କନକ ବ୍ୟୁରୋ: ଦିନକୁ ଦିନ ବିଜେଡି ଡଙ୍ଗା ବୁଡ଼ିବାରେ ଲାଗିଛି । କାରଣ ଜଣେ ପରେ ଜଣେ ଏଥିରେ ଛିଦ୍ର କରିବାରେ ଲାଗିଛନ୍ତି । ଗୋଟିଏ ବିବାଦର ସମାଧାନ ନ ହେଉଣୁ, ନୂଆ ବିବାଦ ମୁଣ୍ଡ ଟେକୁଛି । ଏହାରି ଭିତରେ ଦଳୀୟ କଳି, ଶଙ୍ଖ ଭବନ ଭାୟା ନବୀନ ନିବାସ ଦେଇ ଏବେ କାର୍ପଟଦାର ନେତାଙ୍କ ଦୁଆରେ ପହଞ୍ଚିଲାଣି ।
ମିଳିଥିବା ସୂଚନା ମୁତାବକ, ବିଜେଡି କର୍ପୋରେଟର ଅମରେଶ ଜେନାଙ୍କ ସମର୍ଥକ ସଂଜୟ ଦାସବର୍ମାଙ୍କୁ ଘେରିଛନ୍ତି । ଏମାନଙ୍କ ସିଧାସଳଖ ଅଭିଯୋଗ ଯେ, ପୂର୍ବତନ ମନ୍ତ୍ରୀ ଅଶୋକ ପଣ୍ଡାଙ୍କ ଇଙ୍ଗିତରେ ଯୁବ ନେତା ଅମରେଶ ଜେନାଙ୍କୁ ଦଳରୁ ଦୂରେଇ ଦିଆଯାଉଛି । ଏହାରି ଭିତରେ ୪-୫ ଜଣ ହାରୁ ନେତାଙ୍କ ପାଇଁ ଦଳ ବୁଡ଼ିଯିବ କହି ପରୋକ୍ଷରେ ବରିଷ୍ଠ ନେତା ଦେବୀ ମିଶ୍ର, ସଂଜୟ ଦାସବର୍ମା, ଅତନୁ ସବ୍ୟସାଚୀ ନାୟକ ଓ ବବି ଦାସଙ୍କୁ ବିବାଦକୁ ଟାଣିଛନ୍ତି ଅମରେଶ । ଏପଟେ ହାରିଥିବା ନେତା ଦଳର ଦାୟିତ୍ବ ନେଇ ପାରିବେ ନାହିଁ କହି ନିଆଁରେ ଘିଅ ଢାଳିଛନ୍ତି କର୍ପୋରେଟର ବିରଞ୍ଚି ମହାସୁପକାର ।
- ଯେତେ ଲୁଚାଇଲେ ବି ଜଳଜଳ ଦିଶୁଛି କଳି
- ତଥାପି ମୁହଁ ଖୋଲୁନାହାନ୍ତି କାର୍ପଟଦାର ନେତା
ଗୋଟିଏ ପରେ ଗୋଟିଏ ଗୋଷ୍ଠୀ ନେତୃତ୍ବକୁ ନେଇ ପ୍ରଶ୍ନ ଉଠାଉଛନ୍ତି । ଏହାରି ଭିତରେ କନ୍ଦଳକୁ ଲୁଚେଇବାକୁ ପ୍ରୟାସ କରିଛି ଦଳ । ଯଦିଓ ଅଭିଯୋଗ ଆସିଥିବା ନେତା ମୁହଁ ଖୋଲି ନାହାନ୍ତି । କିନ୍ତୁ ଦଳ ତରଫରୁ ଘଟଣାକୁ ଭିନ୍ନ ଚିତ୍ରଣ କରାଯାଇଛି । ଗତକାଲି ରାତିରେ ଦଳୀୟ ନେତା ସଂଜୟ ଦାସ ବର୍ମାଙ୍କ ଘରକୁ ଆଲୋଚନା ପାଇଁ ଯାଇଥିଲେ ବୋଲି ଦଳ ସଫେଇ ଦେଇଛି । ଏପଟେ ବିବାଦରୁ ଦୂରେଇ ରହି ମଧ୍ୟ-ବିଧାୟକ କହିଛନ୍ତି, ଘଟଣା ବାବଦରେ ସୁପ୍ରିମୋଙ୍କୁ ଅବଗତ କରାଯିବ ।
ସୂଚନାଯୋଗ୍ୟ ଯେ, ରାଜ୍ୟ କାର୍ଯ୍ୟକାରିଣୀ ତାଲିକାକୁ ନେଇ ଛକାପଞ୍ଝା ଚାଲିଥିବା ବେଳେ ଏ ବିବାଦର ସୂତ୍ରପାତ ହୋଇଥିବା କୁହାଯାଉଛି ।