କନକ ବ୍ୟୁରୋ: ୱାକଫଠାରୁ ବିଜେଡି ସଂସଦୀୟ ଦଳ ଭିତରେ ସୃଷ୍ଟି ହୋଇଥିବା ଫାଟ ଏବେ ଜଳଜଳ ଦିଶୁଛି । ଅପରେସନ୍ ସିନ୍ଦୂର ଆଲୋଚନାରେ ବରିଷ୍ଠ ସାଂସଦ ମୁନ୍ନା ଖାଁ ଓ ଦେବାଶିଷ ସାମନ୍ତରାୟଙ୍କୁ କହିବାକୁ ସୁଯୋଗ ମିଳିଲାନି । ଯାହା ଦର୍ଶାଉଛି, ଦିଲ୍ଲୀରେ ବିଜେଡିର ଅଲ୍ ଇଜ୍ ନଟ ୱେଲ୍ ।

Advertisment
  • ବିଜେଡି ସଂସଦୀୟ ଦଳରେ ଫାଟ!
  • ବରିଷ୍ଠଙ୍କୁ ଅଣଦେଖା, ନବାଗତଙ୍କୁ ବିଶ୍ବାସ
  • ସାଇଡ୍‌ଲାଇନ୍‌ ହେଉଛନ୍ତି କି ମୁନ୍ନା, ଦେବାଶିଷ?

ରାଜ୍ୟସଭାରେ ବିଜେଡିର ୭ ସାଂସଦ । ହେଲେ ଅପରେସନ୍‌ ସିନ୍ଦୂର ଆଲୋଚନାରେ ୫ ଜଣ ସାଂସଦଙ୍କୁ ପକ୍ଷ ରଖିବାକୁ ସୁଯୋଗ ମିଳିଲା । ରାଜ୍ୟସଭାରେ ବିଜେଡିର ସଂସଦୀୟ ଦଳ ନେତା ସସ୍ମିତ ପାତ୍ରଙ୍କ ସମେତ ନିରଞ୍ଜନ ବିଶି, ସୁଲତା ଦେଓ, ମାନସ ମଙ୍ଗରାଜ ଓ ଯୁବ ସାଂସଦ ଶୁଭାଶିଷ ଖୁଣ୍ଟିଆ ସେନାର ପରାକ୍ରମକୁ ଭୂୟସୀ ପ୍ରଶଂସା କଲେ । ହେଲେ ଗୃହରେ ଥାଇ ସୁଦ୍ଧା ଦୁଇ ବରିଷ୍ଠ ସାଂସଦ ମୁନ୍ନା ଖାଁ ଓ ଦେବାଶିଷ ସାମନ୍ତରାୟ କହିବାକୁ ସୁଯୋଗ ପାଇଲେନି । ଦଳ ତରଫରୁ ୨ ସାଂସଦଙ୍କୁ କହିବାକୁ ବାରଣ କରାଯାଇଥିଲା ନା ନିଜ ତରଫରୁ ମତ ରଖିବାରୁ ଓହରି ଯାଇଥିଲେ । ଯାହାକୁ ନେଇ ଦିଲ୍ଲୀରୁ ଭୁବନେଶ୍ବର ପର୍ଯ୍ୟନ୍ତ ଭିନ୍ନ ଭିନ୍ନ ଚର୍ଚ୍ଚା । 

ପୂର୍ବରୁ ୱାକଫକୁ ନେଇ ବିଜେଡି ସଂସଦୀୟ ଦଳ ଦୁଇ ଭାଗ ହୋଇଯାଇଥିଲା । ଦୁଇ ବରିଷ୍ଠ ସାଂସଦ ମୁନ୍ନା ଖାଁ ଓ ଦେବାଶିଷ ସାମନ୍ତରାୟ ବିଲ୍ ସପକ୍ଷରେ ଭୋଟିଂକୁ ନେଇ ଖୋଲାଖୋଲି ବିଦ୍ରୋହ କରିଥିଲେ । ସସ୍ମିତ ପାତ୍ରଙ୍କ ବିରୋଧରେ ଦଳର ମୁଖିଆଙ୍କ ନିକଟରେ ଫେରାଦ ହୋଇ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଥିଲେ ମୁନ୍ନା । ଏଥିରେ ସ୍ବର ମିଳାଇଥିଲେ ଦେବାଶିଷ । ନବୀନ ନିବାସରେ ମୁନ୍ନାଙ୍କ ସମର୍ଥକଙ୍କ ହାଇଡ୍ରାମା ଦଳୀୟ କନ୍ଦଳକୁ ପଦାରେ ପକାଇଥିଲା । ତେଣୁ ମୁନ୍ନା ଓ ଦେବାଶିଷଙ୍କୁ ଏବେ ସହଜରେ ବିଶ୍ବାସ କରିପାରୁନି ଦଳ । ଅନ୍ୟପଟେ ନାରୀ ନିର୍ଯାତନା ନେଇ ସଂସଦ ପରିସରରେ ଦଳୀୟ ସାଂସଦ ପ୍ରତିବାଦ କରିଥିଲେ । ହେଲେ ଦେବାଶିଷଙ୍କ ଦେଖା ମିଳିନଥିଲା । ଯାହା ସଙ୍କେତ ଦେଉଛି, ଦିଲ୍ଲୀରେ ଦଳ ଭିତରେ ଏବେ ବି ଫାଟ ରହିଛି । ନଚେତ ଦଳୀୟ ନିର୍ଦ୍ଦେଶକୁ ନେଇ ଅସନ୍ତୁଷ୍ଟ ଅଛନ୍ତି ବରିଷ୍ଠ ସାଂସଦ ।

ସୂଚନାଯୋଗ୍ୟ ଯେ, ସେପ୍ଟେମ୍ବର ୯ରେ ଉପରାଷ୍ଟ୍ରପତି ନିର୍ବାଚନ । ହେଲେ ବିଜେଡିର ଆଭିମୁଖ୍ୟ ଏବେ ଅସ୍ପଷ୍ଟ । ଏସବୁ ଭିତରେ ସବୁ ସାଂସଦ ହ୍ବିପ୍ ଗଣ୍ଡି ଭିତରେ ରହିବେ ନା ବିବେକାନୁମୋଦିତ ଭୋଟ ଦେବେ ତାହା ଉପରେ ରହିବ ନଜର ।