କନକ ବ୍ୟୁରୋ: ରାଜ୍ୟରେ ସାର ସଙ୍କଟ ନାହିଁ । ବିରୋଧୀ ସାର ଅଭାବ ନେଇ ଅପପ୍ରଚାର କରୁଛନ୍ତି । ସମବାୟ ମନ୍ତ୍ରୀଙ୍କ ଏଭଳି ଦୃଢୋକ୍ତି ଭିତରେ ସାର ସଙ୍କଟର ସତକୁ ପଦାରେ ପକାଇଛି କୃଷି ମନ୍ତ୍ରୀଙ୍କୁ ନିଜ ଦଳର ବିଧାୟକ ଲେଖିଥିବା ଚିଠି । 

Advertisment

ସମବାୟ ମନ୍ତ୍ରୀଙ୍କ ଏଭଳି ବୟାନ ପରେ ଚାଷୀ ଆଶ୍ବସ୍ତ ହୋଇଥିଲେ ସତ । ହେଲେ ମନ୍ତ୍ରୀଙ୍କ ଜିଲ୍ଲାରେ ନିଜ ଦଳର ବିଧାୟକ କୃଷି ମନ୍ତ୍ରୀଙ୍କୁ ଲେଖିଥିବା ଚିଠି ସାର ଅଭାବର ସତକୁ ସାମ୍ନାକୁ ଆଣିଛି । ବଡଚଣା ବିଧାୟକ ଅମର ନାୟକ ଚିଠିରେ ସ୍ପଷ୍ଟ ଉଲ୍ଲେଖ କରିଛନ୍ତି, ଯାଜପୁର ମାର୍କଫେଡ ପଏଣ୍ଟରେ ୧ ହଜାର ୩୫୦ ମେଟ୍ରିକ ଟନ୍ ୟୁରିଆ ସାର ବାଣ୍ଟିବାକୁ ଅନୁମୋଦନ ହୋଇଥିଲା । ତେବେ ଦାୟିତ୍ବରେ ଥିବା ଅଧିକାରୀ ୪୯୦ ମେଟ୍ରିକ ଟନ୍ ୟୁରିଆ ସାର ସପ୍ଲାଏ କରିଥିବା ବେଳେ ବଳକା ସାରର କଳାବଜାରୀ ହୋଇଛି । ଯେଉଁଥିପାଇଁ ସାର ନପାଇ ହତାଶ ହୋଇଛନ୍ତି ଜିଲ୍ଲାର ଚାଷୀ । 

କେବଳ ଯାଜପୁର ଜିଲ୍ଲା କାହିଁକି ରାଜ୍ୟର ବିଭିନ୍ନ ସ୍ଥାନରେ ସାର ସଙ୍କଟର ଏ ହେଉଛି ବାସ୍ତବ ଚିତ୍ର। ଦିଗପହଣ୍ଡି, ଆସ୍କା, ନାରାୟଣପାଟଣା, ଛେଣ୍ଡିପଦା ।  ଚାଷୀ ଆଉ ସହିବା ସ୍ଥିତିରେ ନାହାନ୍ତି। ଦିଗପହଣ୍ଡିରେ ଭାଙ୍ଗିଛି ଚାଷୀଙ୍କ ଧୈର୍ଯ୍ୟ। ସାର ନ ପାଇବାରୁ ରାଜରାସ୍ତାକୁ ଓହ୍ଲାଇଛନ୍ତି ଶହ ଶହ ଚାଷୀ । ଆସ୍କା ମଙ୍ଗଳପୁର ଓ କୋରାପୁଟ ନାରାୟଣପାଟଣାରେ ସାର ପାଇଁ ଲମ୍ବା ଲାଇନ। ଘଣ୍ଟା ଘଣ୍ଟାର ଅପେକ୍ଷା ପରେ ବି ଚାଷୀ ନିରାଶ। ସେହିଭଳି ଛେଣ୍ଡିପଦାରେ ସାର ପାଇଁ ଲାଇନରେ ଥିବା ଆଧାରକାର୍ଡ ବର୍ଷାରେ ଭିଜିଛି ।  ସାର ସଙ୍କଟ ଓ କଳାବଜାରୀ ଭିତରେ ଅତିଷ୍ଠ ହୋଇ ପଡିଲେଣି ଚାଷୀ । ସାର ଅଭାବରୁ ଚାଷୀ କଲବଲ ହେଉଥିବା ବେଳେ କିଏ କହୁଛି ସତ? ମନ୍ତ୍ରୀ ନା ବିଧାୟକ?