କନକ ବ୍ୟୁରୋ: ୨୪ ବର୍ଷର ସରକାର କ୍ଷମତାରୁ ଯିବା ପରେ ବିଜେଡ଼ିର ସ୍ଥିତି ଏବେ ଦୋହଲି ଯାଇଛି । ଦଳ ଭିତରେ ନେତା ଏବେ ଅବିଶ୍ୱାସ ଓ ଅସନ୍ତୋଷର ଜାଲରେ ଛନ୍ଦି ହେଉଛନ୍ତି । ସାଂସଦଙ୍କଠାରୁ ଆରମ୍ଭ କରି ସରପଞ୍ଚ, ଆଉ ବିଜେଡ଼ି ନେତୃତ୍ବଙ୍କୁ ଭରସି ପାରୁନାହାନ୍ତି । ୨ ରାଜ୍ୟସଭା ସାଂସଦ ଓ ତୃଣମୂଳସ୍ତରର ନେତା ଦଳ ଛାଡିବା ପରେ ଏହା ସ୍ପଷ୍ଟ ହୋଇଛି । ଏହା ଭିତରେ ପୁଣିଥରେ ବଳ ଗୋଟାଇବା ଲକ୍ଷ୍ୟରେ ବାହାରିଛି ବିଜେଡି । ୯ ତାରିଖରୁ ନୂଆ କର୍ମୀଙ୍କୁ ଦଳରେ ସାମିଲ କରିବାକୁ ସଦସ୍ୟ ସଂଗ୍ରହ ଅଭିଯାନ ଆରମ୍ଭ କରିବାକୁ ଯାଉଛି ଦଳ । କିନ୍ତୁ ନୂଆ ସଦସ୍ୟ ସଂଗ୍ରହ କରିବା ବିଜେଡି ପାଇଁ ଏତେ ସହଜ ହୋଇନପାରେ ।

Advertisment


-    ଦଳ ଭିତରେ ଥିବା ଅନ୍ତଃକନ୍ଦଳ ସାଜିପାରେ ବାଧକ
-    ତୃଣମୂଳସ୍ତରରେ କ୍ଷମତା ବାହାରେ ରହିବାକୁ ଚାହାନ୍ତିନି ନେତା?
-    ବିଜେଡ଼ିର ଭବିଷ୍ୟତ କଣ ହେବ ତାକୁ ନେଇ ଗ୍ରାଉଣ୍ଡରେ ନେତା ସନ୍ଦିହାନ?

ଶଙ୍ଖଭବନରୁ ସଡକ ଯାଏଁ ବିଜେଡ଼ି ଭିତରେ ଫାଟ ଦେଖିବାକୁ ମିଳୁଛି । ରାଜଧାନୀରେ ନେତାଙ୍କ ମଧ୍ୟରେ କଥା କଟାକଟି ତୃଣମୂଳସ୍ତରରେ କର୍ମୀଙ୍କ ମନୋବଳ ଭାଙ୍ଗିଲାଣି । ଅନ୍ୟପଟେ ୧ କୋଟି ସଦସ୍ୟ ଥିବା ବିଜେଡ଼ି ଦଳ ପୂର୍ବରୁ ଏକ ନମ୍ବର ଥିଲା ଏବଂ ଆଗକୁ ମଧ୍ୟ ରହିବ ବୋଲି ନେତା ଦମ୍ଭ ଦେଖାଉଛନ୍ତି ।  
  
ପୂର୍ବରୁ ବିଜେଡି ୧ କୋଟି ସଦସ୍ୟଙ୍କ ଦଳ ଥିଲା । ଏଥର ବିନା କ୍ଷମତାରେ ଏହି ସଂଖ୍ୟାରେ ଅବନତି ନା ଉନ୍ନତି ଆସୁଛି ତାହା ଉପରେ ଦଳର ଆଗାମୀ ଭବିଷ୍ୟତ ନିର୍ଭର କରିବ । ତୃଣମୂଳସ୍ତରରେ ଦଳ ସଙ୍ଗଠିତ ଥିବା ନେଇ ବିଜେଡି ନେତା ଯୁକ୍ତି ବାଢୁଥିବା ବେଳେ ଏହାର ବାସ୍ତବ ଚିତ୍ର ସଦସ୍ୟତା ଅଭିଯାନ ପରେ ସ୍ପଷ୍ଟ ହେବ । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ମଧ୍ୟ ଗ୍ରାଉଣ୍ଡରେ ବୁଲିବାକୁ ସବୁଜ ସଂକେତ ଦେଇଛନ୍ତି। ତାହା ଦଳ ପାଇଁ କେତେ ଲାଭଦାୟକ ହେବ ତାହା ଉପରେ ନଜର ରହିବ ।