୱାକଫ୍ ବିଲକୁ ନେଇ ଦେବାଶିଷ ସାମନ୍ତରାୟଙ୍କ ଏଭଳି ବୟାନ ଦୁର୍ଭାଗ୍ୟଜନକ ।
ରାଜ୍ୟସଭାରେ ଗତ କିଛି ଦିନ ତଳେ ଓ୍ୱାକଫ ବିଲକୁ ନେଇ ବିଜେଡି ସାଂସଦଙ୍କ ମଧ୍ୟରେ ଦ୍ବନ୍ଦ୍ବ ଦେଖିବାକୁ ମିଳିଥିଲା । ବିଜେଡି ସାଂସଦଙ୍କୁ ଓ୍ୱାକଫ ବିଲକୁ ବିରୋଧ କରିବାକୁ କୁହାଯାଇଥିବା ସୂଚନା ମିଳିଥିଲା । ହେଲେ ସାଂସଦ ସସ୍ମିତ ପାତ୍ର ଦଳ ବିରୋଧରେ ଯାଇ ଓ୍ୱାକଫ ବିଲକୁ ସମର୍ଥନ କରିଥିଲେ । ତେବେ ଅନ୍ୟ କିଛି ସାଂସଦ ବି ସମର୍ଥନ କରିଥିବା ସେ କହିଥିଲେ । ଏହାପରେ ବିଜେଡି ସାଂସଦ ତାଙ୍କୁ ପ୍ରଶ୍ନ କରିବା ସହ ସମାଲୋଚନା କରିଥିଲେ । ତେଣୁ ଏହାକୁ ନେଇ ଆରମ୍ଭ ହୋଇଥିଲା ବିଜେଡି ବିଜେଡି ଭିତରେ ବିବାଦ ।
ଏହି ଘଟଣା ପରେ ବିଜେଡିର ବରିଷ୍ଠ ନେତା ସସ୍ମିତ ପାତ୍ରଙ୍କୁ ନିନ୍ଦା କରିଥିଲେ । ଦଳ ବିରୋଧରେ ଯାଇ ଓ୍ବାକକଫ ବିଲକୁ ସମର୍ଥନ ଦେବା ଠିକ ନୁହେଁ ବୋଲି କହିବା ସହ ଏନେଇ ଦଳର ସୁପ୍ରିମୋଙ୍କୁ ବି ଭେଟିଥିଲେ । ତେବେ ଆଜି ସାଂସଦ ମୁନା ଖାଁ ଭୁବନେଶ୍ୱରରେ ପହଞ୍ଚିବା ପରେ ସସ୍ମିତ ପାତ୍ରଙ୍କ ଉପରେ ପ୍ରବଳ ବର୍ଷିଥିଲେ । ଆଉ ନବୀନ ପଟ୍ଟନାୟକଙ୍କ ପାଖକୁ ଯାଇ ଘଟଣା ସମ୍ପର୍କରେ ଅବଗତ କରାଯାଇଥିଲେ । ନବୀନ ପଟ୍ଟନାୟକ ବି ଏ ଘଟଣାର ତର୍ଜମା କରିବାକୁ ପ୍ରତିଶ୍ରୁତି ଦେଇଥିଲେ ।
ନବୀନ ପଟ୍ଟନାୟକ ସାମ୍ନାକୁ ଆସି ବିଜେଡି ନେତାଙ୍କୁ ସନ୍ତୋଷଜନକ ଉତ୍ତର ଦିଅନ୍ତୁ ବୋଲି ବରିଷ୍ଠ ବିଜେଡି ନେତା ପ୍ରଫୁଲ୍ଲ ଘଡେଇ କହିଥିଲେ । ତେବେ କେଉଁଠି ନା କେଉଁ ବିଜେଡିରେ ଏବେ ବି ଭିକେ ପାଣ୍ଡିଆନଙ୍କ ପ୍ରଭାବ ରହିଛି ବୋଲି କିଛି ନେତା ଅନୁଭବ କରୁଛନ୍ତି । ଯାହା ଆଜି ଦେବାଶିଷ ସାମନ୍ତରାୟଙ୍କ କ୍ଷେତ୍ରରେ ଦେଖିବାକୁ ମିଳିଛି । ବର୍ତ୍ତମାନ ପ୍ରଶ୍ନ ଉଠୁଛି ଦଳ ଭିତରେ ଥିବା ଏ କନ୍ଦଳକୁ କେମିତି ରୋକିବେ ନବୀନ? ଦଳର ନେତାଙ୍କୁ ସେ ଦେଇପାରିବେ ତ ସନ୍ତୋଷଜନକ ଉତ୍ତର?