କନକ ବ୍ୟୁରୋ: ୨୪ ବର୍ଷ ଧରି କ୍ଷମତାରେ ରହିବା ପରେ ପରାଜୟକୁ ସହଜରେ ସ୍ବୀକାର କରିପାରୁନି ବିଜେଡି। ଫଳାଫଳର ୬ ମାସ ପରେ ନିର୍ବାଚନରେ ଅନିୟମିତତା ଅଭିଯୋଗ କରି ଭାରତୀୟ ନିର୍ବାଚନ କମିଶନଙ୍କ ପାଖରେ ଫେରାଦ ହୋଇଛି ଦଳ। ଲୋକସଭା ଓ ବିଧାନସଭା ନିର୍ବାଚନର ତଥ୍ୟ ତାଳମେଳ ଖାଉନଥିବା ଦଳ ଅଭିଯୋଗ କରିଛି। ଯାହାକୁ କଟାକ୍ଷ କରିଛି ବିଜେପି।
- ଇସିଆଇରେ ଫେରାଦ ହେଲା ବିଜେଡି
- ପ୍ରିଜାଇଡିଂ ଓ ରିଟର୍ଣ୍ଣିଂ ଅଫିସରଙ୍କ ତଥ୍ୟରେ ନାହିଁ ତାଳମେଳ
- ଭୋଟ୍ ଜାଲିଆତି ନେଇ ଆଣିଲା ଅଭିଯୋଗ
ନିର୍ବାଚନକୁ ପ୍ରାୟ ସାଢ଼େ ୬ମାସ ବିତିଗଲାଣି। ହେଲେ ପରାଜୟକୁ ସ୍ବୀକାର କରିପାରୁନି ବିଜୁ ଜନତା ଦଳ। ସୋମବାର ବିଜେଡିର ଏକ ଉଚ୍ଚସ୍ତରୀୟ ଟିମ ଭାରତୀୟ ନିର୍ବାଚନ କମିଶନଙ୍କ ନିକଟରେ ଫେରାଦ ହୋଇ ନିର୍ବାଚନ ଅନିୟମିତତାର ଅଭିଯୋଗ ଆଣିଛନ୍ତି। ପୂର୍ବତନ ସାଂସଦ ଅମର ପଟ୍ଟନାୟକଙ୍କ ନେତୃତ୍ବରେ ରାଜ୍ୟସଭା ସାଂସଦଙ୍କ ପ୍ରତିନିଧି ଦଳ ଇସିଆଇଙ୍କୁ ଭେଟିଛନ୍ତି।
ବିଜେଡି ଅଭିଯୋଗ ଆଣିଛି ଯେ, ୨୦୨୪ ଉଭୟ ଲୋକସଭା ଓ ବିଧାନସଭା ନିର୍ବାଚନରେ ଭୋଟ୍ ଜାଲିଆତି ହୋଇଛି। ଇସିଆଇ ଓ ରାଜ୍ୟ ନିର୍ବାଚନ ଅଧିକାରୀଙ୍କ ତଥ୍ୟରେ ରହିଛି ପାର୍ଥକ୍ୟ। ନିର୍ବାଚନମଣ୍ଡଳିୱାରୀ ତଥ୍ୟରେ ତାଳମେଳ ନାହିଁ। ଭୋଟ୍ ଗ୍ରହଣ ସମୟ ପରେ ବି ଇଭିଏମରେ ଭୋଟ ପଡିଥିଲା। ରାଜ୍ୟ ନିର୍ବାଚନ ଅଧିକାରୀଙ୍କୁ ତଥ୍ୟ ମାଗିଲେ, ମିଳୁନଥିବା ନେଇ ଦଳ ଅଭିଯୋଗ କରିଛି।
- ହେଲେ କାହିଁକି ଦୀର୍ଘ ୬ ମାସ ପରେ ଅଭିଯୋଗ ଉଠାଉଛି ବିଜେଡି?
- ଏତେ ଦିନ ଧରି କାହିଁକି ଚୁପ ଥିଲା ଦଳ?
- କିଛି ତଥ୍ୟ ଅଛି ନା ଖାଲି ଅଭିଯୋଗ ଆଣୁଛି?
ଏହାରି ଭିତରେ କଟାକ୍ଷ କରିଛନ୍ତି ଆଇନ୍ ମନ୍ତ୍ରୀ। କହିଛନ୍ତି, ଭୋଟ୍ ଗଣତି ଓ ମତଦାନ ସଂଖ୍ୟା ଭିତରେ ତାଳ ରହୁନଥିବା କଥା ବହୁତ ବିଳମ୍ବରେ ବିଜେଡିର ମନ ପଡ଼ିଲା। ସେହିପରି ଏମିତି ଗଣିତ ବିଜେଡି କୋଉଠୁ ପାଇଲା ବୋଲି ପ୍ରଶ୍ନ କରିଛନ୍ତି ବିଜେପି ସାଂସଦ ବଳଭଦ୍ର ମାଝୀ।
ବଡ଼ କଥା ହେଲା ଏଡିଆର ରିପୋର୍ଟରେ ମଧ୍ୟ ଏହାକୁ ନେଇ ପ୍ରଶ୍ନ ଉଠିଛି। ଆଉ ଏହାକୁ ନେଇ ଅନେକ ରାଜନୈତିକ ଦଳ ତୁମ୍ବି ତୋଫାନ କରିଥିଲେ। ତଥାପି ବିଜେଡି କାହିଁକି ଏତେ ବିଳମ୍ବ କଲା, ତାହା ଆଲୋଚନାର ବିଷୟ ହୋଇଛି।