କନକ ବ୍ୟୁରୋ: ଭୁବନେଶ୍ୱର ବଦଳରେ ଦିଲ୍ଲୀରେ ବିଜେଡି ସାଂସଦଙ୍କ ଶକ୍ତିପ୍ରଦର୍ଶନ । ବିଜେଡିର ଆଉ କେଉଁ ସାଂସଦ ବିଜେପିକୁ ଯିବେ,ଏହି ଚର୍ଚ୍ଚା ଭିତରେ ଆଜି ଦିଲ୍ଲୀରେ ସାମ୍ବାଦିକ ସମ୍ମିଳନୀ କରିଛନ୍ତି ବିଜେଡିର ୭ ରାଜ୍ୟସଭା ସାଂସଦ । ବିଜେଡି ଓ ନବୀନଙ୍କ ସହ ଅଛୁ ଓ ଶେଷ ଯାଏଁ ରହିବୁ ବୋଲି ଦମ୍ଭ ଦେଖାଇଛନ୍ତି । ତେବେ ପାର୍ଲାମେଂଟ ଅଧିବେଶନର ଶେଷ ପର୍ଯ୍ୟାୟରେ ବିଜେଡି ସାଂସଦ ଦିଲ୍ଲୀରେ ଗର୍ଜିବା ପଛରେ କାରଣ କଣ, ତାକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା ।
- ସାମ୍ନାକୁ ଆସିଲେ ବିଜେଡି ସାଂସଦ
- ଦିଲ୍ଲୀରେ ରଖିଲେ ସ୍ପଷ୍ଟୀକରଣ
- ‘ବିଜେଡିରେ ଅଛୁ ଆଉ ରହିବୁ’
ଦିନେ ଦିଲ୍ଲୀରେ ମୂଲଚାଲ କରୁଥିବା ବିଜୁ ଜନତା ଦଳ ଏବେ ନୂଆ ରୂପରେ ଉଭା ହୋଇଛି । ସୁଜିତ କୁମାର ଓ ମମତା ମହନ୍ତ ବିଜେପିକୁ ଡେଇଁବା ପରେ ବିଜେଡିର କେଉଁ ନେତା ମୋଦିଙ୍କ ଆଡକୁ ଢଳିବେ ଏଭଳି ଚର୍ଚ୍ଚା ଭିତରେ ଭିନ୍ନ ଢଙ୍ଗରେ ସାମ୍ନାକୁ ଆସିଛନ୍ତି ରାଜ୍ୟସଭା ସାଂସଦ । ଆଉ କହିଛନ୍ତି, ଆମେ ଦଳ ଛାଡିବାର ପ୍ରଶ୍ନ ଉଠୁନାହିଁ । ତେବେ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ୨୪ ବର୍ଷ ରାଜନୀତି ଭିତରେ ବିଜେଡିରେ ଏଭଳି ସ୍ଥିତି କେବେ ଦେଖିବାକୁ ମିଳିନଥିଲା ।
- ସ୍ପଷ୍ଟୀକରଣ ପଛରେ ଚାପ ନା ଏକତା ପ୍ରଦର୍ଶନ?
- ଦିଲ୍ଲୀରୁ କି ସନ୍ଦେଶ ଦେବାକୁ ଚାହୁଁଛି ବିଜେଡି?
୬ ମାସ ତଳେ ବିଜେଡିର ବଡ ଭାବମୂର୍ତ୍ତି ଥିଲା ଓ ନବୀନ ପଟ୍ଟନାୟକ ବଡ ନେତା ଥିଲେ। କିନ୍ତୁ ଏବେ ଏଭଳି କଣ ହେଲା ଯେ ବିଜେଡି ରାଜ୍ୟସଭା ସାଂସଦଙ୍କୁ ଏଭଳି ସାମ୍ନାକୁ ଆସିବାକୁ ପଡିଲା । ଆଜିର ସାମ୍ୱାଦିକ ସମ୍ମିଳନୀରେ ସବୁ ରାଜ୍ୟସଭା ସାଂସଦ ନବୀନଙ୍କୁ ଛାଡି ଯିବାର ପ୍ରଶ୍ନ ଉଠୁନାହିଁ ବୋଲି ଦମ୍ଭ ଦେଖାଇଛନ୍ତି । ଅପପ୍ରଚାର ହେଉଛି ବୋଲି କହିଛନ୍ତି । ଏଭଳି ଅପପ୍ରଚାର ପାଇଁ କାର୍ଯ୍ୟାନୁଷ୍ଠାନ ବି ଦାବି କରିଛନ୍ତି । କିନ୍ତୁ ନିଆଁ ନଥିଲେ ଧୂଆଁ ଉଠେନାହିଁ ବୋଲି ରାଜନୈତିକ ମହଲରେ ଆଲୋଚନା ହେଉଛି । ସେପଟେ ବିଜେଡି ସାଂସଦଙ୍କ ପ୍ରେସମିଟ ଉପରେ ପ୍ରଶ୍ନ ଉଠାଇଛନ୍ତି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ।
ବିଜେପି ରାଜ୍ୟସଭାରେ ଶକ୍ତିବୃଦ୍ଧି କରିବାକୁ ଚାହୁଁଛି । ତେଣୁ ବିରୋଧୀ ସଦସ୍ୟଙ୍କ ଉପରେ ନଜର ପକାଇଛି । ଏଭଳି ସ୍ଥିତିରେ ଶାହାଙ୍କ ରାଜ୍ୟସଭା ରଣନୀତିକୁ ବିଜେଡି କିଭଳି କାଂଉଟର କରିବ ଓ ବିଜେଡିର ଆଉ କେଉଁ ସାଂସଦ ବିଜେପିକୁ ଯିବେନି ବୋଲି ଗ୍ୟାରେଂଟି କିଏ ଦେବ. ତାକୁ ନେଇ ଅନେକ ପ୍ରଶ୍ନ ସୃଷ୍ଟି ହୋଇଛି ।